ସ୍ବଚ୍ଛ ବ୍ରହ୍ମପୁର କାଗଜ କଲମରେ: ମାସକୁ କୋଟିଏ ଖର୍ଚ୍ଚ, ତଥାପି…

ବ୍ରହ୍ମପୁର : ବ୍ରହ୍ମପୁର ମହାନଗରକୁ ଆବର୍ଜନାମୁକ୍ତ କରିବା, ସ୍ବଚ୍ଛ ଭାରତ ଅଭିଯାନକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ବିଏମ୍‌ସି ପାଇଁ ବର୍ଷକୁ ଶହ ଶହ କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ସହରବାସୀଙ୍କୁ ସ୍ବଚ୍ଛ ପରିବେଶ ଭିତରେ ବଞ୍ଚିବା ଓ ପ୍ରଦୂଷଣମୁକ୍ତ ସହରରେ ପରିଣତ କରିବାକୁ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସ୍ବଚ୍ଛ ଅଭିଯାନର ସଫଳ ରୂପାୟନ କରି ବିଏମ୍‌ସି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କୃତ ମଧ୍ୟ ହୋଇଛି। ଏତେ ସବୁ ସତ୍ତ୍ବେ ସଚେତନତାର ଅଭାବ ହେଉ କିମ୍ବା ବିଏମ୍‌ସିର ଅପରିଣାମଦର୍ଶିତା ଯୋଗୁଁ, ପରିମଳ ବ୍ୟବସ୍ଥାରେ ସୁଧାର ଆସି ପାରୁନି। କର୍ମଚାରୀଙ୍କ ମାସିକ ଦରମା ବ୍ୟତୀତ କେବଳ ସ୍ବଚ୍ଛତା ଅଭିଯାନ ପରିଚାଳନା ପାଇଁ ମାସିକ ଏକ କୋଟି ଟଙ୍କା ନିଗମ ପକ୍ଷରୁ ବ୍ୟୟ ବରାଦ କରାଯାଉଛି। ହେଲେ ସହରର ଅନେକ ସ୍ଥାନରେ କୁଢ଼ କୁଢ଼ ମଇଳା, ଆବର୍ଜନା ଜମା ହୋଇ ରହୁଥିବା ଲକ୍ଷ୍ୟ କରାଯାଉଛି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ସ˚ପ୍ରତି ନିଗମ ପକ୍ଷରୁ ୪୦ଟି ଵାର୍ଡ଼ରୁ ୩୭ଟି ଵାର୍ଡ଼କୁ ଘରୋଇକରଣ କରା ଯାଇଥିଲେ ସୁଦ୍ଧା କିଛି ବ୍ୟତିକ୍ରମ ଦେଖାଯାଉ ନାହିଁ।

ସ˚ପ୍ରତି ବିଏମ୍‌ସି ଅଧୀନରେ ୫୮୧ ଜଣ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି। ସଫେଇ ଘରୋଇକରଣ ପରେ ଠିକା ସଂସ୍ଥା ଅଧୀନରେ ୯ଶହ ଠିକା କର୍ମଚାରୀ ଅଛନ୍ତି। ୨୦୧୮ ପୂର୍ବରୁ କେବଳ ସଫେଇ କର୍ମଚାରୀଙ୍କ ଦ୍ବାରା ହିଁ ସହରର ସମସ୍ତ ଅଞ୍ଚଳରୁ ଆବର୍ଜନା ଉଠାଇବା ସମ୍ଭବପର ହେଉ ନଥିଲା। ଏଭଳି ସମସ୍ୟାକୁ ଆଖି ଆଗରେ ରଖି ନିଗମ ପକ୍ଷରୁ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ ଅଭିଯାନ ଆରମ୍ଭ କରାଗଲା। ଏହା ଦ୍ବାରା ଅନେକ ମାତ୍ରାରେ ସୁଧାର ଆସିଥିଲେ ହେଁ ଆଶାନୁରୂପେ ସଫଳତା ହାସଲ ହୋଇପାରି ନାହିଁ। ସହରର ପରିମଳ ସୁରକ୍ଷା ବ୍ୟବସ୍ଥାରେ ୯୩ଟି ଗାଡ଼ି ନିୟୋଜିତ ଥିବା ବେଳେ ଏହାକୁ ପରିଚାଳନା କରିବା ପାଇଁ ୯ଜଣ ଇନସ୍ପେକ୍ଟର ଅଛନ୍ତି।

