ଜଳବାୟୁ ସହଣି କୃଷିନୀତି ପ୍ରସ୍ତୁତ ପ୍ରସ୍ତାବ ବିଳମ୍ବିତ
ପ୍ରସ୍ତୁତ କରୁ ନାହାନ୍ତି ଅନ୍ୟ ରାଜ୍ୟ, କ୍ଷତିଗ୍ରସ୍ତ ହେଉଛି ଓଡ଼ିଶା
ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଖସଡ଼ା-୨୦୨୧-୩୦ ପର୍ଯ୍ୟନ୍ତ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ଗତ ଜୁଲାଇ ମାସରୁ ପଠାଇଛି ଓଡ଼ିଶା। ପଞ୍ଜାବ, ଗୁଜରାଟ ଏବଂ ଓଡ଼ିଶା ବ୍ୟତୀତ ଅନ୍ୟ କେହି ଖସଡ଼ା ପ୍ରସ୍ତୁତ କରିନଥିବାରୁ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରୁନଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏଥିଯୋଗୁଁ ଓଡ଼ିଶା ସରକାରଙ୍କ ଜଳବାୟୁ ସହଣି କୃଷିନୀତି ପ୍ରସ୍ତୁତ ପ୍ରସ୍ତାବ ବିଳମ୍ବିତ ହେଉଛି।
୧୯୭୦ ମସିହାରୁ ୨୦୨୧ ମସିହା ୫୧ବର୍ଷ ମଧ୍ୟରେ କେବଳ ୮ ବର୍ଷ ହିଁ ରାଜ୍ୟରେ ମରୁଡ଼ି, ବନ୍ୟା, ବାତ୍ୟା ଭଳି କୌଣସି ପ୍ରାକୃତିକ ଦୁର୍ବିପାକ ହୋଇ ନାହିଁ। ସେହି ବର୍ଷ ଗୁଡ଼ିକ ହେଲା ୧୯୮୩, ୧୯୮୬, ୧୯୮୮, ୧୯୮୯, ୧୯୯୧, ୧୯୯୩, ୧୯୯୪ ଓ ୧୯୯୫ ମସିହା।
ବଙ୍ଗୋପସାଗରରେ ସାମାନ୍ୟତମ ଅଶାନ୍ତ ଦ୍ବାରା ଏହାର ତଟବର୍ତ୍ତୀ ୪୮୦ କିଲୋମିଟର ବେଳାଭୂମି ପ୍ରଭାବିତ ହେଉଛି। ଅନ୍ୟଦିଗରେ ପଶ୍ଚିମ ଓଡ଼ିଶାରେ ବର୍ଷାହାନୀ ଯୋଗୁଁ ମରୁଡ଼ି ସେହି ଅଞ୍ଚଳକୁ ବରବାଦ କରିବାକୁ ବସିଲାଣି। ଏହାକୁ ଦୃଷ୍ଟିରେ ରଖି ୨୦୧୦ ମସିହାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲା। ଏହା ପୂର୍ବରୁ ୨୦୦୮ ମସିହାରେ ଜାତୀୟସ୍ତରରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଥିଲା। ଏହାକୁ ଭିତ୍ତିକରି ଓଡ଼ିଶା ନିଜ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ପ୍ରଶଂସିତ ହୋଇଛି। ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟ ମଧ୍ୟ ଏଭଳି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ କାର୍ଯ୍ୟ ଖସଡ଼ା ପ୍ରସ୍ତୁତିକୁ ସବୁ ରାଜ୍ୟ ବିଳମ୍ବ କରୁଛନ୍ତି।
ସେପ୍ଟେମ୍ବର ମାସରେ ଏହାକୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଖସଡ଼ାରେ ବନ ବିଭାଗ, କୃଷି, ପଶୁପାଳନ, ସ୍ବାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ, ନଗର ଉନ୍ନୟନ ସମେତ ୧୧ଟି ବିଭାଗକୁ ସାମିଲ କରାଯାଇଛି। ବନ ବିଭାଗ ଏହାର ମୁଖ୍ୟ ନୋଡାଲ ବିଭାଗ। ୧୯୯୯ ମସିହା ମହାବାତ୍ୟା ପରଠାରୁ ବାତ୍ୟାଜନିତ ଜୀବନହାନୀ ରୋକିବାରେ ସରକାର ଏକରକମର ସଫଳତା ପାଇଛନ୍ତି। ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷ ଏବଂ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାର ମୁକାବିଲା ପାଇଁ କୃଷି ବିଭାଗ ସମୁଦାୟ ୧୧ଟି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ଏଥିରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ରହିଛି ଜଳବାୟୁ ସହଣି କୃଷି ନୀତି ପ୍ରସ୍ତୁତ। ଏହାକୁ ୧୦ ଭାଗରେ ବିଭକ୍ତ କରାଯାଇଥିବା ବେଳେ ଓଡ଼ିଶା କୃଷି ଜଳବାୟୁ ଜୋନ୍ ପାଇଁ ସ୍ବତନ୍ତ୍ର ଜଳବାୟୁ ସହଣି କୃଷି ନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି।
