ରାଜ୍ୟରେ ଖଣିଜ ପାଣ୍ଠିର ଖୋଲାଖୋଲି ଉଲ୍ଲଂଘନ ଚାଲିଛି: କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ ଖଣିଜ ପାଣ୍ଠି ବିନିଯୋଗ ନିୟମର ଖୋଲାଖୋଲି ଉଲ୍ଲଂଘନ ଚାଲିଛି। ଯେଉଁ ଉଦ୍ଦେଶ୍ୟ ନେଇ ଜିଲ୍ଲା ଖଣିଜ ପାଣ୍ଠି ଆଇନ ଆସିଥିଲା, ତାହାର ଖୋଲାଖୋଲି ଉଲ୍ଲଂଘନ ଯୋଗୁଁ ପ୍ରଭାବିତ ପଞ୍ଚାୟତ ଓ ରାଜସ୍ବ ଗ୍ରାମଗୁଡ଼ିକରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

ବୁଧବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଲେ, ଜିଲ୍ଲା ଖଣିଜ ପାଣ୍ଠି ଆଇନ ୨୦୧୫ ମୁତାବକ ପ୍ରଭାବିତ ପଞ୍ଚାତୟର ଅଧିବାସୀଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ ଯୋଗାଣ, ପିଇବା ପାଣି, ରାସ୍ତା ଓ ଜଳସେଚନ ଆଦି ବିକାଶ ପାଇଁ ଖଣିଜ ପାଣ୍ଠି ଅର୍ଥକୁ ଖର୍ଚ କରାଯିବ। ହେଲେ ଏହାର ଉଲ୍ଲଂଘନ କରାଯାଇ ଅନ୍ୟ ବାବଦରେ ଖର୍ଚ କରାଯାଉଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବଜେଟ୍‌ରେ ଅର୍ଥର ବ୍ୟବସ୍ଥା ଥିବା ସତ୍ତ୍ବେ ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନିର୍ମାଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି ଟଙ୍କାକୁ ଖର୍ଚ କରାଯାଉଛି।

ସେହିପରି ଜିଲ୍ଲା ପୁଲିସ ବିଭାଗ ପାଇଁ ୨୫ଟି ଗାଡ଼ି, ସର୍କିଟ୍‌ ହାଉସ ପାଚେରି ପାଇଁ ଖଣିଜ ପାଣ୍ଠିର ବିନିଯୋଗ ହୋଇଛି। ୨୦୧୭ ମସିହାରେ ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠି ଟଙ୍କାରେ ବିମାନବନ୍ଦରକୁ ପାୱାର ସପ୍ଲାଏ ପାଇଁ ଟଙ୍କା ଖର୍ଚ କରାଯାଇଛି। ସ୍ମାର୍ଟ ଟ୍ରାଫିକ୍‌ ସିଗନାଲ ବ୍ୟବସ୍ଥା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ଦୁରୁପଯୋଗ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସୂଚନା ଅନୁସାରେ, ୨୦୧୫ଠାରୁ ଏ ପର୍ଯ୍ୟନ୍ତ ୧୧,୯୮୪ କୋଟି ଟଙ୍କା ବାବାଦରେ ଓଡ଼ିଶା ପାଇଛି। ହେଲେ ଏହି ଅର୍ଥକୁ ଅନ୍ୟ ବିଭାଗ ପାଇଁ ଖର୍ଚ କରିବା ଆଇନର ବିରୁଧାଚରଣ କରୁଛି। ଅନେକ ଜିଲ୍ଲା ଖଣିଜ ପାଣ୍ଠି ବାବଦ ଅର୍ଥକୁ ଖର୍ଚ କରିପାରୁ ନାହାନ୍ତି। ସୁନ୍ଦରଗଡ଼ରେ ମଞ୍ଜୁରିପ୍ରାପ୍ତ ୬୯୭୬ କୋଟିରୁ ୬୯୨ କୋଟି, କେନ୍ଦୁଝରରେ ୩୬୧୪ କୋଟିରୁ ଖର୍ଚ ହୋଇଛି ମାତ୍ର ୧ଲକ୍ଷ , ଅନୁଗୁଳରେ ୬୧୨୩ କୋଟିରୁ ଖର୍ଚ ହୋଇଛି ୯୫କୋଟି, ରାୟଗଡ଼ାରେ ୧୦୫କୋଟିରୁ ଟଙ୍କାଟିଏ ମଧ୍ୟ ଖର୍ଚ ହୋଇନାହିଁ। ରାଜ୍ୟ ସରକାର ଖଣିଜ ପାଣ୍ଠିର ଆର୍ଥିକ କାରବାରକୁ ସିଏଜିଙ୍କ ଦ୍ବାରା ଅଡିଟ କରିବା ସହିତ ପାଣ୍ଠିର ଆୟ ଓ ବ୍ୟୟର ହିସାବ ରାଜ୍ୟବାସୀଙ୍କ ଆଗରେ ରଖିବା ଲାଗି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ସମ୍ବାଦିକ ସମ୍ମିଳନୀରେ ମୁଖାପାତ୍ର ମନୋରଂଜନ ଦାଶ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର