ଏଫ୍‌ଏମ୍‌ୟୁରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

ବାଲେଶ୍ବର: ଫକୀରମୋହନ ବିଶ୍ଵବିଦ୍ୟାଳୟର ଫକୀରମୋହନ ସାହିତ୍ୟଘର ଆନୁକୂଲ୍ୟରେ ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ଓଡ଼ିଆ ଏକ ବିଜ୍ଞାନ ସମ୍ମତ ଭାଷା ଏବଂ ଏହି ଭାଷାର ବ୍ୟବହାରିକ ଦିଗ ପ୍ରତି ସମସ୍ତ ଓଡ଼ିଆ ସଚେତନ ରହିବା ଉଚିତ ବୋଲି ମତ ଦେଇଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଓଡ଼ିଆ ବର୍ଣ୍ଣମାଳାର ସ୍ଵତନ୍ତ୍ର ଶାସ୍ତ୍ରୀୟ ଲକ୍ଷଣ ବିଷୟରେ ଆଲୋଚନା କରି ଓଡ଼ିଆ ଭାଷାର ଶାସ୍ତ୍ରୀୟ ରୂପ ଅତି ଆକର୍ଷଣୀୟ ଓ ପ୍ରଭାବଶାଳୀ ବୋଲି ମତ ଦେଇଥିଲେ। ଫକୀରମୋହନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଡ.ଶିରିଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଓଡ଼ିଆଭାଷାର ପ୍ରାଚୀନତା, ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଭୂତପୂର୍ବ ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ଉପସ୍ଥିତ ରହି ଓଡ଼ିଆ ଭାଷା ଆମର ଜାତୀୟ ଅସ୍ମିତା, ତେଣୁ ଭାଷା ବଞ୍ଚିରହିଲେ ଜାତି ବଞ୍ଚିରହିବ ବୋଲି ମତ ଦେଇଥିଲେ। ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଓଡ଼ିଆ ଭାଷାର ମୌଳିକ ଓ ସ୍ଵତନ୍ତ୍ର ଶାସ୍ତ୍ରୀୟ ଲକ୍ଷଣ ସମ୍ପର୍କରେ ଆଲୋଚନା କରି ଓଡ଼ିଆ ଭାଷା ବିଶ୍ୱର ଏକ ମାତ୍ର ସ୍ଵରାନ୍ତ ଭାଷା ବୋଲି କହିଥିଲେ। ସହଯୋଗୀ ପ୍ରଫେସର ଡ.ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସ୍ନାତକୋତ୍ତର ଦ୍ଵିତୀୟ ବର୍ଷର ଛାତ୍ର ବିଜୟ କୁମାର ଜେନା ବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନା କରିଥିଲେ। ସମ୍ପାଦକ ବବଲୁ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର