ମକା ଚାଷ ପାଇଁ ସଂରକ୍ଷିତ ଜଙ୍ଗଲ ସଫା, ଜୀବିକା ହରାଉଛନ୍ତି ଆଦିବାସୀ

ନବରଙ୍ଗପୁର : ମକା ଚାଷ ପାଇଁ ନବରଙ୍ଗପୁର ଜିଲ୍ଲାରେ ସଫା ହେବାରେ ଲାଗିଛି ସଂରକ୍ଷିତ ଜଙ୍ଗଲ। ଏପରିକି ରାସ୍ତା କଡ଼ରେ ଥିବା ଜଙ୍ଗଲକୁ ବି ପଡ଼ିଆ କରି ସାରିଲେଣି। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ଆଦିବାସୀଙ୍କ ଜୀବିକା ଉପରେ। ବନଜାତ ସାମଗ୍ରୀ ସଂଗ୍ରହ କମିବା ଫଳରେ ଆଦିବାସୀଙ୍କ ରୋଜଗାର କମିଛି। ଅପରପକ୍ଷରେ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଆଶ୍ରୟ ଦେବା ଏବଂ ଆଦିବାସୀଙ୍କ ଜୀବିକାକୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବନ ବିଭାଗ।

ଉମରକୋଟ-ରାଇଘର ବନ ବିଭାଗ ସୀମାରେ ରହିଛି ବେହେଡ଼ା ସଂରକ୍ଷିତ ଜଙ୍ଗଲ। ଦିନେ ସାରା ରାଜ୍ୟର ବଡ଼ ଜଙ୍ଗଲର ମାନ୍ୟତା ପାଇଥିଲା। ପ୍ରାୟ ୭୨ହଜାର ହେକ୍ଟର ପରିମିତ ଥିଲା ଏହି ଜଙ୍ଗଲ। କିନ୍ତୁ କାଳକ୍ରମେ ଏହି ଜଙ୍ଗଲ ସଂକୁଚିତ ହେବାରେ ଲାଗିଛି। ଚାଷ କରିବା ‌ଉଦ୍ଦେଶ୍ୟରେ ସ୍ଥାନୀୟ ବାସିନ୍ଦା ବର୍ଷ ସାରା ଏହି ଜଙ୍ଗଲକୁ କାଟିବାରେ ଲାଗିଛନ୍ତି। ଏପରିକି ଖରା ଦିନ ଆସିଲେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯେଉଁ ଥୁଣ୍ଟା ଗଛ ଏବଂ ମୂଳ ରହିଥାଏ ତାହା ବି ଏହି ନିଆଁରେ ପାଉଁଶ ହୋଇଯାଏ। ଜଙ୍ଗଲ ଜମି ପଟ୍ଟା ଲୋଭରେ ଏମିତି ଜଙ୍ଗଲକୁ ନଷ୍ଟ କରାଯାଉଥିବା ବେଳେ କିଛି ଜମି ମାଫିଆ ଏହାରି ପଛରେ ରହିଥିବା ଜଣାପଡ଼ିଛି। ଜଙ୍ଗଲକୁ ସଫା କରିବା ପରେ ମାଫିଆ କିଛି ଅର୍ଥ ଦେଇ ସ୍ଥାନୀୟ ଆଦିବାସୀଙ୍କ ଦ୍ବାରା ମକା ଏବଂ ନୀଳଗିରି ଚାଷ କରୁଛନ୍ତି। ଯାହାକୁ ସେମାନେ ପରବର୍ତ୍ତୀ ସମୟରେ ଅତି ଶସ୍ତାରେ କିଣି ବାହାର ବଜାରରେ ବିକ୍ରି କରି ମାଲେମାଲ ହେଉଛନ୍ତି।

ଜିଲ୍ଲାର ଝରିଗାଁ, ରାଇଘର ଓ ଉମରକୋଟ ବ୍ଲକରେ ଅନେକ ଜଙ୍ଗଲ ଏବେ ମାଫିଆଙ୍କ ଲୋଲୁପ ନଜରରେ ରହିଛି। ଝରିଗାଁ-ଚନ୍ଦାହାଣ୍ଡି ରାସ୍ତା କଡ଼ରେ ପାହାଡ ଉପରେ ଶହ ଶହ ହେକ୍ଟର ଜଙ୍ଗଲ ଜମିରେ ମକା ଚାଷ ହେଉଥିଲେ ବି ପ୍ରଶାସନ ଚୁପ୍।

ସମ୍ବନ୍ଧିତ ଖବର