ବାଲିଗୁଡ଼ା: ଲଗାଣ ବର୍ଷାରେ ଭିଜି ରହିଥିବା ବିଦ୍ୟାଳୟ ଛାତ ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଲା। ସବୁଦିନ ପରି ଗତକାଲି ଦିନବେଳା ପିଲାମାନେ ଏହି ଛାତ ତଳେ ବସି ପାଠ ପଢ଼ୁଥିଲେ। ବିଳମ୍ବିତ ରାତ୍ରିରେ ଘଟଣାଟି ଘଟିଥିବାରୁ ଅନେକ ଶିଶୁଙ୍କ ଜୀବନ ବଞ୍ଚିଯାଇଛି। ଫଟାକାନ୍ଥ ଉପରେ ଛିଡ଼ା ହୋଇଥିବା କନ୍ଧମାଳଜିଲ୍ଲା ବାଲିଗୁଡ଼ା ବ୍ଲକ୍ ନାଡ଼ାପାଟାଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା କୋଠାଟି ଯେ କୌଣସି ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ଥିଲା। ତଥାପି ଏହା ତଳେ ପିଲାଙ୍କୁ ପାଠପଢ଼ା ଜାରି ରହିଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନର ଏଭଳି ବେପରୁଆ ମନୋଭାବକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ଅଭିଭାବକ।   

Advertisment

ପୁରୁଣା କୋଠାକୁ ଫଟାକାନ୍ଥ
ଗ୍ରାମବାସୀଙ୍କ ଅଭିଯୋଗ ଶୁଣି ନ ଥିଲେ କର୍ତ୍ତୃପକ୍ଷ

ନାଡ଼ାପାଟାଙ୍ଗ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପାଠ ପଢ଼ୁଛନ୍ତି ୭୭ ଜଣ ଛାତ୍ରଛାତ୍ରୀ। ଲଗାଣ ବର୍ଷାରେ ଭିଜି ରହିଥିବା ତିନୋଟି ଶ୍ରେଣୀ ଗୃହର ଛାତ ଏକା ଝଟ୍‌କାରେ ଭୁଶୁଡ଼ି ପଡ଼ିଲା। କେତେକ ସ୍ଥାନରେ ଶ୍ରେଣୀ ଗୃହର କାନ୍ଥ ଫାଟି ଆଁ କରିଥିବା ବେଳେ ଅନେକ ସ୍ଥାନରେ ପଲସ୍ତରା ଛାଡ଼ି ଯାଇଛି। ଏବେ ନିଜ ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଅସୁରକ୍ଷିତ ମଣୁଛନ୍ତି ଅଭିଭାବକ। ସେପଟେ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁଧାରିଲେ ଆମେ ନିର୍ଭୟରେ ସୁରକ୍ଷିତ ଭାବେ ପାଠ ପଢ଼ିପାରିବୁ ବୋଲି କୋମଳମତି ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। ଶ୍ରେଣୀ ଗୃହ ନିର୍ମାଣ ସହ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେବାକୁ ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏଯାବତ୍ କିଛି ସୁଫଳ ମିଳିନାହିଁ। ଯଦି ପାଠପଢ଼ା ଚାଲିଥିବା ବେଳେ ଏଭଳି ଘଟିଥାନ୍ତା ତେବେ ଅବସ୍ଥା କ’ଣ ହୋଇଥା’ନ୍ତା ବୋଲି ଅଭିଭାବକ ଓ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ କହିବା ଅନୁଯାୟୀ, ବିଦ୍ୟାଳୟ ଶ୍ରେଣୀଗୃହ ବର୍ଷାରେ ଭୁଶୁଡ଼ିଥିବା ଖବର ମୁଁ ପାଇଛି। ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବି ବୋଲି କହିଛନ୍ତି।