କଟକ: କଟକ ଜିଲ୍ଲାର ୬୦ ବାଲିଘାଟ, ୧୦ ଖାଦାନ ସମେତ ମୋଟ ୧୧୦ ସୈରାତ୍‌ ଉତ୍ସର ତଦାରଖ ଦାୟିତ୍ବ ଜଣେ ଖଣି ଅଧିକାରୀଙ୍କ ହାତରେ ରହିଛି। ତାଙ୍କୁ ସହଯୋଗ କରିବା ପାଇଁ ଜୁନିଅର ମାଇନିଙ୍ଗ ଓ ଆସିଷ୍ଟାଣ୍ଟ ମାଇନିଙ୍ଗ ଅଧିକାରୀ ଅଛନ୍ତି। ଅନ୍ୟପଟେ ‌କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବରେ ଥିବା ଦୁଇ ଖଣି ଅଧିକାରୀ ନିଜନିଜ ଜିଲ୍ଲାର ସୈରାତ ଉତ୍ସ ସହିତ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ଗୁରୁ ଖଣିଜ(ଡେକୋରେଟିଭ୍‌ ଷ୍ଟୋନ୍‌, ‌ଗ୍ରାନାଇଟ୍‌) ଭଳି ସାମଗ୍ରୀର ସମସ୍ତ ଦାୟିତ୍ବ ତୁଲାଉଛନ୍ତି। ସୈରାତ୍‌ ଉତ୍ସ, ବାଲିଘାଟ, ପଥର ଖାଦାନ ସବୁକିଛି ରାଜସ୍ବ ବିଭାଗରୁ ଖଣି ବିଭାଗ ଅଧୀନକୁ ଆସିବାର ପାଖାପାଖି ୭/୮ମାସ ପରେ ବି ଏଭଳି ଅବସ୍ଥା ଜାରି ରହିଛି। ଫଳରେ ବାଲି ତଥା ଅନ୍ୟ ସାମଗ୍ରୀ ଚୋରି ପାଇଁ ବାଟ ଛାଡି ଦିଆଯାଇଥିବା ଅଭିଯୋଗ ହେଉଛି।

Advertisment

କଟକ ଜିଲ୍ଲାରେ ରହିଛି ୧୧୦ଟି ବାଲିଘାଟ, ପଥର, ମୋରମ ତଥା ବିଭିନ୍ନ ସୈରାତ୍‌ ଉତ୍ସ। ସେଥିରୁ ୭୦ଟି ଉତ୍ସ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ଜିଲ୍ଲାରେ ମୋଟ ୬୦ଟି ବାଲିଘାଟ ରହିଥିବା ବେଳେ ବର୍ତ୍ତମାନ ୩୧ଟି କାର୍ଯ୍ୟକ୍ଷମ ରହିଛି। ବାକି ୨୯ଟି ବିଭିନ୍ନ କାରଣରୁ କାର୍ଯ୍ୟକ୍ଷମ ହୋଇପାରିନି। ସେ ନେଇ ପ୍ରକ୍ରିୟା ଚାଲିଥିବା ବେଳେ କାହାର ଟିକସ୍‌ ଖିଲାପ ତ କାହାର ଅନ୍ୟ ସମସ୍ୟା ରହିଛି। ସେଗୁଡିକର କାଗଜପତ୍ର କାମ ଖଣି ବିଭାଗ ପକ୍ଷରୁ ବ୍ୟବସ୍ଥିତ କରାଯାଉଛି। ଏପଟେ ୪/୫ଟି ବାଲିଘାଟର ଲାଇସେନ୍ସକୁ ସାମୟିକ ଭାବେ ବାତିଲ କରାଯାଇଛି। ବିଭିନ୍ନ ସମୟରେ ବାଲିଘାଟ ଉପରେ ଚଢଉ କରାଯାଉଥିବା ବେଳେ ଗୋଟିଏ ପଟେ ବିଭାଗ ପାଖରେ ଅଧିକାରୀ ଓ କର୍ମଚାରୀ ଅଭାବ ଥିବା ବେଳେ ସୁରକ୍ଷା ଦେବା ପାଇଁ ପୁଲିସ ବି ସାଙ୍ଗରେ ଯାଉନାହାନ୍ତି। କିଛିଦିନ ତଳେ କଟକ ସଦର ଅଞ୍ଚଳରେ ଖଣି ଅଧିକାରୀ ଚଢ଼ଉ ପାଇଁ ଯାଇଥିବା ବେଳେ ତାଙ୍କ ଗାଡି ଉପରକୁ ହାଇୱା ଚଢାଇ ଆକ୍ରମଣ ଉଦ୍ୟମ କରାଯାଇଥିଲା। ଯାହାକୁ ନେଇ ଖଣି ବିଭାଗର ଏତଲା ଆଧାରରେ ସଦର ଥାନା ପୁଲିସ ମାମଲା ରୁଜୁ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲା।
କଟକ ଖଣି ବିଭାଗରେ ଜଣେ ଖଣି ଅଧିକାରୀ, ଜୁନିୟର ମାଇନିଙ୍ଗ ଅଧିକାରୀ ଓ ଆସିଷ୍ଟାଣ୍ଟ ମାଇନିଙ୍ଗ ଅଧିକାରୀ ରହିଛନ୍ତି।

ଏଥିସହ ୨ଜଣ ଆଉଟ୍‌ସୋର୍ସିଂ କର୍ମଚାରୀ ରହିଛନ୍ତି ଯେଉଁମାନେ କି କେବଳ ପୋର୍ଟାଲ କାମ କରୁଛନ୍ତି। ଚଢଉ ପାଇଁ ଖଣି ଅଧିକାରୀ ଓ ତାଙ୍କ ସହିତ ଜଣେ ଦୁଇଜଣ କର୍ମଚାରୀ ଯାଉଛନ୍ତି। ବାଲିଘାଟ ଯିଏ ଲିଜ୍‌ ନେଉଛି ତାପାଇଁ କେତେ ପରିମାଣ ଓ କେତେ ଅଞ୍ଚଳରୁ ବାଲି ଉଠାଯିବ ସେ ସଂପର୍କରେ ଲିଜ୍‌ଧାରୀଙ୍କୁ ଯେତେ ତାଗିଦ୍‌ କରାଗଲେ ବି ସେମାନେ ଖାତିର କରୁନଥିବା ପ୍ରାୟ ସବୁ ଅଞ୍ଚଳରୁ ଅଭିଯୋଗ ଆସୁଛି। କିନ୍ତୁ ଚଢଉ ପାଇଁ କର୍ମଚାରୀ ନାହାନ୍ତି। ବାଲିଘାଟ ସହିତ ପଥର ଖାଦାନ, ମାଟି, ମୋରମ୍‌ ଖାଦାନ କ୍ଷେତ୍ରରେ ବି ସମାନ ସ୍ଥିତି। କଟକ ଓ କେନ୍ଦ୍ରାପଡା ଖଣି ଅଧିକାରୀଙ୍କ ହାତରେ ନିଜ ଜିଲ୍ଲାର ସୈରାତ୍‌ ଉତ୍ସ ସହ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ଗୁରୁ ଖଣିଜ ସାମଗ୍ରୀ ରହିଛି। ତା ସହିତ କୋଇଲା ଡିପୋ ବି ରହୁଛି। ଏସବୁର ତଦାରଖ ଦାୟିତ୍ବ ସେମାନଙ୍କ ହାତରେ। ଅଧିକାରୀ ଓ କର୍ମଚାରୀ ଅଭାବ ଥିବାରୁ ଖଣି ବିଭାଗ ଯେଉଁଭଳି ଢଙ୍ଗରେ ଚଢଉ କରିବା କଥା ତାହା କରିପାରୁନି। ଏପଟେ ତହସିଲ ହାତରୁ ଯାଞ୍ଚ ଅଧିକାର ଯିବା ପରେ ବାଲି ଚୋରି ବି ବଢୁଛି।