ଶ୍ରେଣୀ ଗୃହ ଅଭାବରୁ ସ୍କୁଲ୍‌ ବାରଣ୍ଡା ଓ ଭଙ୍ଗା ଦଦରା ଛାତ ଘରେ ଚାଲୁଛି ପାଠପଢ଼ା

ରେଢ଼ାଖୋଲ : ସମସ୍ତଙ୍କୁ ମିଳିବ ଶିକ୍ଷା। ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା‌ର ଉନ୍ନତି ପାଇଁ ସରକାର ଯୋଜନା ପରେ ଯୋଜନା ଗୁନ୍ଥି ଚାଲିଛନ୍ତି। ଶିକ୍ଷକଙ୍କୁ ତାଲିମ ଦିଆଯାଉଛି। ନୂଆ ନୂଆ କୋଠା ତିଆରି ହେଉଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ଓଲଟା। କେବଳ କାଗଜକଲମରେ ଏହି ଯୋଜନା ହେଉଛି। ମାତ୍ର ପିଲାମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଶୈକ୍ଷିକ ବାତାବରଣ ତିଆରି କରାଯାଇପାରୁ ନାହିଁ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ରେ। ଏଠାରେ ଭଙ୍ଗା ଦଦରା ଛାତ ଘର, ଟାଇଲ୍‌ ଘର କିମ୍ବା ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢ଼ାଯାଉଛି।

ଏହି ବ୍ଲକ୍‌ର ଲୁହାପଙ୍କ ପଞ୍ଚାୟତ କୁଟାସିଙ୍ଗା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୧ ଜଣ ପିଲା ପାଠ ପଢ଼ୁଛନ୍ତି। ପିଲାମାନଙ୍କ ପାଇଁ ଶ୍ରେଣୀଗୃହ ରହିଛି ହେଲେ ୩ଟିରେ ପିଲାମାନେ ବସି ପାଠ ପଢ଼ି ପାରିବେ। ଅନ୍ୟଗୁଡ଼ିକ ଅବସ୍ଥା ବିପର୍ଯ୍ୟସ୍ତ। ତଥାପି ତୃତୀୟ ଓ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ସବୁବେଳେ ସ୍କୁଲ୍‌ ବାରଣ୍ଡାରେ ବସୁଛନ୍ତି। ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭଙ୍ଗା ଟାଇଲ୍‌ ଛପର ଘରେ ବସୁଛନ୍ତି। ପଞ୍ଚମ ଶ୍ରେଣୀର ପିଲାମାନେ ଏକ ଦୁର୍ବଳ ଛାତ ଘରେ ବସି ପାଠ ପଢ଼ୁଛନ୍ତି। ଟିକେ ବର୍ଷା ହେଲେ ବାରଣ୍ଡା ସମେତ ଶ୍ରେଣୀଗୃହରେ ପାଣି ପଶୁଛି। ମୋଟାମୋଟି କୌଣସି ଶ୍ରେଣୀଗୃହର ଅବସ୍ଥା ଭଲ ନାହିଁ। ଏ ନେଇ ସ୍କୁଲ୍‌ ଶିକ୍ଷା କମିଟି ପକ୍ଷରୁ ବ୍ଲକ୍‌ ପ୍ରଶାସନ ଓ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ମାତ୍ର କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଏ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପ୍ରତିକାର ବ୍ୟବସ୍ଥା କରା ନଗଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସ୍କୁଲ୍‌ ଶିକ୍ଷା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

ଘଟଣା ସଂପର୍କରେ ବ୍ଲକ୍‌ ଶିକ୍ଷା ଅଧିକାରୀ ଭଗବାନ ବାଙ୍କିରାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ମୁଁ ନୂତନ ଭାବେ ଯୋଗ ଦେଇଛି। ସମସ୍ୟା ସଂପର୍କରେ ଅବଗତ ନାହିଁ। ତେବେ ଖୁବ୍‌ଶୀଘ୍ର ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର