ଭାଷାର ସୀମା ସରହଦ ନାହିଁ: ରାଜ୍ୟପାଳ

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

ଭୁବନେଶ୍ବର : ଓଡ଼ିଆ ଲିପି ଭିତରେ ଚକାନୟନଙ୍କୁ ଦେଖିହୁଏ। ଏହି ଲିପିର ସମାହାରରେ ଓଡ଼ିଆ ଭାଷାର ସୃଷ୍ଟି। ଯେଉଁଥିରେ ରହିଛି ସ୍ବୟଂ ମହାପ୍ରଭୁ ଜଗନ୍ନାଥଙ୍କ ଉପସ୍ଥିତି। ଭାଷା କେବଳ ମଣିଷର ଅସ୍ମିତା ନୁହେଁ, ଏହା ହୃଦୟକୁ ହୃଦୟ ସହ ଯୋଡ଼େ। ନଦୀ ଓ ଆକାଶ ଭଳି, ଭାଷାର ବି ସୀମା ସରହଦ ନଥାଏ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ ଅବସରରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ କେନ୍ଦ୍ର ପକ୍ଷରୁ ଆୟୋଜିତ ‘ଐତିହାସିକ ଦୃଷ୍ଟିକୋଣରୁ ଶାସ୍ତ୍ରୀୟ ଓଡ଼ିଆ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରର ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଲାଲ୍‌।

ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ କହିଲେ, ଭାଷା ଓ ଅଗ୍ନି ହେଉଛି ମଣିଷର ଦୁଇଟି ବିସ୍ମୟକର ଆବିଷ୍କାର। ଭାଷା ବିନା ସାହିତ୍ୟ ଓ ସଂସ୍କୃତି ବିଷୟରେ ଚିନ୍ତା କରାଯାଇପାରେନ‌ା ବୋଲି ଶ୍ରୀମତୀ ରାୟ ମତପୋଷଣ କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷାକୁ ଅବଦାନ ପାଇଁ ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ବି ଏନ୍‌ ପଟ୍ଟନାୟକ, ପ୍ରଫେସର ଡି ଜି ରାଓ ଓ ପ୍ରଶାସନିକ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରଫେସର ଶୈଳେନ୍ଦ୍ର ମୋହନ ସ୍ବାଗତ ଭାଷଣ ଦେଇଥିଲେ। ସିଆଇଆଇଏଲ୍‌ର ଶାସ୍ତ୍ରୀୟ ଭାଷା ମୁଖ୍ୟ ପ୍ରଫେସର ସି ଭି ଶିବରାମାକ୍ରିଷ୍ଣା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଭାଷାବିତ୍‌ ଦେବାଶିଷ ମହାପାତ୍ର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର