ନୟାଗଡ଼ ଜିଲ୍ଲାରେ ବିଚିତ୍ର ଶିକ୍ଷା ବ୍ୟବସ୍ଥା : ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢ଼ୁଛନ୍ତି ୮ଟି ଶ୍ରେଣୀର ଛାତ୍ରଛାତ୍ରୀ

ଦଶପଲ୍ଲା : ଶିକ୍ଷା ବିଭାଗର ବିଚିତ୍ର ନୀତି। ବିଦ୍ୟାଳୟର ଗୋଟିଏ ମାତ୍ର ଶ୍ରେଣୀ ଗୃହରେ ବର୍ଷବର୍ଷ ଧରି ପାଠ ପଢ଼ିଆସୁଛନ୍ତି ପ୍ରଥମଠାରୁ ୮ମ ଶ୍ରେଣୀର ଛାତ୍ରଛାତ୍ରୀ। କିଛି ଶ୍ରେଣୀର ଛାତ୍ରଛାତ୍ରୀ ବାରଣ୍ତାରେ ବସି ପାଠପଢ଼ୁଥିବା ବେଳେ ଆଉ କିଛି ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ବସି ପାଠ ପଢୁଛନ୍ତି। ଏଥି ସହିତ ଏହି ଶ୍ରେଣୀ ଗୃହରେ ମଧ୍ୟ ଚାଲିଛି ବିଦ୍ୟାଳୟର ଅଫିସ କାର୍ଯ୍ୟ। ଖରା, ବର୍ଷା କି ଶୀତ ଦିନରେ ମଧ୍ୟ ଛାତ୍ରଛାତ୍ରୀମାନେ ଏକାଠି ବସିବା ସାଙ୍ଗକୁ ସମସ୍ତଙ୍କୁ ଏକ ସଙ୍ଗରେ ପାଠ ପଢ଼ାଉଛନ୍ତି ୫ ଜଣ ଶିକ୍ଷକ। କାନକୁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ଘଟଣା ସତ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ପ୍ରାୟ ୧୦ କିମି ଦୂର ମଧ୍ୟଖଣ୍ତସ୍ଥିତ ମହାନ୍ତିପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଶିକ୍ଷା ବିଭାଗର ପାରିବାପଣିଆକୁ ପଦାରେ ପକାଇ ଦେଇଛି। ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନେ ଯେଭଳି ସୁବିଧାରେ ପାଠ ପଢ଼ିବା ସାଙ୍ଗକୁ ବିଭିନ୍ନ ସୁବିଧା ସୁଯୋଗ ପାଇ ପାରିବେ, ସେଥିପାଇଁ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରି ଚାଲିଥିବା ବେଳେ, ଏଠି କିନ୍ତୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି। ୧୯୫୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟଟିରେ ମହାନ୍ତିପଲ୍ଲୀ ସମେତ ଆଖପାଖ ଗ୍ରାମର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରି ଆସୁଛନ୍ତି। ଚଳିତ ବର୍ଷ ଏହି ବିଦ୍ୟାଳୟରେ ୩୬ ଜଣ ଛାତ୍ର ଓ ୨୦ ଜଣ ଛାତ୍ରୀଙ୍କ ସମେତ ମୋଟ ୫୬ ଜଣ ଅଧ୍ୟୟନ କରୁଛନ୍ତି। କିନ୍ତୁ ବଡ଼ କଥା ହେଉଛି ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ଅଭିଯାନରୁ ଦୁଇଦୁଇ ଥର ଅର୍ଥ ମଞ୍ଜୁର ହୋଇଥିବା ବେଳେ, ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଓ ରାଜନୈତିକ ଶତ୍ରୁତାକୁ ନେଇ ସେହି ଅର୍ଥ ଫେରିଯାଇଥିବା କୁହାଯାଉଛି।

ସରକାରଙ୍କ କିଶୋରୀ ବାଳିକା ସ୍ବଚ୍ଛତା ଯୋଜନା ମାଧ୍ୟମରେ ଛାତ୍ରୀଙ୍କ ପାଇଁ ନାପ୍‌କିନ୍ କିଟ୍ ପ୍ରଦାନ କରାଯାଉଥିବା ବେଳେ, ୩ ମାସ ହେଲା ଛାତ୍ରୀମାନଙ୍କୁ ଏହି କିଟ୍ ପ୍ରଦାନ କରାଯାଇ ନଥିବା ଅଭିଯୋଗ ହେବା ପରେ, ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଆଜି ତରବରିଆ ଭାବେ ନାପ୍‌କିନ୍‌ ପ୍ରଦାନ କରି ଦିଆଯାଇଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ସରପଞ୍ଚ ଗଣେଶ୍ବର ନାୟକଙ୍କ କହିବା ଅନୁଯାୟୀ, ବିଭିନ୍ନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଏହାକୁ ନେଇ ବିଭିନ୍ନ କମିଟି ବୈଠକରେ ଅଭିଯୋଗ ହୋଇଥିବା ବେଳେ, କୌଣସି ଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସେ କହିଛନ୍ତି। କିନ୍ତୁ ଏହାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତନୁ ସାହୁ ଖଣ୍ତନ କରିଛନ୍ତି।

ସମ୍ବନ୍ଧିତ ଖବର