କେନ୍ଦ୍ରାପଡ଼ା: ଜଣେ ଶିକ୍ଷୟିତ୍ରୀଙ୍କୁ ପେନସନ୍ କରାଇଦେବା ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କିରାଣି। ଭିଜିଲାନ୍ସ କଟକ ୟୁନିଟ୍ ଆଜି ଜିଲ୍ଲା କୋଷାଗାରର ଏହି ବରିଷ୍ଠ କିରାଣି ସମର ହେମ୍ବ୍ରମ୍‌ଙ୍କୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ସିଟି ହାଇସ୍କୁଲ୍‌ରୁ ଅବସର ନେଇଥିବା ଶିକ୍ଷୟିତ୍ରୀ ତୁଳସୀ ପଟ୍ଟନାୟକଙ୍କ ପେନସନ୍ ବିଲ୍ ଗଲା ଦୁଇ ମାସ ହେବ ଜିଲ୍ଲା କୋଷାଗାରରେ ପଡ଼ି ରହିଥିଲା। ଚୂଡ଼ାନ୍ତ ବିଲ୍‌ କରିଦେବା ପାଇଁ ବରିଷ୍ଠ କିରାଣି ଶ୍ରୀ ହେମ୍ବ୍ରମ୍ ତାଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

Advertisment

ଏ ସଂକ୍ରାନ୍ତରେ ଶ୍ରୀମତୀ ପଟ୍ଟନା‌ୟକଙ୍କ ସ୍ବାମୀ ଭଂଜକିଶୋର ନାୟକ ଜାଣିବା ପରେ ଭିଜିଲାନ୍ସ କଟକ ୟୁନିଟ୍‌କୁ ଜଣାଇଥିଲେ। ଶ୍ରୀ ନାୟକ ଜଣେ ସରକାରୀ ଚାକିରିଆ ଏବଂ ମାର୍ଶାଘାଇ ବିଇଓ ଅଫିସ୍‌ରୁ ସେକସନ୍ ଅଫିସର୍ ଭାବେ ଗତ ଫେବ୍ରୁଆରିରେ ଅବସର ନେଇଥିଲେ। ପତ୍ନୀଙ୍କ ପେନସନ ପାଇଁ ଲାଞ୍ଚ ମାଗିବା ବିଷୟରେ ଅଭିଯୋଗ କରିବା ପରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ଜିଲ୍ଲା କୋଷାଗାର କାର୍ଯ୍ୟାଳୟରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ପହଞ୍ଚି ଥିଲେ। ଶ୍ରୀ ନାୟକ ବି ଟଙ୍କା ଧରି ସେଠାରେ ପହଞ୍ଚି ଥିଲେ। ଏହାପରେ ପୂର୍ବ କଥା ମୁତାବକ ଶ୍ରୀ ନାୟକଙ୍କଠାରୁ ୫ହଜାର ଟଙ୍କା କିରାଣି ଶ୍ରୀ ହେମ୍ବ୍ରମ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କଠାରୁ ଲାଞ୍ଚ ୫ ହଜାର ଟଙ୍କା ଜବତ୍ କରିବା ସହିତ କିରାଣିଙ୍କ ଜମ୍ବୁ ଥାନା ଖରିନାସୀ ଗ୍ରାମରେ ଥିବା ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।