ଭୁବନେଶ୍ୱର : ଜଳବାୟୁ ପରିବର୍ତନ କାର୍ଯ୍ୟ ଯୋଜନା ପ୍ରଣୟନ ତଥା ଏହାର କାର୍ଯ୍ୟାନ୍ଵୟନରେ ଓଡ଼ିଶା ଦେଶରେ ଅଗ୍ରଣୀ। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ୨ୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏ ନେଇ ୩୧୬୬୭ କୋଟି ଟଙ୍କାର ୨ୟ ପର୍ଯ୍ୟାୟ କାର୍ଯ୍ୟ ଯୋଜନାକୁ ନୀତିଗତ ମଞ୍ଜୁରି ଦେଇଛି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି। କେବଳ ଆର୍ଥିକ ମଞ୍ଜୁରି ନୁହେଁ, ୨ୟ ପର୍ଯ୍ୟାୟରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ଯୋଜନାଗୁଡ଼ିକୁ ମଧ୍ୟ ଅନୁମୋଦନ ମିଳିଛି।
ଆଜି ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଜଳବାୟୁ ପରିବର୍ତନ କାର୍ଯ୍ୟ ଯୋଜନା ନେଇ ସମୀକ୍ଷା ବୈଠକରେ ଉପରୋକ୍ତ ସୂଚନା ମିଳିଛି। ସୂଚନାନୁସାରେ ୨୦୧୦-୧୧ରୁ ୨୦୧୫-୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ଜଳବାୟୁ ପରିବର୍ତନ କାର୍ଯ୍ୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଏହି ପର୍ଯ୍ୟାୟରେ ରାଜ୍ୟକୁ ମିଳିଥିବା ସଫଳତାଗୁଡ଼ିକର ବୈଜ୍ଞାନିକ ବିଶ୍ଳେଷଣ କରିବାକୁ ମୁଖ୍ୟ ସଚିବ ସଂପୃକ୍ତ ବିଭାଗ ମୁଖ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସେହି କାର୍ଯ୍ୟଗୁଡ଼ିକୁ ଆହୁରି ଦୀର୍ଘସ୍ଥାୟୀ କରାଯିବା ସହିତ ଫଳପ୍ରସୂ କରିବାକୁ ସେ କହିଥିଲେ। ଯାହାଫଳରେ ବିନିଯୋଗ ଅର୍ଥର ସଦୁପଯୋଗ ହୋଇପାରିବ। ଏ ନେଇ ପରିବର୍ତନସାଧ୍ୟ ଏବଂ ପ୍ରଶମନ ପନ୍ଥା ଅବଲମ୍ବନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ପ୍ରଥମ ପର୍ଯ୍ୟାୟ ଆଧାରରେ ୧୦୨ଟି କାର୍ଯ୍ୟ ଯୋଜନା ଏବଂ ୧୨ଟି ପ୍ରମୁଖ କ୍ଷେତ୍ର ଚିହ୍ନଟ କରାଯାଇଛି। ଏଥିମଧ୍ୟରେ କୃଷି କ୍ଷେତ୍ରରେ ୧୩ଟି କାର୍ଯ୍ୟ ଯୋଜନା, ଉପକୂଳ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ୪ଟି, ଶକ୍ତି କ୍ଷେତ୍ରରେ ୧୫ଟି, ମତ୍ସ୍ୟ ଓ ପଶୁ ସଂପଦ ବିକାଶରେ ୧୪ଟି, ଜଙ୍ଗଲ କ୍ଷେତ୍ରରେ ୧୩ଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ୫ଟି, ଶିଳ୍ପ କ୍ଷେତ୍ରରେ ୯ଟି, ଖଣିଜ କ୍ଷେତ୍ରରେ ୯ଟି, ପରିବହନ କ୍ଷେତ୍ରରେ ୯ଟି, ନଗର ଉନ୍ନୟନ କ୍ଷେତ୍ରରେ ୭ଟି, ଜଳସଂପଦ ପରିଚାଳନା କ୍ଷେତ୍ରରେ ୪ଟି କାର୍ଯ୍ୟ ଯୋଜନା ଏବଂ ବର୍ଜ୍ୟ ବସ୍ତୁ ପରିଚାଳନା କ୍ଷେତ୍ରରେ ୪ଟି ଯୋଜନା ରହିଛି।
ଦ୍ୱିତୀୟ ପର୍ଯ୍ୟାୟ ଜଳବାୟୁ ପରିବର୍ତନ ଯୋଜନାରେ ଜୀବିକାକୁ ଗୁରୁତ୍ୱ ଦିଆଯାଇଛି। ଏହାବ୍ୟତୀତ, ଲୋକାଭିମୁଖୀ ସମନ୍ଵିତ ଜଳଚ୍ଛାୟା ବିକାଶ କାର୍ଯ୍ୟକ୍ରମ, ଚାଷୀ ତଥା ଚାଷରେ ଜଡ଼ିତ ଲୋକମାନଙ୍କ ସାମର୍ଥ୍ୟ ବୃଦ୍ଧି, ଦେଶୀୟ ପରିବେଶ ଅନୁକୂଳ ପନ୍ଥାଗୁଡ଼ିକର ରେକର୍ଡ ପ୍ରସ୍ତୁତି, ଅଣୁ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ବୃଦ୍ଧି, ଜଳଅମଳ ଏବଂ ଭୂତଳ ଜଳ ସଂଚାରଣ ପ୍ରକଳ୍ପ, ଜଳବାୟୁ ଅନୁକୂଳ ଫସଲ ପାଇଁ ଯାନ୍ତ୍ରିକ କୌଶଳର ବିକାଶ, ଭିତ୍ତିଭୂମିର ବିକାଶ, ବିଶୁଦ୍ଧ କୋଇଲାରୁ ଶକ୍ତି ଉତ୍ପାଦନ ପଦ୍ଧତି, ଉଡ଼ନ୍ତା ପାଉଁଶର ବିନିଯୋଗ, ସବୁଜ ଶକ୍ତି ଉତ୍ପାଦନ, ଜୈବ ସାର, ଜଙ୍ଗଲ ଏବଂ ପ୍ରାକୃତିକ ସମ୍ବଳକୁ ଦୀର୍ଘସ୍ଥାୟୀ କରାଯିବା, ଶିଳ୍ପାଞ୍ଚଳରେ ସବୁଜ ବଳୟ, ଖାଦ୍ୟ ପ୍ରସ୍ତୁତିରେ ସୌର ଶକ୍ତିର ବିନିଯୋଗ, ଦୀର୍ଘସ୍ଥାୟୀ ଖଣିଜ ଯୋଜନା, ପରିତ୍ୟକ୍ତ ଖଣିଗୁଡ଼ିକର ଥଇଥାନ, ପୁରାତନ ମୋଟରଯାନକୁ ସଡ଼କରୁ ଦୂରେଇ ରଖିବା, ଜଳଉତ୍ସଗୁଡ଼ିକୁ ଉଜ୍ଜୀବିତ କରିବା, ଜଳସେଚନରେ ଜଳର ସଠିକ୍ ଉପଯୋଗ, ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ରକଳ୍ପ ଇତ୍ୟାଦି ସଂପର୍କିତ କାର୍ଯ୍ୟ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବୈଠକରେ ଚିହ୍ନଟ କରାଯାଇଥିଲା। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଜଳବାୟୁ ପରିବର୍ତନ ସଂପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/climate.jpg)