ବାଲେଶ୍ୱର : ଚଳିତବର୍ଷ ବାଲେଶ୍ୱର ସରକାରୀ ମେଡ଼ିକାଲ କଲେଜ ପାଠପଢ଼ାରେ ଅନିଶ୍ଚୟତା ଦେଖାଦେଇଛି। ପୂର୍ବ ନିର୍ଧାରିତ ନିଷ୍ପତ୍ତି ଅନୁସାରେ ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କଲେଜରେ ନୂଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମନରେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କେଉଁ କାରଣରୁ ପାଠପଢ଼ା ବିଳମ୍ବିତ ହେଉଛି, ମେଡିକାଲ କଲେଜ ଏ ସଂପର୍କରେ ସ୍ପଷ୍ଟ କରୁ ନଥିବା ଜଣାପଡ଼ିଛି।
ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷ ପାଠପଢ଼ା ଆରମ୍ଭ ନେଇ ସରକାରୀ ଘୋଷଣା ପରେ ନିଟ୍ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ବଡ଼ ଆଗ୍ରହର ସହ ନାମ ଲେଖାଇଥିଲେ। ବାଲେଶ୍ୱର ମେଡିକାଲ କଲେଜରେ ୧୦୦ଟି ସିଟ୍ ରହିଥିବା ବେଳେ ଏ ପର୍ଯ୍ୟନ୍ତ ୮୪ ଜଣ ଛାତ୍ରଛାତ୍ରୀ ନାଁ ଲେଖାଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବଭାରତୀୟ କୋଟା ପାଇଁ ଉଦ୍ଦିଷ୍ଟ ୧୫ଟି ସିଟ୍ ମଧ୍ୟରୁ ୪ ଜଣ ନାମ ଲେଖାଇଥିବାବେଳେ ରାଜ୍ୟସ୍ତରୀୟ କୋଟାରେ ଥିବା ୮୫ ସିଟ୍ରୁ ପ୍ରଥମ ପର୍ଯ୍ୟାୟରେ ଓଜେଇଇ କାଉନସେଲିଂ ଜରିଆରେ ୮୧ ଜଣ ନାମ ଲେଖାଇଛନ୍ତି। ତେଣୁ ସର୍ବଭାରତୀୟ କୋଟାରେ ବଳକା ଥିବା ୧୧ଟି ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ହେବା କଥା। ମାତ୍ର ଗତ ୨୦ ତାରିଖରେ ସର୍ବଭାରତୀୟ କୋଟା ଆବଣ୍ଟନକୁ ନେଇ ମୁମ୍ବାଇ ହାଇକୋର୍ଟର ନାଗପୁର ବେଞ୍ଚ୍ରେ ହୋଇଥିବା ଏକ ମାମଲାର ଶୁଣାଣି କରି ଅଦାଲତ ସାମୟିକ ଭାବେ ଏହା ଉପରେ ସ୍ଥଗିତାଦେଶ ଦେଇଥିଲେ। ସେହିପରି ମାଡ୍ରାସ ହାଇକୋର୍ଟରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆଡ୍ମିସନରେ ମାର୍କକୁ ନେଇ ଏକ ମାମଲା ହେବାରୁ କୋର୍ଟ ସ୍ଥଗିତାଦେଶ ଦେଇଥିଲେ। ସେଥିପାଇଁ ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହେବାନେଇ କୌଣସି ସୂଚନା ଆସିନଥିବା ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ନାମ ଲେଖାଇ ସାରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ସଫେଇକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।
ରାଜ୍ୟର ଅନ୍ୟ ମେଡିକାଲ କଲେଜଗୁଡ଼ିକରେ ଅଗଷ୍ଟ ପ୍ରଥମ ସପ୍ତାହରୁ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବାବେଳେ କୋର୍ଟର ସ୍ଥଗିତାଦେଶ ଆଳରେ ବାଲେଶ୍ୱର ମେଡିକାଲ କଲେଜ କର୍ତ୍ତୃପକ୍ଷ ନିଜ ଦୁର୍ବଳତାକୁ ଲୁଚାଉଥିବା ଅଭିଯୋଗ ହୋଇଛି।
ପାଠପଢ଼ା ଆରମ୍ଭ ନେଇ ଏଠାରେ ଏବେ ସୁଦ୍ଧା ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ସରିନଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Balasore-medical-college.jpg)