ପାରଳାଖେମୁଣ୍ତି: ଗଜପତି ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ୫-ଟି ଯୋଜନା କାର୍ଯ୍ୟକାରୀ ହେବାକୁ ୨ ବର୍ଷ ବିତିଛି। ହେଲେ ଖାଲି ବାହ୍ୟ ଚକାଚକ୍‌ ଛାଡ଼ିଦେଲେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବିଶେଷ କିଛି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ବିଦ୍ୟାଳୟ କକ୍ଷକୁ ବିଦ୍ୟୁତ୍, ଜଳ ଯୋଗାଣ ବ୍ୟବସ୍ଥିତ ହୋଇଥିବା ବେଳେ ସେମାନଙ୍କୁ ନୂଆ ପୋଷାକ ସହ ଅନ୍ୟ ଆନୁଷଙ୍ଗିକ ଉପକରଣ ମାନ ଯୋଗାଇ ଦିଆଯାଇଛି। ହେଲେ ପାଠ ପଢ଼ା କ୍ଷେତ୍ରରେ ସେପରି କିଛି ପରିବର୍ତ୍ତନ ଘଟି ନାହିଁ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ଏଫ.ଏ’ ଟେଷ୍ଟ ନାମରେ ପ୍ରଶ୍ନପତ୍ର ସହ ଉତ୍ତର ମଧ୍ୟ ଶିକ୍ଷକମାନେ ଦେଉଛନ୍ତି। ଫଳରେ କେହି ଆଉ ଫେଲ୍ ହେଉନାହାନ୍ତି। ସେହିପରି ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଫଳରେ ବିଶେଷ ଉନ୍ନତି ଘଟିନଥିବା ବେଳେ କିଛି ଶିକ୍ଷାନୁଷ୍ଠାନର ପ୍ରଦର୍ଶନ ଦୟନୀୟ ରହିଛି। ଯାହାକୁ ନେଇ ଅଭିଭାବକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ସେହିପରି ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗରେ ୫-ଟି ଲାଗୁ କରାଯାଇଛି। ହେଲେ ସରକାରୀ ଡାକ୍ତରଖାନାରେ ଅଳ୍ପ କିଛି ରୋଗ ପାଇଁ ମାଗଣା ଔଷଧ ଏବ˚ ମାଗଣାରେ କିଛି ରକ୍ତ ପରୀକ୍ଷା ଛଡ଼ା ଆଉ ବିଶେଷ କିଛି ସୁବିଧା ମିଳୁନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ପିଏଚସି, ସିଏଚସି, ଅର୍ବାନ ହେଲଥ୍‌ କେୟାର୍ କିମ୍ବା ଡିସପେନ୍ସରିରେ ଡାକ୍ତରଙ୍କ ଦେଖା ନଥିବାରୁ ରୋଗୀଙ୍କୁ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଗତ ମାସରେ ୫-ଟି ସଚିବ ହଠାତ ସନ୍ଧ୍ୟାରେ ପାରଳାଖେମୁଣ୍ତିରେ ପହଞ୍ଚି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ପ୍ରସୂତି ବିଭାଗରେ କିଛି ସମୟ କଟାଇ ସବୁ ଠିକ ଚାଲିଛି ବୋଲି ସ୍ବାସ୍ଥ୍ୟାଧିକାରୀଙ୍କୁ ସାବାସି ମଧ୍ୟ ଦେଲେ। ହେଲେ ସଚିବ ଯଦି ଓପିଡ଼ି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥାନ୍ତେ ତାହାଲେ ବାସ୍ତବ ଚିତ୍ର ସଂପର୍କରେ ଜାଣିପାରିଥାନ୍ତେ। ବଡ଼କଥା ହେଉଛି ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦ ବର୍ଷ ମଧ୍ୟରେ ୩୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ଏବ˚ ଆଉ ୧୦ କୋଟିର ଯୋଜନା ମଧ୍ୟ କରାଯାଇଛି। ସେହିପରି ସମସ୍ତ ବିଭାଗରେ ୫-ଟି କାର୍ଯ୍ୟାଳୟ ଖୋଲିବା ସହ ଜନସାଧାରଣଙ୍କ ସମସ୍ୟାକୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଯେଉଁ ନକ୍ସା କରାଯାଇଛି ବାସ୍ତବରେ ତାହା କୋମାରେ ପଡ଼ିଥିବା ପରି ମନେ ହେଉଛି। ଏହି ୫-ଟି କକ୍ଷରେ ଦିନରାତି ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। କେବଳ ନିର୍ବାଚନ ପାର ହେବା ପାଇଁ ୫-ଟିକୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଥିବା ବେଳେ ଏହାର ବାସ୍ତବତାକୁ ତୃଣମୂଳ ସ୍ତରରେ ସମୀକ୍ଷା କରାଯାଉନାହିଁ ବୋଲି ମତ ପ୍ରକାଶ ପାଇଛି।