ଡେପୁଟି କମିସନର ରୋମାଞ୍ଚଳ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୪୦ଟି ଵାର୍ଡ଼ରୁ ମଇଳା ସ˚ଗ୍ରହ ପାଇଁ ୪୦ଟି ଗାଡ଼ି ବ୍ୟବହାର ହେଉଥିବା ବେଳେ ସହରରୁ ସଂଗୃହୀତ ଆବର୍ଜନା ମହୁଡ଼ା ସ୍ଥିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ୨୮ଟି ଟ୍ରାକ୍ଟର ନିୟୋଜିତ ଅଛି। ଏହାଛଡ଼ା ଜେସିବି୫ଟି, ହିଟାଚି ୩ଟି, ଲ୍ୟାଡର୍‌, ବଡ଼ ହିଟାଚି ଓ ମିନିଟ୍ରକ ପ୍ରତ୍ୟେକ ୨ଟି ଲେଖାଏଁ ଏହି କାର୍ଯ୍ୟରେ ନିୟୋଜିତ ଅଛି। ସେହିଭଳି କୁକୁରଧଆ, ଗାଈଧରା ଗାଡ଼ି ଓ ସେସ୍‌ପୁଲ ଗାଡ଼ି ନିୟୋଜିତ ରହିଛି।

କେବଳ ସେତିକି ନୁହଁ, ପ୍ରତି ଵାର୍ଡ଼କୁ ଗୋଟିଏ ଗାଡ଼ି ଦେଇ ଉଠା ଯାଉଥିବା ସମସ୍ତ ମଇଳାକୁ ଅଣ୍ତରଗ୍ରାଉଣ୍ତ ଗାର୍ବେଜ ପଏଣ୍ଟ୍‌ରେ ଗଚ୍ଛିତ କରାଯାଉଛି। ସେଠାରୁ ସମସ୍ତ ଆବର୍ଜନା ଚନ୍ଦନିଆ ପାହଡ଼ ଓ ମହୁଡ଼ା ଠାରେ ପ୍ରସ୍ତାବିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି। ଏଥିରେ ୨୦୧୮ ମସିହାରୁ ନିଗମର ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସତ୍ତ୍ବେ ସ୍ଥିତିରେ ସୁଧାର ଆସୁନି। ୯୦ଟି ପଏଣ୍ଟ୍‌ରେ ସହରରୁ ସ˚ଗୃହୀତ ମଇଳାକୁ ସ୍ଥାନାନ୍ତର କରିବା ପାଇଁ କେବଳ ବାର୍ଷିକ ୨ କୋଟି ଟଙ୍କ ୭୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ସହରର ପରିମଳକୁ ଆହୁରି ସ୍ବଚ୍ଛ କରିବା ଲକ୍ଷ୍ୟ ନେଇ ୨୦୧୯ରୁ ରାତ୍ରୀକାଳୀନ ସଫେଇକୁ ଗୁରୁତ୍ବ ଦିଆଯାଇଛି। ତଥାପି ପରିଚାଳନାଗତ ଅବ୍ୟବସ୍ଥା ଓ ସହରବାସୀଙ୍କ ମଧ୍ୟରେ ସଚେତନତା ଅଭାବରୁ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି।

ସେପ୍ଟେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଳାଣ୍ଟ୍‌ କାର୍ଯ୍ୟକ୍ଷମ ଓ ବାହ୍ୟ ମଳତ୍ୟାଗମୁକ୍ତ ଅଞ୍ଚଳ ଭାବେ ଦେଶରେ ସୁନାମ ଅର୍ଜନ କରି ବିଏମ୍‌ସି କେନ୍ଦ୍ର ସରକାରଙ୍କ ଦ୍ବାରା ପୁରସ୍କୃତ ହୋଇଥିବା ବେଳେ ସ˚ପ୍ରତି ଏହାର କାର୍ଯ୍ୟଶୈଳୀ ଓ ସ୍ବଚ୍ଛ ସର୍ବେକ୍ଷଣ କ୍ଷେତ୍ରରେ ଶ୍ରେଷ୍ଠ ଶହେ ସହର ମଧୢରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ନିଗମ ପକ୍ଷରୁ ସହରର ସମସ୍ତ ଛାତ୍ରଛାତ୍ରୀ, ବ୍ୟାବସାୟିକ ପ୍ରତିଷ୍ଠାନ, ସ˚ଗଠନ, ଵାର୍ଡ଼ ବାସିନ୍ଦାଙ୍କୁ ସାମିଲ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତଥାପି ସମସ୍ୟାରେ ସୁଧାର ଆସୁନାହିଁ। ଏ ନେଇ ଡେପୁଟି କମିସନର ଖମାରୀ କହିଛନ୍ତି, କେବଳ ବିଏମ୍‌ସି ଚାହିଁଲେ ସବୁ କିଛି ସମ୍ଭବପର ନୁହଁ। ସହରବାସୀ ମଧ୍ୟ ସଚେତନ ହୋଇ ସହଯୋଗ କଲେ ସହର ଆବର୍ଜନାମୁକ୍ତ କରିବା ସମ୍ଭବ। ତବେ, ସହରବାସୀଙ୍କ ମଧ୍ୟରେ ଅଭ୍ୟାସଗତ ପରିବର୍ତ୍ତନ ଆଣି ନିୟମିତ ସ୍ବଚ୍ଛ ପରିମଳ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର