ଭଞ୍ଜନଗର : ରାଜ୍ୟର ବୃହତ୍ ବନଖଣ୍ଡ ତଥା ଗଞ୍ଜାମ ଜିଲ୍ଲାରେ ଥିବା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଥିବା ହାତୀଙ୍କ ସୁରକ୍ଷାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅସ୍ବାଭାବିକ ପାଣିପାଗ ଓ ଜଳବାୟୁର ପରିବର୍ତ୍ତନକୁ ଏଥିପାଇଁ ପରିବେଶବିତ୍ ଦାୟୀ କରୁଛନ୍ତି। ବର୍ଷାଦିନେ ଠିକ୍ ଭାବେ ବର୍ଷା ନ ହେବା, ଶୀତର ଅବଧି କମିବା ଏବଂ ଗ୍ରୀଷ୍ମରେ ପ୍ରଚଣ୍ଡ ଖରା ହାତୀଙ୍କ ଜୀବନ ପ୍ରତି ଯେମିତି ବିପଦ ସୃଷ୍ଟି କରିଛି। ଖରାଦିନରେ ଜଳାଶୟର ଉଚିତ ରକ୍ଷଣାବେକ୍ଷଣ ହୋଇ ନପାରିବା ଓ ପର୍ଯ୍ୟାପ୍ତ ଜଳାଶୟର ବ୍ୟବସ୍ଥା ହୋଇ ନପାରିବା ଏବଂ ଖାଦ୍ୟ ଅଭାବରୁ ହାତୀପଲ ବହୁ ସମୟରେ ଜନବସତିମୁହାଁ ହେଉଥିବାର ଅନେକ ନଜିର୍ ରହିଛି। ଏହି ଜଙ୍ଗଲର ପରିବେଶ ସହ ହାତୀମାନେ ଖାପଖୁଆଇ ଚଳିପାରୁନାହାନ୍ତି।
ବିଭାଗୀୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ବର୍ତ୍ତମାନ ତଥା ଆଜି ସୁଦ୍ଧା ୬୮ ଟି ହାତୀ ରହିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ବନାଞ୍ଚଳରେ ୨୩ଟି, ମୁଜାଗଡ଼ରେ ୧୮ ଟି ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ୧୫ ଏଭଳି ମୋଟ ୫୬ଟି ହାତୀ ରହିଛନ୍ତି। ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡର ସୋରଡ଼ା ରେଞ୍ଜ୍ ଅଧୀନ ପଣ୍ଡାଖୋଲ ଜଙ୍ଗଲରେ ୧୨ଟି ହାତୀ ଅଛନ୍ତି। କିନ୍ତୁ ଅନ୍ୟ କୌଣସି ରେଞ୍ଜ୍ରେ ହାତୀ ନାହାନ୍ତି। ହାତୀମାନଙ୍କ ଉତ୍ତର ଘୁମୁସର ବନଖଣ୍ଡରେ ୩୩ଟି ପୋଖରୀ ତଥା ଜଳାଶୟ ଖୋଳାଯାଇଛି। ଗାଲେରୀ ରେଞ୍ଜ୍ରେ ୬ଟି, ମୁଜାଗଡ଼ ରେଞ୍ଜ୍ରେ ୫ଟି, ସେଣ୍ଟ୍ରାଲ୍ ରେଞ୍ଜ୍ରେ ୭ଟି, ତାରସିଂ ରେଞ୍ଜ୍ରେ ୧୦ ଟି ଏବଂ ଜଗନ୍ନାଥପ୍ରସାଦ ରେଞ୍ଜ୍ରେ ୫ଟି ପୋଖରୀ ଖୋଳାଯାଇଛି। ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ୨୫ଟି ପୋଖରୀ ଖୋଳାଯାଇଛି।
/sambad/media/post_attachments/wp-content/uploads/2022/06/ponddddd-300x201.jpg)
କିନ୍ତୁ, ପୋଖରୀଗୁଡ଼ିକ ଖୋଳାହେବା ପରଠୁ ଏହାର ରକ୍ଷଣାବେକ୍ଷଣ ହୋଇପାରୁନି। ଏହାସହ କିଛି ପୋଖରୀର ପାଣିର ସ୍ବଚ୍ଛତା ଓ ଗୁଣବତ୍ତାକୁ ଯାଞ୍ଚ କରାଯାଉନି। ଅନେକ ପୋଖରୀର ମାଟି ଧସି ପୋତି ହେବାକୁ ବସିଛି। ହେଲେ ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନି। ଜଙ୍ଗଲ ଭିତରେ ଥିବା ଅନେକ ପ୍ରାକୃତିକ ଜଳସ୍ରୋତ ଶୁଖିଯାଇଛି। ପ୍ରାକୃତିକ ଜଳାଶୟ ସହିତ ଜଙ୍ଗଲ ମଧ୍ୟରେ ଥିବା ଛୋଟମୋଟ ଝରଣାରେ ମଧ୍ୟ ବର୍ଷାଦିନକୁ ବାଦ୍ଦେଲେ ଅନ୍ୟ ସମୟରେ ପାଣିର ସ୍ରୋତ କମିବାରେ ଲାଗିଛି। ଯାହାଫଳରେ, ପାଣିର ଘୋର ଅଭାବ ଦେଖାଦେଉଛି। ବର୍ଷା ଦିନେ ପ୍ରାୟ ସବୁ ଝରଣାରେ ପାଣି ରହିଥାଏ। ପାହାଡ଼ ଉପରୁ ଝରି ଆସୁଥିବା ପାଣି ଦ୍ବାରା ଏହି ଋତୁକାଳୀନ ଝରଣା ସୃଷ୍ଟି ହୁଏ। ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ହାତୀମାନଙ୍କ ପାଇଁ ବିରାଟ ଜଳାଶୟ ନିର୍ମାଣ କରାଯାଉଛି। କିନ୍ତୁ, ପରବର୍ତ୍ତୀ ସମୟରେ ତାର ରକ୍ଷଣବେକ୍ଷଣା କଥା ସମସ୍ତେ ଭୁଲିଯାଉଛନ୍ତି। ସରକାରୀ ନିୟମ ଅନୁଯାୟୀ ୪୦ ମିଟର ଲମ୍ବା ୩୦ ମିଟର ଓସାର ସହ ୩ ମିଟର ଗଭୀର ବିଶିଷ୍ଟ ପୋଖରୀ ଖୋଳାଯାଉଥିବା ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଅନେକ ସ୍ଥାନରେ ତାହା କେବଳ କାଗଜକଲମରେ ସୀମିତ ରହିଥିବା ଦୃଷ୍ଟିଗୋଚର ହୋଇଛି।
ଅନ୍ୟପକ୍ଷରେ, ପର୍ଯ୍ୟାପ୍ତ ପାଣି ଓ ଖାଦ୍ୟ ଅଭାବରୁ ବହୁ ସମୟରେ ହାତୀପଲ ଜନବସତିମୁହାଁ ହେଉଛନ୍ତି। ସେହିପରି ଅନେକ ଔଷଧୀୟ ଓ ମୂଲ୍ୟବାନ୍ ଗଛରେ ଭରି ହୋଇ ରହିଥିବା ଦୁଇ ବନଖଣ୍ଡରେ ବର୍ତ୍ତମାନ ବିରଳ କୃଷ୍ଣସାର ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/8a25a6e0-0219-4e8b-b124-d6c4d8f66f9a.jpg)