ଭୂତ ଫାଇଲ୍‌ରେ ମାଟି କାମ! ଡିଆର୍‌ଡିଏର ଫଳକ ଲାଗିଛି, ପିଡି କହିଲେ ଜାଣି ନାହାନ୍ତି

ବଲାଙ୍ଗୀର : ଶ୍ରମିକ କରିବାକୁ ଥିବା କାମ ମେସିନରେ କରାଯାଉଛି। ମନରେଗା ହେଉ କି ଆଉ କିଛି କାମ, ପ୍ରଥମରେ ସ୍ଥାନୀୟ ଶ୍ରମିକଙ୍କୁ ଆଗ୍ରାଧିକାର ଦେବାର ସମୟ। ଏପରିକି ସରକାରୀ ନିୟମ ବି ରହିଛି। କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ମେସିନ ସବୁଠି କରୁଛି କାମ। ଏପରିକି ବିନା କାଗଜପତ୍ରରେ କାମ ହେଉଛି। ସମୟ ଦେଖି ଦଲିଲ କରି ଟଙ୍କା ଉଠୁଛି। ମୁରିବାହାଲ ବ୍ଲକ୍‌ ଅଂଚଳରେ ଏଭଳି ଏକ ଭୂତ ଫାଇଲରେ କାମ ଚାଲିଥିବା ବେଳେ ପୂରା କାରନାମା ସାମ୍ନାକୁ ଆସିଛି। କାମର କୌଣସି କାଗଜପତ୍ର ହୋଇନଥିବା ବେଳେ ବେଆଇନ ଭାବରେ ବୋର୍ଡ ମାରି ବ୍ଲକ୍‌ ଅଧ୍ୟକ୍ଷ କାମ ସାରି ଦେଇଛନ୍ତି। ଯାହାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁସାରେ, ମୁରିବାହାଲ ବ୍ଲକ୍‌ରେ ଟୁନଟୁନିମୁଡ଼ା ମାଟି କାମ ହୋଇଛି। ଏସ୍‌ଏଫ୍‌ସି ପାଣ୍ଠିରେ କାମ କରାଯାଇଥିଲେ ବି ଶ୍ରମିକଙ୍କୁ ଲଗାଯାଇନି। ବରଂ ମେସିନ ଲଗାଇ କାମ କରାଯାଇଛି। ଯାହାକି ବେଆଇନ। ଏପରିକି ନିୟମ ଅଛି କୌଣସି ମାଟି କାମ ଜୁନ୍‌ ୧୫ ପରେ ହୋଇପାରିବ ନାହିଁ। କିନ୍ତୁ ଏ କାମଟି ଜୁନ୍‌ ୧୬ ତାରିଖରୁ ଆରମ୍ଭ ହୋଇଥିବା ଜଣାପଡ଼ିଛି। ସବୁଠୁ ବଡ଼ କାରନାମା ହେଲା ସରକାରୀ ଫଳକ ଲାଗିଥିଲେ ବି ସରକାରୀ କାଗଜପତ୍ରରେ ଉକ୍ତ ପ୍ରକଳ୍ପର ନାଁ ଗନ୍ଧ କିଛି ନାହିଁ। ବ୍ଲକ୍‌ରେ ଦଲିଲ ଦସ୍ତାବିଜ ହେବା ଆଗରୁ ତରବରିଆ ଭାବେ ଫଳକ ଲଗାଇ ବ୍ଲକ୍‌ ଅଧ୍ୟକ୍ଷ ହଂସରାଜ ଜୈନ କାମ କରିଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏବେ ବ୍ଲକ୍‌ରେ ବୁଝାବୁଝି କରିବାରୁ ଏ କାମର କୌଣସି ଫାଇଲ ନାହିଁ। ଏପରିକି ପଞ୍ଚ‌ାୟତରେ ବି ସେପରି କିଛି ଦଲିଲ ଦସ୍ତାବିଜ ନାହିଁ। ଏପରି କାମରେ ପଂଚାୟତର ଇଓଙ୍କୁ ଦାୟିତ୍ୱ ଦିଆଯାଇଥାଏ। ହେଲେ ପଞ୍ଚାୟତ ଇଓ କିଛି ଜାଣିନାହାନ୍ତି। କିନ୍ତୁ ଫାଇଲ ଖୋଲିବା ଆଗରୁ କାମ ସରିଗଲାଣି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ମୁରିବାହଲା ବ୍ଲକ୍‌ ଦାଦନ ପ୍ରବଣ ଅଂଚଳ ଭାବରେ ଜଣାଶୁଣା। ଏମିତି ବି କାମଧନ୍ଦା ଅଭାବ ଥାଏ। ଆଉ ଏବେ କରୋନା ସମୟରେ କାମଧନ୍ଦା ଅଭାବରୁ ହାତବାନ୍ଧି  ବସିଛନ୍ତି ସ୍ଥାନୀୟ ଲୋକେ। କିନ୍ତୁ ନେତାଙ୍କ ହରିଲୁଟ ଯୋଜନା। ବେଆଇନ ଭାବରେ କାମ କରି ପରେ ଦଲିଲ ତିଆରି କରି ହରିଲୁଟ ହେଉଛି ସରକାରୀ ଯୋଜନାର ଅର୍ଥ। ଏହି କାମ ଫାଇଲ ଖୋଲିବା ଆଗରୁ କେମିତି ହେଲା? ଫଳକ ଉପରେ ଡିଆର୍‌ଡିଏ ଲେଖାଯାଇଥିବା ବେଳେ ପିଡିଙ୍କ ପ୍ରତିକ୍ରିୟା ନେବାରୁ ସେ ବି ଜାଣିନଥିବା କହିଥିଲେ। ବ୍ଲକ୍‌ ଅଧ୍ୟକ୍ଷଙ୍କୁ ଏ ନେଇ ପଚରାଯବାରୁ ସବୁ ଠିକ୍‌ଠାକ୍‌ ଅଛି, ଫାଇଲ ବି ଖୋଲାଯାଇଛି ବୋଲି କହୁଛନ୍ତି। କିନ୍ତୁ ଫଳକ ଯଦି ନକଲି ତାହେଲେ ପିଡି କିଂବା ବିଡିଓ ଏତଲା ଦେଉନାହାନ୍ତି କାହିଁକି? ଏ ଦିଗରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ଖୋଲିବ।

ଭାତ ହାଣ୍ଡିରୁ ଗୋଟିଏ
ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗାଁର ଟୁନଟୁନିମୁଣ୍ଡା କାମ ମୁରିବାହାଲ ବ୍ଲକ୍‌ ଦୁର୍ନୀତିର ଭାତହାଣ୍ଡିରୁ ଗୋଟିଏ। ଏଠି ପେନ୍ଥା ପେନ୍ଥା ବେଆଇନ କାମ। ଆଇନ କାନୁନକୁ ଫୁଃ କରି ଦଲିଲ ଖୋଲିବା ଆଗରୁ କାମ ହୋଇଥାଏ। ବ୍ଲକ୍‌ ଅଧ୍ୟକ୍ଷଙ୍କ ବି ବେଶ୍‌ ଦବଦବା। ସେ ହିଁ ସବୁ ହରିଲୁଟ ଯୋଜନାରେ ସଂପୃକ୍ତ ବୋଲି ଅଭିଯୋଗ ହେଉଛି। ଜନପ୍ରତିନିଧି ହୋଇ ଜନତାଙ୍କ କଥା ନଶୁଣି ଏଭଳି ବିଭିନ୍ନ ଯୋଜନାରୁ ବିପତ୍ତି ସମୟରେ ସମ୍ପତ୍ତି ଠୁଳ କରିବା କେତେ ଠିକ ବୋଲି ଅଂଚଳବାସୀ ପ୍ରଶ୍ନ କରୁଛନ୍ତି। ବ୍ଲକ୍‌ରେ ଯାହା କାମ ହେଉଛି ଅଧିକାଂଶ କାମ ନିମ୍ନମାନର। ସବୁର ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଦୁର୍ନୀତି ନିହାତି ପଦାକୁ ଆସିବ ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର