ନିର୍ମାଣାଧୀନ ପୋଲ କାମ ବେଳେ ମାଟି ଓ କଂକ୍ରିଟ୍‌ ଧସିଲା : ଜଣେ ଶ୍ରମିକ ମୃତ, ୫ ଗୁରୁତର

ଉତ୍ତ୍ୟକ୍ତ ଶ୍ରମିକଙ୍କ ମାଡ଼ରେ ୨ ଆହତ, ଠିକାଦାରଙ୍କ ନାମରେ ମାମଲା ରୁଜୁ

ବାରିପଦା/ବେତନଟୀ : ନିର୍ମାଣଧୀନ ପୋଲ କାମ ଚାଲିଥିବାବେଳେ ହଠାତ ଶ୍ରମିକଙ୍କ ଉପରେ ମାଟି ଓ କଂକ୍ରିଟ୍‌ ଖସିପଡ଼ିଲା। ଏଥିରେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକ ଏବଂ ସ୍ଥାନୀୟ ଲୋକେ ମିଶି ମୁଖ୍ୟ ଶ୍ରମିକ, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ଗୁରୁବାର ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।

ବେତନଟୀ ଥାନା ଓରାଚନ୍ଦାବିଲା ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ୧୧ କୋଟି ବ୍ୟୟରେ ଏକ ପୋଲ ନିର୍ମାଣ ହେଉଛି। ଆଜି ସକାଳେ ମୁଖ୍ୟ ଶ୍ରମିକ ଶତ୍ରୁଘ୍ନ ମହାଳିକଙ୍କ ନିର୍ଦେଶ କ୍ରମେ ୬ ଜଣ ଶ୍ରମିକ ପୋଲର ଶେଷ ୱେଲ୍‌ରେ ପଶିଥିଲେ। ଶ୍ରମିକମାନେ କାମ କରୁଥିବାବେଳେ ହଠାତ୍‌ ‌ୱେଲ୍‌ର କାନ୍ଥ ଧସିଯାଇଥିଲା। ଫଳରେ ରାସଗୋବିନ୍ଦପୁର ଥାନା ଧାନଶୋଳ ଗ୍ରାମର ଦୀପକ ସିଂ (୨୨)ଙ୍କ ସହ ଅନ୍ୟ ୫ ଜଣ ଶ୍ରମିକ ମାଟି, କଂକ୍ରିଟ୍‌ ତଳେ ଚାପି ହୋଇ ଯାଇଥିଲେ। ପାଖରେ ଥିବା ଅନ୍ୟ କର୍ମଚାରୀମାନେ ସମସ୍ତଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଦୀପକଙ୍କର ମୃତ୍ୟୁ ହୋଇ ଯାଇଥିଲା। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅନୁପସ୍ଥିତରେ ବିପଦପୂର୍ଣ୍ଣ କାର୍ଯ୍ୟ ହେଉଥିବା ତଥା ବିନା ସୁରକ୍ଷାରେ ଶ୍ରମିକମାନଙ୍କୁ କାମ କରାଉଥିବା ଅଭିଯୋଗ କରି ମୁଖ୍ୟ ଶ୍ରମିକ ଶ୍ରୀ ମହାଳିକ ଓ ତାଙ୍କ ସହାୟକଙ୍କୁ ମାଡ଼ ମରାଯିବା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।

ଅନ୍ୟପକ୍ଷରେ ମୃତ ଦୀପକଙ୍କ କକା ମହେଶ୍ବର ସିଂ ଏ ନେଇ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସ୍‌କେକେ କମ୍ପାନି ନାମରେ କେସ୍ ନଂ ୨୭/୨୧ରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର