ସେବା ପାଇଁ ସମ୍ମାନ : ଝୁଡ଼ିରେ ଅଳିଆ ଉଠାଇ ମନ ଜିଣିଲେ ମହାରାଷ୍ଟ୍ରର ୮୫ ବର୍ଷୀୟା ବୃଦ୍ଧା, ଜିଲ୍ଲାପାଳଙ୍କ ଟୁଇଟ୍ ପରେ ଅଜସ୍ର ଶୁଭେଚ୍ଛା

ପୁରୀ : ସେବା ପାଇଁ ବୟସ ବାଧକ ନୁ‌ହେଁ। ମନରେ ଉତ୍ସାହ ଥିଲେ ‌ଯେ କେହି ‌ଯେ କୌଣସି ମାଧ୍ୟମରେ ସମାଜର ହିତ ସାଧନ କରିପାରିବ। ଏହି କଥାକୁ କାମରେ କରି ଦେଖାଇଛନ୍ତି ମହାରାଷ୍ଟ୍ରର ଜଣେ ୮୫ ବର୍ଷୀୟା ବୃଦ୍ଧା ଶକୁବାଇ ଦେଶମୁଖ। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ନିଜର ଉତ୍ସର୍ଗୀକୃତ ସେବା‌ ପାଇଁ ସେ ଅଜସ୍ର ସମ୍ମାନ ସାଉଁଟିଛନ୍ତି।

ଗତକାଲି ପୁରୀ ବେଳାଭୂମି ସଫେଇ କରାଯିବା ସମୟରେ ଏହି ବୃଦ୍ଧାଙ୍କ ଉଦ୍ୟମ ଓ ପରିଶ୍ରମ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଶକୁବାଇ ବୁଲି ବୁଲି ଏକ ଝୁଡ଼ିରେ ପ୍ଲାଷ୍ଟିକ ବୋତଲ, ଗ୍ଲାସ ଓ ଅଳିଆ ଉଠାଇ ଡଷ୍ଟବିନ୍‌ରେ ପକାଇଥିଲେ। ତାଙ୍କର ଏ ଝୁଡ଼ିଧରା ‌ଫ‌ଟୋକୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ନିଜ ଟୁଇଟର୍‌ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଶକୁବାଇଙ୍କ ପାଇଁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଭଳି ଏକ ମହତ୍‌ କାମ କରି ସମାଜ ପାଇଁ ପ୍ରେରଣା ସାଜିଥିବା ବୃଦ୍ଧା ଶକୁବାଇଙ୍କୁ ଜିଲ୍ଲାପାଳ ସମ୍ମାନିତ କରିବାକୁ ଆଦୌ କାର୍ପଣ୍ୟତା ପ୍ରକାଶ କରିନାହାନ୍ତି। ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିବା ସହ ପ୍ରଶଂସାପତ୍ର ଦେଇଛନ୍ତି। ଏହି ଅବସରରେ ଶକୁବାଇ ମଧ୍ୟ ଯୁବ ଜିଲ୍ଲାପାଳଙ୍କୁ ଆଶୀର୍ବାଦ ଦେଇ ତାଙ୍କର କଲ୍ୟାଣ କାମନା କରିଥିଲେ।

ମହାରାଷ୍ଟ୍ର ଏଲୋରାସ୍ଥିତ ଶ୍ରୀସନ୍ଥ ଜନାର୍ଦ୍ଦନ ସ୍ବାମୀ ଶଙ୍କର ସଂସ୍ଥାର ମୁଖ୍ୟ ଶାନ୍ତିଗିରି ମହାରାଜଙ୍କ ଜଣେ ଅନୁଗାମୀ ହେଉଛନ୍ତି ଶକୁବାଇ ଦେଶମୁଖ। ଗତ ମାସେ ହେଲା ସ୍ବାମୀ ଶଙ୍କର ସଂସ୍ଥାର ଅନୁଗାମୀମାନେ ପୁରୀ ଆସିଛନ୍ତି। ଏମାନେ ପୁରୀରେ ସଂକୀର୍ତ୍ତନ ଓ ବିଭିନ୍ନ ସ୍ବେଚ୍ଛାସେବୀ କାମ କରୁଛନ୍ତି। ଗତକାଲି ଏହି ଅନୁଗାମୀମାନେ ପୁରୀ ବେଳାଭୂମି ସଫାସୁତରା କରିବା ବେଳେ ଏହି ୮୫ ବର୍ଷର ବୃଦ୍ଧା ଥିଲେ ସବୁଠୁ ଆଗରେ। ଶକୁବାଇ ଦେଶମୁଖଙ୍କ ନିଜ ଘର ମହାରାଷ୍ଟ୍ରର ନାସିକ ଜିଲ୍ଲା ଦେଏଳା ତାଲୁକ ଅନ୍ତର୍ଗତ କୁମ୍ଭାରଡି ଗ୍ରାମରେ। ତାଙ୍କର ୩ ପୁଅ ଓ ୫ ଝିଅ ଅଛନ୍ତି। ସାନ ଝିଅ ବର୍ଷକର ହୋଇଥିବା ବେଳେ ସ୍ବାମୀ ଭୈରବ ଦେଶମୁଖଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପ‌ରେ ପ୍ରାୟ ୬ ଏକର ଜମିରେ ଚାଷ କରି ‌ସେ ଜଣେ ‌ସଫଳ ମହିଳା‌ କୃଷିବିତ ଭାବେ ମହାରାଷ୍ଟ୍ରରେ ନିଜସ୍ବ ପରିଚୟ ସୃଷ୍ଟି କରି ପାରିଛନ୍ତି। ଆଜି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ଜିଲ୍ଲା ବିଜୂ ଯୁବ ବାହିନୀର ଜିଲ୍ଲା ସଂଯୋଜକ ସୁଜିତ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର