ଭିଜିଲାନ୍ସ ଜାଲରେ କିରାଣି : ୧୫୦୦ ଟଙ୍କା ଲାଞ୍ଚ ନେଇ ଜେଲ୍ ଗଲେ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ କିରାଣି ଶିବରାମ ମହାରଣା (୫୯) ୧୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। କୋର୍ଟ ଚାଲାଣ ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିବା ଭିଜିଲାନ୍ସ ଏସ୍‌ପି ସୁବାସ ସ୍ବାଇଁ କହିଛନ୍ତି। ଶିବରାମଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି। ନିଜ କାର୍ଯ୍ୟାଳୟର ଜଣେ ନିଲମ୍ବିତ କର୍ମଚାରୀଙ୍କ ନିଲମ୍ବନ ଭତ୍ତା ବିଲିଂ କରାଇବା ପାଇଁ ସେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା।

ସୂଚନା ଅନୁଯାୟୀ, ମାର୍ଚ ମାସରେ ସମ୍ବଲପୁର ଡିଆଇପିଆରଓ ହେମନ୍ତ ନାଏକଙ୍କୁ ଧମକ ମାମଲାରେ ଏହି ଅଫିସର ଡ୍ରାଇଭର୍‌ ଦେବାନନ୍ଦ ରଣବିଡ଼ାଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା ପୁଲିସ। ଏହାପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା। ଶ୍ରୀ ରଣବିଡ଼ା କିଛି ମାସ ପୂର୍ବରୁ ଜାମିନ ପାଇ ଆସିଛନ୍ତି। ତାଙ୍କର ମେ ମାସର ନିଲମ୍ବନ ସମୟର ଭତ୍ତା ବିଲ ପ୍ରସ୍ତୁତ ପାଇଁ ଦେବାନନ୍ଦ ଅନେକ ଦିନ ହେଲା ଡିଆଇପିଆରଓ କାର୍ଯ୍ୟାଳୟର ଡିଲିଂ ଆସିଷ୍ଟାଣ୍ଟ ଶିବରାମ ମହାରଣାଙ୍କୁ ଅନୁରୋଧ କରୁଥିଲେ। ଶିବରାମ କିନ୍ତୁ ଏଥିପାଇଁ ଲାଞ୍ଚ ମାଗିବାରୁ ଦେବାନନ୍ଦ ଭିଜିଲାନ୍ସକୁ ଜଣାଇଥିଲେ। ମଙ୍ଗଳବାର ଦିନ ୧୧ଟା ୩୦ ବେଳେ ଶିବରାମ ଶ୍ରୀ ରଣବିଡ଼ାଙ୍କଠାରୁ କେମିକାଲ୍‌ ବୋଳା ୩ଟି ୫୦୦ ଟଙ୍କିଆ ନୋଟ୍‌ ଲାଞ୍ଚ ନେଉଥିଲା ବେଳେ ଛକି ରହିଥିବା ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କୁ କାବୁ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ଉଲ୍ଲେଖଯୋଗ୍ୟ, ୨ ମାସ ତଳେ ସମ୍ବଲପୁର ମହାନଗର ନିଗମର ଜଣେ କର୍ମଚାରୀ ମଧ୍ୟ ଲାଞ୍ଚ ନେ‌ଲାବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଥିଲେ।

ସମ୍ବନ୍ଧିତ ଖବର