ବିଡିଓଙ୍କୁ ଦୁର୍ବ୍ୟବହାର, କିରାଣି ନିଲମ୍ବିତ

କାଳିଆପାଣି : ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ସୌରିକ ହାଇସ୍କୁଲ ପରିସରରେ ବିଡିଓ ତାପସ କୁମାର ସେଠୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସଂପୃକ୍ତ ହାଇସ୍କୁଲର କିରାଣି ଖଗେଶ୍ବର ମହାନ୍ତ ଓ ପ୍ରଧାନଶିକ୍ଷକ ଶରତ କୁମାର ମହାନ୍ତଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ରଞ୍ଜନ କୁମାର ଗିରିଙ୍କ ନିର୍ଦେଶନାମା ବିଜ୍ଞପ୍ତି ନଂ ୫୨୦୩/୨୩-୦୫-୨୦୨୨ ଆଧାର‌‌ରେ କନିଷ୍ଠ କିରାଣି ଖଗେଶ୍ବର ମହାନ୍ତଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଡିଇଓ ଅଫିସ ନିର୍ଦେଶନାମା ୫୨୧୦/୨୩-୦୫-୨୦୨୨ ଆଧାରରେ ପ୍ରଧାନଶିକ୍ଷକ ଶରତ କୁମାର ମହାନ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଚିଠିରେ ଦର୍ଶାଯାଇଛି ଯେ, ଗତ ୧୮ ତାରିଖ ଦିନ ସ୍କୁଲରେ ଜାରି ରହିଥିବା ୫-ଟି ରୂପାନ୍ତରଣ କାର୍ଯ୍ୟ ତଦାରଖ ପାଇଁ ବିଡିଓ ଶ୍ରୀ ସେଠୀ ଓ ସହକାରୀ ଯନ୍ତ୍ରୀ ସ୍କୁଲ୍ ପରିଦର୍ଶନରେ ଯାଇଥିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ବ୍ୟକ୍ତିଙ୍କ ସମ୍ମୁଖରେ କିରାଣି ଶ୍ରୀ ମହାନ୍ତ ବିଡିଓଙ୍କ ପ୍ରତି କୁଭାଷା ପ୍ର‌ୟୋଗ କରିବା ସହ ବଡ଼ପାଟିରେ ଯୁକ୍ତିତର୍କ କରିଥିଲେ । ପ୍ରଧାନଶିକ୍ଷକ ଓ କିରାଣି ଦ୍ବୟ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କୁ ଉସୁକାଇ ସ୍କୁଲର ଉନ୍ନତିମୂଳକ କାର୍ଯ୍ୟରେ ବାଧା ପହଞ୍ଚାଇଥିବା ଚିଠିରେ ଉଲ୍ଲେଖ ରହିଛି। ସରକାରୀ ବେତନ ଭୋଗୀ କର୍ମଚାରୀ ଭାବେ କର୍ତ୍ତବ୍ୟରତ ବିଡିଓ ଓ ସହକାରୀ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଓଡ଼ିଶା ସରକାର କର୍ମଚାରୀ ଅନୁଶାସନ ଆଇନ-୧୯୫୯କୁ ଉଲଂଘନ କରୁଥିବା ଚିଠିରେ ଦର୍ଶାଯାଇଛି। ସରକାରୀ କର୍ମଚାରୀ ଅନୁଶାସନ ଆଇନ-୧୯୫୯ର ଧାରା-୪ ଆଧାରରେ କିରାଣି ଶ୍ରୀ ମହାନ୍ତଙ୍କୁ ନିଲମ୍ବିତ କରାଯାଇଥିବା ଦର୍ଶାଯାଇଛି। ‌ସୌରିକ ହାଇସ୍କୁଲ ତାଙ୍କ ହେଡ୍‌ କ୍ବାର୍ଟର୍ସ ରହିବ ଏବଂ ସରକାରୀ ନିୟମାନୁଯାୟୀ ସେ ଭତ୍ତା ପାଇବେ ବୋଲି ଚିଠିରେ ନିର୍ଦେଶ ରହିଛି।

ଏ ସଂପର୍କରେ ବିଡିଓ ଶ୍ରୀ ସେଠୀଙ୍କୁ ଯୋଗାଯୋଗ କରାଯିବାରେ ସୌରିକ ହାଇସ୍କୁଲ କିରାଣିଙ୍କୁ ନିଲମ୍ବନ ଓ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ସେ କହିଥିଲେ। ଅନ୍ୟପକ୍ଷରେ ସଂପୃକ୍ତ କନିଷ୍ଠ କିରାଣି ଓ ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା।

ସମ୍ବନ୍ଧିତ ଖବର