ଖୋର୍ଧା: ଖୋର୍ଧା ଜିଲ୍ଲା ବ୍ୟାପୀ ବିଭିନ୍ନ ବ୍ଲକରେ ଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜୟନ୍ତୀ ଅବସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲଗୁଡ଼ିକରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଏଥର ଶିଶୁ ଦିବସକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ଦେଖିବାକୁ ପାଇଥିଲେ। ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଥିବା ‘ଆଗକୁ ବଢ଼ ଓ ମା’ ମାଟିର ଗୌରବକୁ ଆହୁରି ଉଚ୍ଚ କର’ ଉପଦେଶକୁ ପାଳନ କରିବା ପାଇଁ ଛାତ୍ରଛାତ୍ରୀମାନେ ଶପଥ ପାଠ କରିଥିଲେ।
ଖୋର୍ଧାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗ୍ମା ପବ୍ଲିକ ସ୍କୁଲ ପକ୍ଷରୁ ଅନୁଷ୍ଠିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ, ଏସ୍ପି ଦୀପ୍ତିରଂଜନ ରାୟ, ଖୋର୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପ୍ରଶାନ୍ତ ଦାସ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସତ୍ୟବାନ୍ ଶ୍ରୀଚନ୍ଦନ, କାଉନସିଲର ଜ୍ୟୋତିରଂଜନ ସିଂହ, ସାମ୍ବାଦିକ ଜ୍ୟୋତିରଂଜନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ପଣ୍ଡିତ ଜବାହରଲାଲ ନେହରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବିଜ୍ଞାନ ପ୍ରଦର୍ଶନୀକୁ ଅତିଥି ଓ ଦର୍ଶକମାନେ ପରିଦର୍ଶନ କରିଥିଲେ। ପିଲାଙ୍କ ମଧ୍ୟରେ କୁଇଜ୍ ଓ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହପରି ସିଧା ପ୍ରସାରଣ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ସହ ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କୁଲ ନିର୍ଦେଶକ ଶୁଭ୍ରାଂଶୁ ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସେହିପରି ଖୋର୍ଧା ଡିଏଭି ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ଶିଶୁ ଦିବସ ବିଦ୍ୟାଳୟ ନିର୍ଦେଶକ ଡା. ନନ୍ଦକିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଅତିଥିମାନେ ଶିଶୁ ଦିବସର ଗୁରୁତ୍ୱ ଓ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍କୁଲ ପରିସରରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ବିଦ୍ୟାଳୟର ସଭାପତି ରାଜକିଶୋର ରାମ ଉପସ୍ଥିତ ଥିଲେ। ସେହିପରି ଅପରାହ୍ଣ ୪ଟାରେ ସ୍କୁଲ ପରିସରରେ ଖୋର୍ଧା ତାଲୁକ୍ ସର୍ଭିସେସ୍ କମିଟି ତରଫରୁ ଶିଶୁ ଦିବସ ପାଳିତ ହୋଇଥିଲା। ଏଥିରେ ପ୍ରଥମ ଶ୍ରେଣୀ ବିଚାରପତି ଲଳିତ କୁମାର ଦାଶ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଅଧ୍ୟକ୍ଷା ଦୀପ୍ତିମୟୀ ମହାନ୍ତି ପରିଚାଳନା କରିଥିଲେ।
ନିରାକାରପୁର: ଆର୍ଯ୍ୟବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଡିଏଭି ପବ୍ଲିକ୍ ସ୍କୁଲ, ବଡ଼ପୋଖରିଆସ୍ଥିତ ସ୍କୁଲଠାରେ ଶିଶୁ ଦିବସ ପାଳିତ ହୋଇଛି। ପୂର୍ବ ଆୟୋଜିତ ପ୍ରତିଯୋଗିତାଗୁଡ଼ିକର କୃତୀ ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରୋଜେକ୍ଟର୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଶିଶୁ ଦିବସ ଅବସରରେ ଅଭିଭାଷଣର ସିଧା ପ୍ରସାରଣ ଦେଖିବା ସହ ସଂକଳ୍ପ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ବଡ଼ପୋଖରିଆ ସରପଞ୍ଚ ସାଗର ବଳିୟାରସିଂହ, ରାମେଶ୍ୱର ସରପଞ୍ଚ ପ୍ରମୋଦ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ। ଆଖପାଖ ପଞ୍ଚାୟତଗୁଡ଼ିକରେ ଥିବା ଶିକ୍ଷାନୁଷ୍ଠାନରେ ମଧ୍ୟ ଶିଶୁ ଦିବସ ପାଳିତ ହୋଇଥିଲା।
