କରୋନା ଟିକା ନେଇ ସଫେଇ କର୍ମଚାରୀଙ୍କ ମୃତ୍ୟୁ!

କ୍ଷତିପୂରଣ ଦାବିରେ ନାଲ୍‌କୋ ଡାକ୍ତରଖାନା ଆଗରେ ବିକ୍ଷୋଭ

ନାଲକୋନଗର: କରୋନା ଟିକା ନେବା ପରେ ଜଣେ ମହିଳା ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ, ନାଲ୍‌କୋ ଡାକ୍ତରଖାନାର ଚତୁର୍ଥ ଶ୍ରେଣୀ ଠିକା କର୍ମଚାରୀ କୁରୁଡୁଲୁ ନିବାସୀ ଶକୁନ୍ତଳା ଗୋଚ୍ଛାୟତ(୫୨)। ସେ ଗତ ୩ ତାରିଖରେ କରୋନା ଟିକା ନେଇଥିଲେ। ଟିକା ନେବାର ଦିନକ ପରେ ସେ ଅସୁସ୍ଥ ହୋଇ ପଡିଥିଲାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ନାଲ୍‌କୋରେ ଉତ୍ତେଜନା ପ୍ରକାଶ ପାଇଛି। ଶକୁନ୍ତଳାଙ୍କ ମୃତଦେହକୁ ନାଲ୍‌କୋ ଡାକ୍ତରଖାନା ଆଗରେ ରଖି ପରିବାର ଓ ସଂପର୍କୀୟ ଧାରଣା ଦେଇଥିଲେ। ତେବେ ନାଲ୍‌କୋ କର୍ତ୍ତୃପକ୍ଷ କାରଖାନାର ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ମୃତ ମହିଳା କର୍ମଚାରୀଙ୍କ ସ୍ୱାମୀ ଦଣ୍ଡଧରଙ୍କ କହିବା ଅନୁଯାୟୀ ଶକୁନ୍ତଳା ଦୀର୍ଘ ବର୍ଷ ଧରି ନାଲ୍‌କୋ ଡାକ୍ତରଖାନାରେ ଜଣେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପ୍ରଶାସନ ପକ୍ଷରୁ କୋଭିଡ୍‌ ଯୋଦ୍ଧା ରୂପେ ସମସ୍ତ ମେଡିକାଲ୍‌ ତଥା ସଫେଇ କର୍ମଚାରୀଙ୍କୁ ଟିକା ନେବା ଲାଗି କୁହାଯିବାରୁ ଶକୁନ୍ତଳା ଗତ ୩ ତାରିଖ ଦିନ ନାଲକୋ ଡାକ୍ତରଖାନାରେ କୋଭିଡ୍‌ ଟିକା ନେଇଥିଲେ। ତେବେ ଏହାର ଗୋଟିଏ ଦିନ ପରେ ସେ ଆଉ ପରିବାର ଲୋକଙ୍କୁ ଚିହ୍ନି ପାରିନଥିଲେ। ଶକୁନ୍ତଳାଙ୍କ ଅବସ୍ଥା ଗୁରୁତର ହେବାରୁ ସେ ତାଙ୍କୁ ନାଲ୍‌କୋ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନା ପକ୍ଷରୁ ତାଙ୍କୁ ସଂଗେସଂଗେ ଅନୁଗୁଳ ପ୍ରଧାନ ନର୍ସିଂହୋମ୍‌କୁ ପଠାଇ ଦିଆଯାଇଥିଲା। ପରେ ଗତ ୮ ତାରିଖ ଦିନ ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଶକୁନ୍ତଳାଙ୍କର ମୃତ୍ୟୁ ଘଟିଛି। କରୋନା ଟିକା ନେବାରୁ ହିଁ ଶକୁନ୍ତଳାଙ୍କର ମୃତ୍ୟୁ ଘଟିଥିବା ସ୍ୱାମୀ ଦଣ୍ଡଧର ଅଭିଯୋଗ କରିଛନ୍ତି। ମୃତ ମହିଳା କର୍ମଚାରୀଙ୍କ ମୃତ୍ୟୁ ନେଇ ସ୍ବାମୀଙ୍କ ଅଭିଯୋଗ ସଂକ୍ରାନ୍ତରେ ନାଲ୍‌କୋ ଏଜିଏମ୍‌ ଅମିତାଭ ପାଢ଼ୀଙ୍କୁ ପଚାରିବାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର