ଅଲିଭ୍‌ ରିଡ୍‌ଲେଙ୍କ କାଳ ଜଳବାୟୁ ପରିବର୍ତ୍ତନ

ଋଷିକୁଲ୍ୟା ମୁହାଣ ଅସୁରକ୍ଷିତ, କୂଳ ଖାଉଛି ସମୁଦ୍ର, ବେଳାଭୂମି ସଂକୁଚିତ

ବ୍ରହ୍ମପୁର, (ସୁଦୀପ୍ତ ଷଡ଼ଙ୍ଗୀ): ପ୍ରକୃତିର ଏକ ବିରଳ ଜୀବ ହେଉଛି ଅଲିଭ୍‌ ରିଡ୍‌ଲେ କଇଁଛ। ଏମାନେ ବର୍ଷକ ପ୍ରାୟ ୬ମାସ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ରହିଥାନ୍ତି। ନଭେମ୍ବର ମାସରୁ ମେ’ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ ବୋଲି ଧରାଯାଏ। ବାକି ୬ମାସ ସେମାନେ ଶ୍ରୀଲଙ୍କା ଉପକୂଳରେ ରହିଥାନ୍ତି। ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ହୋଇଥାଏ। ଏହାପରେ ମାର୍ଚ୍ଚ ଶେଷ ସୁଦ୍ଧା ଗଣ ଅଣ୍ଡାଦାନ ହୋଇଥାଏ। ଏଥିପାଇଁ ଅଲିଭ୍‌ ରିଡ୍‌ଲେ କଇଁଛ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣକୁ ତାଙ୍କର ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି। କିନ୍ତୁ ଜଳବାୟୁ ପରବର୍ତ୍ତନ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି। ସମୁଦ୍ର ଲଙ୍ଘି କୂଳ ଖାଉଥିବା ବେଳେ ବେଳାଭୂମି ମଧ୍ୟ ସଂକୁଚିତ ହୋଇଯାଉଛି। ଫଳରେ କଇଁଛଙ୍କ ପାଇଁ ଅଣ୍ଡାଦାନ କରିବାରେ ସ୍ଥାନ ଅଭାବ ସମସ୍ୟା ଦେଖା ଦେଉଛି। ପୁଣି ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକ, ମୁହାଣର ଦିଗ ପରିବର୍ତ୍ତନ କଇଁଛଙ୍କ ପାଇଁ ବିପଦର କାରଣ ସାଜିଛି।

ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବେଳାଭୂମି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ ରିଡ୍‌ଲେ କଇଁଛ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଉପକୂଳରେ ଅଣ୍ତାଦାନ କରିଥାନ୍ତି। ଏଥିପାଇଁ ପ୍ରତିବର୍ଷ ଲକ୍ଷାଧିକ କଇଁଛ ଶ୍ରୀଲଙ୍କାର କଲମ୍ବୋ ଉପକୂଳରୁ ଓଡ଼ିଶାକୁ ଆସିଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରାୟ ୨୭ଦିନ ସମୟ ଲାଗିଥାଏ। ବିଶେଷ କରି ଗଞ୍ଜାମ ଉପକୂଳ ଗୋଖରକୁଦା ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ପ୍ରାୟ ୩କିମି ବେଳାଭୂମିରେ ଅଧିକାଂଶ ଅଣ୍ଡାଦାନ ହୋଇଥାଏ। ପ୍ରତିବର୍ଷ ପ୍ରାୟ ସାଢ଼େ ୩ଲକ୍ଷ କଇଁଛ ବେଳାଭୂମିରେ ଅଣ୍ଡାଦାନ କରିଥାନ୍ତି। କିନ୍ତୁ ଗତବର୍ଷ(୨୦୨୦-୨୧) ମାତ୍ର ୪ହଜାର ୩୮୮ କଇଁଛ ଅଣ୍ଡାଦାନ କରିଥିଲେ। ଗଣଅଣ୍ଡାଦାନ ପ୍ରକ୍ରିୟାରେ କଇଁଛଙ୍କ ଆଶାତୀତ ସଂଖ୍ୟା ହ୍ରାସ ଯୋଗୁଁ ପରିବେଶବିତମାନେ ଚିନ୍ତା ପ୍ରକଟ କରିଥିଲେ। ଚଳିତ ବର୍ଷ ଋଷିକୁଲ୍ୟା ମୁହାଣ‌ର ଦିଗ ପରିବର୍ତ୍ତନ ଯୋଗୁଁ ଅଣ୍ଡାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା।

The Logical Indian

୨୦୦୭ ମସିହାରୁ ଋଷିକୁଲ୍ୟା ଉପକୂଳ ବେଳାଭୂମିରେ ପରିବର୍ତ୍ତନ ଆସୁଛି। ପରିବେଶ ଓ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ପରିବେଶବିତମାନେ କହିଛନ୍ତି। ପୂର୍ବରୁ ଋଷିକୁଲ୍ୟା ମୁହାଣ ଗଞ୍ଜାମ ବ୍ଲକ୍‌ର ପୁରୁଣାବନ୍ଧ ନିକଟରେ ଅବସ୍ଥିତ ଥିଲା। କିନ୍ତୁ ଏବେ ମୁହାଣର ଦିଗ ପରିବର୍ତ୍ତନ ହୋଇଛି। ଚଳିତ ବର୍ଷ ଏହା ୩ କିମି ଦୂରରେ ଥିବା ନୂଆପୋଡ଼ମପେଟାକୁ ଘୁଞ୍ଚି ଯାଇଛି। ଫଳରେ ଆର୍ଯ୍ୟପଲ୍ଲୀ, ନୋଳିଆ ନୂଆଗାଁ, ପୁରୁଣାବନ୍ଧ, ଗୋଖରକୁଦା, ପୋଡ଼ମପେଟା ଓ କଣ୍ଟିଆଗଡ଼ର ବେଳାଭୂମି ମଧ୍ୟ ସମ୍ପୂର୍ଣ୍ଣ ରୂପେ ଅବକ୍ଷୟ ହୋଇ ଯାଇଛି। ଏହାସତ୍ତ୍ବେ ଚଳିତ ବର୍ଷ ପ୍ରାୟ ସାଢ଼େ ୫ଲକ୍ଷ ଅଲିଭ୍‌ ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ମେ’ ମାସରେ ଦେଖା ଦେଇଥିବା ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ରରେ ବଡ଼ ବଡ଼ ଜୁଆର ସୃଷ୍ଟି ହୋଇଥିଲା। ଏପରିକି ସମୁଦ୍ର ଲଙ୍ଘି କୂଳ ଖାଇଥିଲା। ଫଳରେ ଲକ୍ଷାଧିକ କଇଁଛ ଅଣ୍ଡା ସମୁଦ୍ରରେ ଭାସି ଯାଇଥିଲା। ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ କଇଁଛ ପାଇଁ କାଳ ହୋଇଛି।

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ ଦୀର୍ଘବର୍ଷ ହେଲା ଉଦ୍ୟମ ଜାରି ରଖିଛନ୍ତି। ଜଳବାୟୁ ପରିବର୍ତ୍ତନ ସହିତ ସମୁଦ୍ର କୂଳ ଖାଇବା ଯୋଗୁଁ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ଭବିଷ୍ୟତରେ ବିପଦ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର