ବଲାଙ୍ଗୀର: ଦଶନ୍ଧି ତଳେ ମାର୍ଚ୍ଚ ମାସ ଆସିଲେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ଗଣମାଧ୍ୟମର ଶିରୋନାମାରେ ରହୁଥିଲା। କାରଣ ଦେଶରେ ତାପମାତ୍ରା କ୍ଷେତ୍ରରେ ଟିଟିଲାଗଡ଼ ‘ତତଲାଗଡ଼’ର ଆଖ୍ୟା ପାଇଛି। ୨୦୧୦ ମାର୍ଚ୍ଚରେ ରାଜ୍ୟର ହାରାହାରି ତାପମାତ୍ରା ୩୬ ଡିଗ୍ରି ରହିଥିଲା। କିନ୍ତୁ ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ସେହିବର୍ଷ ମେ’ ମାସରେ ପାରଦ ୫୦ ଡିଗ୍ରି ପହଞ୍ଚି ଯାଇଥିଲା। ୨୦୧୬ ଏପ୍ରିଲରେ ହିଁ ଟିଟିଲାଗଡ଼ର ପାରଦ ୪୯ ଡିଗ୍ରି ଅତିକ୍ରମ କରିଥିଲା। ଯାହା ଏପ୍ରିଲ ମାସରେ ଦେଶର ସର୍ବୋଚ୍ଚ ତାପମାତ୍ରା ରହିଥିଲା। ଟିଟିଲାଗଡ଼ରେ ବର୍ଦ୍ଧିତ ତାପମାତ୍ରା ପାଇଁ ସହର ନିକଟସ୍ଥ କୁମୁଡ଼ା ପାହାଡ଼କୁ ଦାୟୀ କରାଗଲା। ପାହାଡ଼ ତଳ ଦେଶରେ ବ୍ୟାପକ ଗଛ ଲାଗିଲା। ଉପରେ ବି ଚାରା ଲଗାଗଲା। କିଛି ବର୍ଷ ଟିଟିଲାଗଡ଼ରେ ତାପମାତ୍ରା ସହ୍ୟ କଲାଭଳି ସ୍ଥିର ରହିଲା। କିନ୍ତୁ ତିନି ଚାରି ବର୍ଷ ହେଲା ଟିଟିଲାଗଡ଼ ପୁଣି ତତଲାଗଡ଼ ପାଲଟିଛି। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି।
ମାର୍ଚ୍ଚ ୧ରେ ଦେଶର ସର୍ବୋଚ୍ଚ ତାପମାତ୍ରା ଥିଲା ୩୮.୫ ଡିଗ୍ରି। ଟିଟିଲାଗଡ଼ ଓ କର୍ଣ୍ଣାଟକ ରାଜ୍ୟର ଅଙ୍କୋଲା ସହର ଦ୍ବୈତ ଭାବେ ଏହି ରେକର୍ଡର ଅଧିକାରୀ ଥିଲେ। ଅଙ୍କୋଲା ସହର ପଶ୍ଚିମରେ ଆରବ ସାଗର କୂଳରେ ରହିଛି। ଏହାର ବାକି ତିନି ପଟେ ଘଞ୍ଚ ଜଙ୍ଗଲ ଓ କ୍ଷେତ ରହିଛି। ତେବେ ଏଭଳି ଭୂସ୍ବର୍ଗ କାହିଁକି ଉତ୍ତପ୍ତ ହେଲା? ଟିଟିଲାଗଡ଼ ସହ ସେଠାକାର ପରିବେଶର କ’ଣ ସାମଞ୍ଜସ୍ୟ? ଏହାର ଉତ୍ତର ସିଧା ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ଯୋଡ଼ି ହେଉଛି। ଅଙ୍କୋଲା ସହର ଧାନ ସମେତ ଆମ୍ବ ଚାଷ ପାଇଁ ବେଶ୍ ପ୍ରସିଦ୍ଧ। ସେଠାରେ ଗଙ୍ଗାବଳୀ ନଦୀ ପ୍ରବାହିତ। ତିନି ଦଶନ୍ଧି ତଳେ ଖରା ଦିନେ ହାରାହାରି ତାପମାତ୍ରା ଥିଲା ୩୨ରୁ ୩୫ ଡିଗ୍ରି।
ଶୀତ ଦିନେ ହାରାହାରି ତାପମାତ୍ରା ୨୬ରୁ ୩୦ ଡିଗ୍ରି ଥିଲା। କିନ୍ତୁ ଏବେ ସେଠାରେ ସର୍ବୋଚ୍ଚ ତାପମାତ୍ରା ହାରାହାରି ୮ ଡିଗ୍ରି ଯାଏଁ ବୃଦ୍ଧି ପାଇଛି। ଗଙ୍ଗାବଳୀ ନଦୀର ସ୍ରୋତ କମିବା ଏବଂ ବର୍ଷାଭାବ ଯୋଗୁଁ ସେଠାରେ ଚାଷକ୍ଷେତ୍ରରେ ଉତ୍ପାଦନ କମି ଯାଇଛି। ସବୁଜିମା କମିବା ଯୋଗୁଁ ଏହା ଉତ୍ତପ୍ତ ପାଲଟିଛି। ଚାଷୀ ଆତ୍ମହତ୍ୟା ହାର ବି ବଢ଼ିଛି। ଏଭଳି ପରିବର୍ତ୍ତିତ ଦୃଶ୍ୟ ଟିଟିଲାଗଡ଼ କ୍ଷେତ୍ରରେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି। ଏଠାରେ ତେଲନଦୀ ବହିଯାଇଛି। କିନ୍ତୁ ନଦୀରେ ପୂର୍ବ ଭଳି ପାଣିନାହିଁ। ଟିଟିଲାଗଡ଼ ଚାରିପଟେ ଘଞ୍ଚ ସବୁଜିମା ଆଗଭଳି ନାହିଁ। ଗତ ଗୋଟିଏ ଦଶନ୍ଧି ହେଲା ଟିଟିଲାଗଡ଼ରେ ସ୍ବାଭାବିକ ବୃଷ୍ଟିପାତ ହୋଇନାହିଁ। ବର୍ଷାହାର କମିବା ଯୋଗୁଁ ମରୁଡ଼ି ଲାଗି ରହୁଛି। ଧାନଚାଷରେ ଚାଷୀ କ୍ଷତି ସହୁଥିବାରୁ ଦାଦନ ଏବଂ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି। ତିନି ଦଶନ୍ଧି ତଳେ ଏଠାରେ ଖରାଦିନେ ୩୦ ରୁ ୩୨ ଡିଗ୍ରି ହାରାହାରି ତାପମାତ୍ରା ରହୁଥିଲା। ଯାହା ୪୩ ଡିଗ୍ରି ଅତିକ୍ରମ କରିସାରିଛି। ଜଳବାୟୁ ପରିବର୍ତ୍ତନ କିଭଳି ଦେଶର କୋଣ ଅନୁକୋଣକୁ ପ୍ରଭାବିତ କରୁଛି, ଏହି ଦୁଇଟି ସହରର ଉଦାହରଣରୁ ଜଳଜଳ ହୋଇ ଜଣାପଡ଼ୁଛି।