ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ବ୍ଲକ୍ର ଏକ ପୁରାତନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ନା ଗୃହ ଅଛି ନା ସୁରକ୍ଷିତ ଶୌଚାଳୟ ଅଛି। ଏପରିକି ସୁରକ୍ଷା ଦୃଷ୍ଟିରୁ ପାଚେରି ମଧ୍ୟ ନାହିଁ। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଜିଲ୍ଲା ସଦର ମହକୁମାଠାରୁ ମାତ୍ର କେଇ କିମି ଦୂରରେ ଥିବା ଜହ୍ନିପଦା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ମାତ୍ର ୪ଟି ଶ୍ରେଣୀଗୃହ ରହିଛି। ୧୯୫୩ ମସିହାରେ ଜହ୍ନିପଦାଠାରେ ସ୍ଥାପନ କରାଯାଇଥିବା ଏହି ପ୍ରାଥମିକ ବିଦ୍ୟାଳୟ ୨୦୧୦ ମସିହାରେ ଅପ୍ଗ୍ରେଡ୍ ହୋଇ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇଥିଲା। ଇତିମଧ୍ୟରେ ଏହି ବିଦ୍ୟାଳୟ ଅପଗ୍ରେଡ୍ ହେବାର ପ୍ରାୟ ୮ ବର୍ଷରୁ ଅଧିକ ସମୟ ବିତିଯାଇଛି। କିନ୍ତୁ ଏଠାରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନିର୍ମାଣ କରାଯାଇନାହିଁ।
ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଅଭିଭାବକଙ୍କ ପର୍ଯ୍ୟନ୍ତ ବାରମ୍ବାର ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ ଏହା ବାସ୍ତବ ରୂପ ନେଇପାରିନି। କେବଳ ପ୍ରତିଶ୍ରୁତିରେ ବିଦ୍ୟାଳୟ ଗୃହ ନିର୍ମାଣ ଅଟକି ରହିଛି। ସ୍କୁଲ୍ରେ ବର୍ତ୍ତମାନ ୮୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଗୋଟିଏ ଶ୍ରେଣୀରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ ବସୁଛନ୍ତି। ଶ୍ରେଣୀ ଗୃହ ଛୋଟ ଥିବାରୁ ଗୋଟିଏ ଶ୍ରେଣୀଗୃହରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ ବସିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନାହିଁ। କିଛି ଶ୍ରେଣୀର ଛାତ୍ରଛାତ୍ରୀ ବାରଣ୍ଡାରେ ମଧ୍ୟ ବସୁଛନ୍ତି। ବାରଣ୍ଡାରେ ବସୁଥିବା ପିଲାମାନେ ଖରାଦିନେ ସିଝୁଥିବା ବେଳେ ବର୍ଷାଦିନେ ଭିଜୁଛନ୍ତି। ଏହି ବିଦ୍ୟାଳୟରେ ଶୌଚାଳୟ ଥିଲେ ମଧ୍ୟ ଏହା ଭଗ୍ନ ଅବସ୍ଥାରେ ରହିଛି। କେତେବେଳେ ଯେ ଭୁଶୁଡ଼ିପଡ଼ି ଅଘଟଣ ନଘଟିବ କେହି କହିପାରିବେ ନାହିଁ। ଏହି ବିପଦସଂକୁଳ ଶୌଚାଳୟକୁ ଛାତ୍ରୀମାନେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
କେବଳ ଏତିକି ନୁହେଁ, ଏଠାରେ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ଗୃହ ନଥିବା ବେଳେ ଏକ କନ୍ଦିରେ ପ୍ରଧାନ ଶିକ୍ଷକ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି। ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ଗୃହ ନଥିବା ବେଳେ ଖାଦ୍ୟ ପ୍ରସ୍ତୁତି ପାଇଁ ପାଚିକା, ସହାୟିକା ହନ୍ତସନ୍ତ ହେଉଛନ୍ତି। ବିଦ୍ୟାଳୟ ପାର୍ଶ୍ବରେ ଏକ ବିରାଟ ଗଭୀର ପୋଖରୀ ଥିବା ବେଳେ ବିଦ୍ୟାଳୟ ଚାରିପାର୍ଶ୍ବରେ ପାଚେରି ନଥିବାରୁ ଦୁର୍ଘଟଣାର ଆଶଙ୍କା ରହିଛି। କେବଳ ନାମକୁମାତ୍ର ତାର ଜାଲି ବୁଲାଇ ଦିଆଯାଇଛି। କିନ୍ତୁ ଏହି ବିଦ୍ୟାଳୟକୁ ପ୍ରଥମରୁ ପଞ୍ଚମ ଭଳି ଶ୍ରେଣୀ ଭଳି ଛୋଟ ପିଲାମାନେ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଅନ୍ତତଃପକ୍ଷେ ଏଠାରେ ପାଚେରୀ ନିର୍ମାଣର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ବିଦ୍ୟାଳୟର ଏଭଳି ସମସ୍ୟା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୃହ ନିର୍ମାଣ କରାଯାଇନାହିଁ। ପିଲାମାନଙ୍କୁ ସୁରୁଖୁରରେ ପାଠ ପଢାଇବା ନିମନ୍ତେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ସ୍ଥାନୀୟ ସମାଜସେବୀ ଅରୁଣ ରାଉତରାୟ ଦାବି କରିଛନ୍ତି।