/sambad/media/post_attachments/wp-content/uploads/2017/11/khurdha-1-300x225.jpeg)
ନାଚୁଣୀ: ଚିଲିକା ବ୍ଲକର ମୋଟ ୧୨୪ଟି ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେଇ ବ୍ଲକସ୍ତରୀୟ ଶିଶୁଦିବସ ପାଳିତ ହୋଇଯାଇଛି। ବିଡିଓ ବାଦଲ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏବିଡିଓ ସ୍ୱଦେଶ ରଂଜନ ଶତପଥୀ, ବିଇଓ ନଳିନୀପ୍ରଭା ତ୍ରିପାଠୀ, ଏବିଇଓ କଣ୍ଡୁରୀ ଚରଣ ପ୍ରଧାନଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ରହି ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ ଦେଖିଥିଲେ। ସେହିପରି ନାଚୁଣୀ ଗୋଦାବରୀଶ ନୋଡାଲ ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ଆଚାର୍ଯ୍ୟ, ନାଚୁଣୀ ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷକ ଯଦୁମଣି ବେହେରା ଓ ସିଆରସିସି ବୁଲୁ ସାସମଲ, ହରିପୁରର ଲକ୍ଷ୍ମୀଧର ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀହର୍ଷ ନାୟକ, ନାଚୁଣୀସ୍ଥିତ ଆଦର୍ଶ ସାଇନ୍ସ ଏକାଡେମିରେ ତୁଷାର ବରାଳ, ଆଦର୍ଶ ଏକାଡେମିରେ ସୁଧାଂଶୁ ପ୍ରଧାନ, ସାଇ ଗଣେଶ ଏକାଡେମିରେ ସୌମେନ୍ଦ୍ର ଦାଶ, ୟୁନିକ୍ କୋଚିଂ ସେଣ୍ଟରରେ ଅକ୍ଷୟ କୁମାର ପଲାଇ, କୁମାଣ୍ଡୋଳର ଓମ୍ ଟ୍ୟୁଟୋରିଆଲରେ ରଂଜନ ମହାପାତ୍ରଙ୍କ ସଂଯୋଜନାରେ ଶିଶୁ ଦିବସ ପାଳିତ ହୋଇଥିଲା।
ବାଲୁଗାଁ: ବାଣପୁର ବ୍ଲକ୍, ବାଲୁଗାଁ ଓ ବାଣପୁର ଏନ୍ଏସି ସହ ପ୍ରତି ପଞ୍ଚାୟତରେ ଶିଶୁ ଦିବସ ପାଳିତ ହୋଇଛି। ବାଲୁଗାଁ ଏନଏସି କଲ୍ୟାଣ ମଣ୍ଡପ ଗୃହରେ ବାଲୁଗାଁ ଏନଏସି ଅଧୀନ ୨୭ ଗୋଟି ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରାୟ ୪ଶହରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ଶିଶୁ ଦିବସର ମହତ୍ୱ ଓ ନେହରୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ପରେ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିିୟା ମାଝି, ଉପାଧ୍ୟକ୍ଷ ଅଜୟ ଦାସ ଓ କାର୍ଯ୍ୟର୍ନିବାହୀ ଅଧିକାରୀ ସୁରେନ୍ଦ୍ର ନାଥ ଖୁଣ୍ଟିଆ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।
ବେଗୁନିଆ: ବେଗୁନିଆ ସଦର ମହକୁମାସ୍ଥିତ ଗୋପବନ୍ଧୁ ହାଇସ୍କୁଲ ସଭାଗୃହରେ ବ୍ଲକସ୍ତରୀୟ ଶିଶୁ ଦିବସ ପାଳିତ ହୋଇଛି। ଏ ନେଇ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷା ଜାନକୀ ସ୍ୱାଇଁ, ବିଡିଓ ଅଭିମନ୍ୟୁ ବେହେରା, ଅତିରିକ୍ତ ତହସିଲଦାର ଜୟଦେବ ଦଳେଇ, ଏବିଡିଓ ମୋହନ ବେହେରା, ଆଇଆଇସି ଶରତ ଚନ୍ଦ୍ର ପାତ୍ର, ବିଇଓ ଗୌରାଙ୍ଗ ଚରଣ ନାୟକ, ଏବିଇଓ ବିଷ୍ଣୁପ୍ରସାଦ ମିଶ୍ର, ଦିଲୀପ ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିବାଳା ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/banpur.jpg)