ଏହି ଜୋନ୍ ଗୁଡ଼ିକ ହେଲା ସୁନ୍ଦରଗଡ଼, ଦେବଗଡ଼ର କିଛି ଅଂଶ, ଝାରସୁଗୁଡ଼ା, ସମ୍ବଲପୁରକୁ ନେଇ ଉତ୍ତର-ପଶ୍ଚିମ, ମୟୂରଭଞ୍ଜ ଏବଂ କେନ୍ଦୁଝରର କିଛି ଅଂଶକୁ ନେଇ ଉତ୍ତର-କେନ୍ଦ୍ରାଞ୍ଚଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝରର କିଛି ଅଂଶକୁ ନେଇ ଉତ୍ତର-ପୂର୍ବାଞ୍ଚଳ, କେନ୍ଦ୍ରାପଡ଼ା, ଖୋର୍ଧା, ଜଗତସିଂହପୁର, କଟକ, ପୁରୀ, ନୟାଗଡ଼ର କିଛି ଅଂଶ, ଗଂଜାମର କିଛି ଅଂଶକୁ ନେଇ ପୂର୍ବ-ଦକ୍ଷିଣ ପୂର୍ବାଞ୍ଚଳ କୋଷ୍ଟାଲ, ଫୁଲବାଣୀ, ରାୟଗଡ଼ା, ଗଞ୍ଜାମ, କୋରାପୁଟର କିଛି ଅଂଶକୁ ନେଇ ଉତ୍ତର-ପୂର୍ବାଞ୍ଚଳ ଘାଟ, କୋରାପୁଟ-ନବରଙ୍ଗପୁରକୁ ନେଇ ପୂର୍ବ ଘାଟ ଉଚ୍ଚ ଭୂମି, ମାଲକାନଗିରି, କୋରାପୁଟର କିଛି ଅଂଶକୁ ନେଇ ଦକ୍ଷିଣ-ପୂର୍ବାଞ୍ଚଳ ଘାଟ, କଳାହାଣ୍ଡି-ନୂଆପଡ଼ାକୁ ନେଇ ପଶ୍ଚିମ ତରଙ୍ଗିତ ଜୋନ୍, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ାର କିଛି ଅଂଶକୁ ନେଇ ପଶ୍ଚିମ-କେନ୍ଦ୍ରାଞ୍ଚଳ ଟେବୁଲ ଲ୍ୟାଣ୍ଡ, ଅନୁଗୁଳ, ଢେଙ୍କାନାଳ, କଟକ ଏବଂ ଯାଜପୁରର କିଛି ଅଂଶକୁ ନେଇ ମିଡ ସେଣ୍ଟ୍ରାଲ ଟେବୁଲ ଲ୍ୟାଣ୍ଡ। ଏହାର ମାଟି ଏବଂ ଜଳବାୟୁ ଭିନ୍ନ। ସେହିଭଳି ଚାଷ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ୨୦୧୦ ମସିହାର କାର୍ଯ୍ୟ ଖସଡ଼ାରେ ମଧ୍ୟ ଏହା ସାମିଲ ଥିଲା। କିନ୍ତୁ ଗାଁ ଏବଂ ପଞ୍ଚାୟତରେ ଜଳବାୟୁ ଯେଉଁଭଳି ତା’ର ଭିନ୍ନ ରୂପ ଦେଖାଉଛି, ଏହାକୁ ଆହୁରି ମାଇକ୍ରୋସ୍ତରରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଯାହାକୁ ଜଳବାୟୁ ସହଣି କୃଷି ନୀତିରେ ପ୍ରସ୍ତାବିତ ସ୍ତରରେ ରହିଛି। କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ଏହି ପ୍ରସ୍ତାବକୁ କେବେ ଅନୁମୋଦନ କରିବେ ଏହାକୁ ଅପେକ୍ଷା ରହିଛି।
ଜଳବାୟୁ ବଜେଟ୍କୁ ଅପେକ୍ଷା
ଓଡ଼ିଶା ସରକାର ଜଳବାୟୁ ପରିବର୍ତ୍ତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ନିଜକୁ ନିଜେ ଅନେକ ଥର ପ୍ରଶଂସା କରି ସାରିଛନ୍ତି। ମାତ୍ର ଏନେଇ ସ୍ବତନ୍ତ୍ର ବଜେଟ ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ କରି ନାହାନ୍ତି। ଅର୍ଥ ବିଭାଗ ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିଥିଲେ ବି ଲାଭ ହୋଇନାହିଁ। ୨୦୧୯ ମସିହାରେ ଜଳବାୟୁ ବଜେଟ୍ ପାଇଁ ନିଷ୍ପତ୍ତି ମଧ୍ୟ ହୋଇଥିଲା କିନ୍ତୁ କାର୍ଯ୍ୟକାରୀ ହୋଇ ନାହିଁ।