ଔଷଧ ଦୋକାନ ସ୍ଥାନ ପରିବର୍ତ୍ତନ ପାଇଁ ୨୫ହଜାର ଲାଞ୍ଚ; କିରାଣି, ଡାଟା ଏଣ୍ଟ୍ରି ଅପରେଟର ଅଟକ

ବ୍ରହ୍ମପୁର : ଔଷଧ ଦୋକାନର ସ୍ଥାନ ପରିବର୍ତ୍ତନ କରିବା ପାଇଁ ଆବେଦନକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡ୍ରଗ୍ସ ଇନିସ୍‌ପେକ୍ଟର ଗଞ୍ଜାମ ରେଞ୍ଜ-୧, ବ୍ରହ୍ମପୁର କାର୍ଯ୍ୟାଳୟର କନିଷ୍ଠ କିରାଣି ଓ ଡାଟା ଏଣ୍ଟ୍ରି ଅପରେଟର୍‌ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ, ଏକ ଔଷଧ ଦୋକାନର ମ୍ୟାନେଜର ନିଜ ଦୋକାନର ସ୍ଥାନ ପରିବର୍ତ୍ତନ କରିବା ନେଇ ଡ୍ରଗ୍ସ ଇନିସପେକ୍ଟର, ଗଞ୍ଜାମ ରେଞ୍ଜ-୧ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଦୋକାନର ସ୍ଥାନ ପରିବର୍ତ୍ତନ ନେଇ କାଗଜପତ୍ର ପ୍ରସ୍ତୁତ ଓ ଅର୍ଡ଼ର କରିବା ପାଇଁ କାର୍ଯ୍ୟାଳୟର କନିଷ୍ଠ କିରାଣି ଜୟନ୍ତ କୁମାର ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର୍‌ ପ୍ରେମାଞ୍ଜନ ସ୍ବାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗୁରୁବାର ଦିନ ଔଷଧ ଦୋକାନର ମ୍ୟାନେଜରଙ୍କଠାରୁ ଲାଞ୍ଚ ବାବଦ ୨୫ ହଜାର ଟଙ୍କା ଗ୍ରହଣ କରିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ କର୍ମଚାରୀ ଚଢ଼ଉ କରିଥିଲେ। କନିଷ୍ଠ କିରାଣି ଶ୍ରୀମଲ୍ଲିକଙ୍କଠାରୁ ଉକ୍ତ ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଏହାପରେ ଭିଜିଲାନ୍ସ ପକ୍ଷରୁ କନିଷ୍ଠ କିରାଣିଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିଶ୍ରାମ କକ୍ଷ ସମେତ ଗଜପତିନଗର-୧୦ରେ କନିଷ୍ଠ କିରାଣି ରହୁଥିବା ଭଡ଼ାଘରେ ଚଢ଼ଉ କରି ଯାଞ୍ଚ ଆରମ୍ଭ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର