ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ କଟକର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଥିଲେ, ସହରକୁ ସଫା ରଖିବାରେ ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟ ପ୍ରଶଂସନୀୟ। କଟକ ମହାନଗର ନିଗମରେ ୧୫ ଦିନ ହେଲା ସଫେଇ କର୍ମଚାରୀମା‌ନେ ଧାରଣାରେ ବସିଛନ୍ତି। କଟକରେ ତିନିଟି ଘରୋଇ ସଂସ୍ଥାକୁ ପରିମଳ ଦାୟିତ୍ବ ଦିଆଯାଇଛି। ସଂସ୍ଥାଗୁଡ଼ିକ ତିନି ସିଫ୍ଟରେ ପରିମଳ କାମ କରୁଛନ୍ତି। ସକାଳ ୬ଟାରୁ ୯ଟା, ଅପରାହ୍ନ ୩ଟାରୁ ୬ଟା ଓ ରାତି ୭ଟାରୁ ୯ଟା। ଘରୋଇ ସଂସ୍ଥା ସଫେଇ କର୍ମଚାରୀଙ୍କୁ ଦୁଇ ସିଫ୍ଟରୁ ଅଧିକ କାମ କରିବାକୁ ବାଧ୍ୟ କରୁଛନ୍ତି। ବେସରକାରୀ ସଂସ୍ଥାରେ କର୍ମଚାରୀଙ୍କ ପାଇଁ କାର୍ଯ୍ୟ ସମୟ ୮ ଘଣ୍ଟା ସ୍ଥିର ହୋଇଥିଲା ବେ‌ଳେ ସଫେଇ କର୍ମଚାରୀଙ୍କ କ୍ଷେତ୍ରରେ ତାହାକୁ ୬ ଘଣ୍ଟା କରାଯାଇଛି। ସରକାର ସଫେଇ କର୍ମଚାରୀଙ୍କ ପାଇଁ ଯେଉଁ ‘ଗାରିମା’ ଆଇନ୍ ପ୍ରଣୟନ କରିଛନ୍ତି, ସେଥିରେ ତାହା ସ୍ପଷ୍ଟ ହୋଇଛି। କିନ୍ତୁ କଟକରେ ଘରୋଇ ସଂସ୍ଥା ସେମାନଙ୍କୁ ତିନି ସିଫ୍ଟରେ ୮ ଘଣ୍ଟା କାମ କରାଉଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।