କ୍ଲାସିକାଲ ଓଡ଼ିଆ ରାଷ୍ଟ୍ରପତି ପୁରସ୍କାର ଚୟନ ମାମଲାରେ କିଛି ବେଆଇନ ହୋଇନାହିଁ: ହାଇକୋର୍ଟ

କଟକ : ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ୨୦୧୯ ବର୍ଷ ପାଇଁ କ୍ଲାସିକାଲ ଓଡ଼ିଆରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନକୁ ବିରୋଧ କରି ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏହି ପୁରସ୍କାର ପାଇଁ ଶ୍ରୀ ମିଶ୍ରଙ୍କ ଚୟନ ସଂପର୍କିତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିବା ସହିତ ଏଥିରେ କିଛି ବେଆଇନ ହୋଇନାହିଁ ବୋଲି କହିଛନ୍ତି। ଏହି ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାର ଦୁଇଟି ଭାଗ ରହିଥିଲା। ପ୍ରଥମେ ପ୍ରାକ୍ ତର୍ଜମା ପରେ ସ୍କ୍ରିନିଂ କମିଟି ପ୍ରାର୍ଥୀଙ୍କ ନାଁ ଅନୁମୋଦନ କରିଥିଲା। ଏହାପରେ ଚୟନ କମିଟିକୁ ଏହି ନାଁ ଦିଆଯାଇଥିଲା। ପରେ ଏହା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ପରେ ରାଷ୍ଟ୍ରପତିଙ୍କ ଦ୍ବାରା ଅନୁମୋଦନ ହୋଇଥିଲା। ଶ୍ରୀ ମିଶ୍ରଙ୍କ ନାଁ ସୁପାରିସ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଚୟନ କମିଟିର ସଦସ୍ୟ ଥିବା ଶ୍ରୀ ସୋମନାଥ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୋପବନ୍ଧୁ ମିଶ୍ର ଚୟନ କମିଟି ସଦସ୍ୟ ହୋଇଥିବାରୁ ଚୟନ ପ୍ରକ୍ରିୟା ଅସିଦ୍ଧ ବୋଲି କୁହାଯାଇ ପାରିବ ନାହିଁ। ଚୟନ କମିଟିରେ ଥିବା ୧୦ ଜଣ ଲବ୍ଧ ପ୍ରତିଷ୍ଠ ବ୍ୟକ୍ତିଙ୍କ ମଧ୍ୟରୁ ଗୋପବନ୍ଧୁ ମିଶ୍ର ଜଣେ ହୋଇଥିବା ବେଳେ ଚୟନ ସଂପର୍କିତ ନିଷ୍ପତ୍ତି ସର୍ବସମ୍ମତ ଥିବା ଦୃଷ୍ଟିରୁ ସମସ୍ତ ପ୍ରକ୍ରିୟା ଅସିଦ୍ଧ ବୋଲି କହି ହେବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଏଥି ସହିତ ଯୋଗ୍ୟତା ପ୍ରସଂଗରେ ହାଇକୋର୍ଟ କହିଛନ୍ତି ଯେ ଶ୍ରୀ ମିଶ୍ରଙ୍କ କେବଳ ପିଏଚଡି ଡିଗ୍ରି ନଥିବାରୁ ସେ ଏହି ପୁରସ୍କାରରୁ ବଞ୍ଚିତ ହୋଇ ପାରିବେ ନାହିଁ। ଏହି ପୁରସ୍କାର ପ୍ରଦାନ ବେଳେ ଶିକ୍ଷାଦାନ ଅନୁଭବ ଓ ଗବେଷଣା ପ୍ରସଂଗକୁ ଅନ୍ୟ ପ୍ରସଂଗ ସହିତ ବିଚାରକୁ ନିଆଯାଇ ପାରେ। ସ୍କ୍ରୁଟିନି କମିଟି ସହିତ ଚୟନ କମିଟିର ମତ ଯୁକ୍ତିଯୁକ୍ତ ଓ ପୁରସ୍କାର ପାଇଁ ଶ୍ରୀ ମିଶ୍ରଙ୍କ ଚୟନରେ କୌଣସି ବେଆଇନ କାର୍ଯ୍ୟ ହୋଇ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ନଟବର ଶତପଥୀଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କ୍ଲାସିକାଲ ଓଡ଼ିଆରେ ରାଷ୍ଟ୍ରପତି ପୁରସ୍କାର ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଚୟନକୁ ବିରୋଧ କରି ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ଦାୟର ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ରାଷ୍ଟ୍ରପତି ପୁରସ୍କାର ପାଇଁ ଆବଶ୍ୟକ ଯେଗ୍ୟତା ନଥିବା ଶ୍ରୀ ମିଶ୍ରଙ୍କୁ ଏଥିପାଇଁ ଚୟନ କରାଯାଇଛି। ଶିକ୍ଷାଦାନ ଅଭିଜ୍ଞତା ନେଇ ଶ୍ରୀ ମିଶ୍ର ଦେଇଥିବା ତଥ୍ୟ ଅବିଶ୍ବସନୀୟ ଓ ମନଗଢା। ସେ କୌଣସି ବିଶ୍ବବିଦ୍ୟାଳୟରୁ ପିଏଚଡି ଡିଗ୍ରି ପାଇ ନାହାନ୍ତି। ସେ ଓଡ଼ିଆ ଭାଷା, ସାହିତ୍ୟ , ଇତିହାସ ଓ ସଂସ୍କୃତି ଉପରେ କୌଣସି କାର୍ଯ୍ୟ କରି ନାହାନ୍ତି। ତାଙ୍କର କୌଣସି ବହି ଟେକ୍ସ୍‌ଟ ବୁକ୍ ଭାବେ ସ୍ବୀକୃତି ପାଇ ନାହିଁ। କ୍ଲାସିକାଲ ଓଡ଼ିଆରେ ସେ କୌଣସି ଗବେଷଣା ମଧ୍ୟ କରି ନାହାନ୍ତି। ତେଣୁ ତାଙ୍କୁ ଜଣେ ସ୍କଲାର ଭାବେ ଗ୍ରହଣ କରଯାଇ ପାରିବ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏଥି ସହିତ ଏହି ପୁରସ୍କାର ପାଇଁ ଶ୍ରୀ ମିଶ୍ରଙ୍କ ନାଁ ପ୍ରଫେସର ଗୋପବନ୍ଧୁ ମିଶ୍ର ପ୍ରଥମେ ଅନୁମୋଦନ କରିଥିଲେ ଓ ପରବର୍ତ୍ତୀ ସମୟରେ ସେ ଚୟନ କମିଟି ସଦସ୍ୟ ହୋଇଥିଲେ। ଏଭଳି ସ୍ଥିତିରେ ସମଗ୍ର ଚୟନ ପ୍ରକ୍ରିୟା ଅସିଦ୍ଧ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ମାମଲାରେ ପ୍ରତିପକ୍ଷଙ୍କ ପକ୍ଷରୁ ଦାଖଲ ଜବାବରେ ଏପରି ଅଭିଯୋଗକୁ ଅସ୍ବୀକାର କରାଯାଇଥିଲା।

ସମ୍ବନ୍ଧିତ ଖବର