ଆଇନ୍‌ ମହାବିଦ୍ୟାଳୟରେ କିରାଣିଙ୍କ ଆତ୍ମହତ୍ୟା

ସମ୍ବଲପୁର : ଗୁରୁବାର ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଲଜପତ ରାୟ ଆଇନ୍‌ ମହାବିଦ୍ୟାଳୟର ଦ୍ବିତୀୟ ମହଲାରେ ଥିବା ସିଲିଂ ବାର୍‌ରେ ଦଉଡ଼ି ଦେଇ ଚୁକ୍ତିଭିତ୍ତିକ ତୃତୀୟ ଶ୍ରେଣୀ କର୍ମଚାରୀ ଧର୍ମରାଜ ଦଳପତ(୫୮) ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇ ଧନୁପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଧନୁପାଲି ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳରୁ ଶ୍ରୀ ଦଳପତଙ୍କ ଚପଲ ଓ ମୋବାଇଲ ଫୋନ୍‌ ପୁଲିସ୍‌ ଜବତ କରିଛି। ୩୦ ବର୍ଷର ଚାକିରି ପରେ ମଧ୍ୟ ସ୍ଥାୟୀ ନହେବା ଓ ମାତ୍ରାଧିକ ଚାପ ସହ୍ୟ କରି ନପାରି ଶ୍ରୀ ଦଳପତ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବିଜୟାନନ୍ଦ ବେହେରା ଘଟଣାସ୍ଥଳରେ ହିଁ ପରିବାର ଲୋକଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ। ମହାବିଦ୍ୟାଳୟ ପକ୍ଷରୁ ତାଙ୍କ ଉପରେ ଚାପ ନ ଥିବା ଅଧ୍ୟକ୍ଷ କହିଛନ୍ତି।

ଶ୍ରୀ ଦଳପତଙ୍କ ପୁଅ ଭଦ୍ରକରେ ଏକ କମ୍ପାନିରେ ରହି କାମ କରୁଥିବା ସମୟରେ ଲକ୍‌ଡାଉନ୍‌ ପରଠାରୁ କାମ ହରାଇ ସେ ଘରେ ରହିଛନ୍ତି। ଅପରପକ୍ଷେ, ଚାକିରିକୁ ୩୦ ବର୍ଷ ହୋଇଥିଲେ ସୁଦ୍ଧା ଶ୍ରୀ ଦଳପତ ମାତ୍ର ୫୪୦୦ ଟଙ୍କା ମାସିକ ଦରମାରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମ କରୁଥିଲେ। ବାରମ୍ବାର ନିବେଦନ ପରେ ମଧ୍ୟ ତାଙ୍କର ଚାକିରି ସ୍ଥାୟୀ ହୋଇନଥିଲା। ପରିବାର ଲୋକଙ୍କ ଅଭିଯୋଗ ଯେ, ଶ୍ରୀ ଦଳପତଙ୍କୁ ମହାବିଦ୍ୟାଳୟରେ ପରୀକ୍ଷା ଦାୟିତ୍ବ ପ୍ରଦାନ କରାଯାଇଥିଲା। ଗତ କିଛି ବର୍ଷ ହେବ ପରୀକ୍ଷାର ସମସ୍ତ ପ୍ରକ୍ରିୟା କମ୍ପ୍ୟୁଟରୀକୃତ ହେଉଥିବାରୁ କମ୍ପ୍ୟୁଟର ଶିଖିନଥିବା ଶ୍ରୀଦଳପତଙ୍କ ଉପରେ ଚାପ ରହୁଥିଲା। ବାରମ୍ବାର ତାଗିଦ ଶୁଣିବାକୁ ମିଳୁଥିଲା। ଏହାକୁ ନେଇ ସେ ବେଶ୍‌ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହିଥିଲେ। ଗୁରୁବାର ସକାଳ ୮ଟାରୁ ସେ ଘରୁ ବାହାରି ଆସି ମହାବିଦ୍ୟାଳୟରେ ପହଞ୍ଚିଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ମୃତ ଦେହ ସିଲିଂରେ ଝୁଲୁଥିବା ଦେଖି ମହାବିଦ୍ୟାଳୟର ଅନ୍ୟ କର୍ମଚାରୀ ପୁଲିସକୁ ଫୋନ୍ କରିଥିଲେ। ମାତ୍ର ପୁଲିସ ପହଞ୍ଚି ନଥିଲା। ପରେ ଏଲ୍‌ଏଲ୍‌ବିର ଜଣେ ଛାତ୍ର ଦୀପକ ନାଥ ଧନୁପାଲି ଥାନାକୁ ଯାଇ ଜଣାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର