ବରଗଡ଼ : ୨୫ବର୍ଷ ତଳେ ପଶ୍ଚିମ ଓଡ଼ିଶାରେ ପ୍ରାୟ ୧୦ ହଜାରରୁ ଅଧିକ ପ୍ରଜାତିର ଧାନ ଦେଖିବାକୁ ମିଳୁଥିଲା। ଏବେ ଏହି ସଂଖ୍ୟା ୪ ଶହକୁ ଖସିଆସିଛି। ପର୍ଯ୍ୟାପ୍ତ ବର୍ଷା ନହେବାରୁ ଆଉ କିଛି ପ୍ରଜାତିର ଧାନ ବଂଚିବା ସମ୍ଭବ ହେଉନାହିଁ। ଯଦ୍ୱାରା ପଶ୍ଚିମ ଓଡ଼ିଶାର ପ୍ରମୁଖ ଫସଲ ଧାନର ଅନେକ ପ୍ରଜାତି ବିଲୁପ୍ତ ହେବାକୁ ଲାଗିଛି। ସ୍ୱଳ୍ପ ବର୍ଷାରେ ଖାପ ଖୁଆଇ ପାରୁଥିବା ଫସଲ ହିଁ ବଂଚି ପାରୁଛନ୍ତି। ଅନ୍ୟ ଫସଲ ବର୍ଷାଭାବ ଯୋଗୁଁ ତିଷ୍ଠି ପାରୁନାହାନ୍ତି। ଏଥି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି।

Advertisment

ପ୍ରାୟ ଗୋଟିଏ ଦଶନ୍ଧି ହେଲା ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା କମିଛି। ବାର୍ଷିକ ବୃଷ୍ଟିପାତ ହାର ସବୁ ଜିଲ୍ଲାରେ କ୍ରମଶଃ ଖସିବାରେ ଲାଗିଛି। ବିଗତ ୧୦ ବର୍ଷର ପରିସଂଖ୍ୟାନ ଦେଖିଲେ ସ୍ଥିତି ଉଦ୍‌ବେଗଜନକ ଥିବା ସ୍ପଷ୍ଟ ବାରି ହେଉଛି। ଏହି ଅବଧି ମଧ୍ୟରେ ଅସ୍ୱାଭାବିକ ପାଣିପାଗ, ମୌସୁମୀ ଗାଏବ୍‌ ହେବା ଭଳି ଅନେକ ଦୃଷ୍ଟାନ୍ତ ରହିଛି। ଚାଷବାସ ଗୋଟିଏ ହିସାବରେ କେବଳ ଲଘୁଚାପ ବର୍ଷା ଉପରେ ହିଁ ନିର୍ଭରଶୀଳ। ଖରାର ଅବଧି ବଢ଼ୁଥିବା ବେଳେ ଶୀତ ଏବଂ ବର୍ଷା ଦିନ ସଂଖ୍ୟା କମୁଛି। ଫଳରେ ପଶ୍ଚିମ ଓଡ଼ିଶାକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ୁଛି। ବର୍ଷାଭାବ ସହ ଭୂତଳ ଜଳସ୍ତର ମଧ୍ୟ କ୍ରମାଗତ ଭାବେ ଖସୁଛି। ଯାହାର ସିଧାସଳଖ ପ୍ରଭାବ କୃଷି କ୍ଷେତ୍ରରେ ପଡ଼ିଛି। ଜଳାଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ମରୁଡ଼ି ପରିସ୍ଥିତିର ସାମନା କରିବାକୁ ପଡ଼ୁଛି।

publive-image WallpaperAccess

ରେକର୍ଡ ଅନୁସାରେ, କେବଳ ଜୁନ ମାସରେ ହେଉଥିବା ବର୍ଷାରେ ହିଁ ପଶ୍ଚିମ ଓଡ଼ିଶାର ଚାଷକାର୍ଯ୍ୟ ତିଷ୍ଠି ରହିଛି। ଏହି ଅବଧିରେ ବର୍ଷା ଅନୁପାତ କମିଗଲେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ବିଶ୍ୱରେ ୧୮୫୦ ମସିହା ପରେ ଗ୍ରିନ ହାଉସ୍‌ ଗ୍ୟାସ୍‌ର ପ୍ରଭାବ ବଢ଼ିଚାଲିଛି। ବିଭିନ୍ନ ରସାୟନିକ ବିକିରଣ ସହ ଭୂପୃଷ୍ଠ ଅତ୍ୟଧିକ ଉତ୍ତପ୍ତ ହେବା ଯୋଗୁଁ ବାୟୁମଣ୍ଡଳ ଉପରେ ଏହାର କୁପ୍ରଭାବ ପଡ଼ିଛି। ଫଳରେ ବର୍ଷାଭାବ ଏବଂ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୫୦ବର୍ଷ ମଧ୍ୟରେ ପଶ୍ଚିମ ଓଡ଼ିଶାର ପାଖାପାଖି ୩୦ ପ୍ରତିଶତ ଜଂଗଲ ନଷ୍ଟ ହୋଇଥିବା ଗୋଟିଏ ବିଦେଶୀ ସଂସ୍ଥାର ସର୍ଭେ ରିପୋର୍ଟ କହୁଛି। ଏହାସହିତ ଶିଳ୍ପାନୁଷ୍ଠାନ ଏବଂ ଯାନବାହାନର ମାତ୍ରାଧିକ ଚଳାଚଳ ଯୋଗୁଁ ଓଜନ ସ୍ତର କମିବାକୁ ଲାଗିଛି। ତେଣୁ ସମସ୍ତ ଜିଲ୍ଲାର ସ୍ୱାଭାବିକ ତାପମାତ୍ରା ପ୍ରତି ୩୫ ବର୍ଷରେ ୧ରୁ ୩ ଡିଗ୍ରି ଲେଖାଏଁ ବୃଦ୍ଧି ପାଇଥିବା ରେକର୍ଡ ସୂଚାଉଛି। ତେଣୁ ଅସ୍ବାଭାବିକ ତାପମାତ୍ରା ଓ ପରିବେଶ ଯୋଗୁଁ ପାରମ୍ପରିକ ଧାନ କିସମ ଏବଂ ପନିପରିବା ଉଜୁଡ଼ି ଯାଉଛି ବୋଲି ବି‌ଶେଷଜ୍ଞଙ୍କ ମତ।