ବଲାଙ୍ଗୀର: ପ୍ରାୟ ଗୋଟିଏ ଦଶନ୍ଧି ହେଲା ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା କମିଛି। ବାର୍ଷିକ ବୃଷ୍ଟିପାତ ହାର ସବୁ ଜିଲ୍ଲାରେ କ୍ରମଶଃ ଖସିବାରେ ଲାଗିଛି। ବିଗତ ୧୦ ବର୍ଷର ପରିସଂଖ୍ୟାନ ଦେଖିଲେ ସ୍ଥିତି ଉଦ୍ବେଗଜନକ ଥିବା ସ୍ପଷ୍ଟ ବାରି ହେଉଛି। ଏହି ଅବଧି ମଧ୍ୟରେ ଅସ୍ବାଭାବିକ ପାଣିପାଗ, ମୌସୁମି ଗାଏବ୍ ହେବା ଭଳି ଅନେକ ଦୃଷ୍ଟାନ୍ତ ରହିଛି। ବିଭିନ୍ନ ରାସାୟନିକ ବିକିରଣ ସହ ଭୂପୃଷ୍ଠ ଅତ୍ୟଧିକ ଉତ୍ତପ୍ତ ହେବା ଯୋଗୁଁ ବାୟୁମଣ୍ଡଳ ଉପରେ ଏହାର କୁପ୍ରଭାବ ପଡ଼ିଛି। ଫଳରେ ବର୍ଷାଭାବ ଏବଂ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୫୦ବର୍ଷ ମଧ୍ୟରେ ପଶ୍ଚିମ ଓଡ଼ିଶାର ପାଖାପାଖି ୩୦ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଥିବା ଏକ ବିଦେଶୀ ସଂସ୍ଥାର ସର୍ଭେ ରିପୋର୍ଟ କହୁଛି। ଜଳବାୟୁ ପରିବର୍ତ୍ତନର କରାଳ ରୂପ ବଲାଙ୍ଗୀର ଜିଲ୍ଲାର ପାଣିପାଗକୁ ଦେଖିଲେ ଠଉରାଇ ହେଉଛି। ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଜିଲ୍ଲାର ସ୍ବାଭାବିକ ପାଣିପାଗ ବିଗିଡ଼ି ଯାଇଛି। ସରକାରୀ ରିପୋର୍ଟ ଅନୁସାରେ, ୧୯୭୨ରୁ ୨୦୨୩ ମସିହା ମଧ୍ୟରେ ବଲାଙ୍ଗୀର ଜିଲ୍ଲା ୨୭ଟି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।
ଏହି ଅବଧି ମଧ୍ୟରେ ଜିଲ୍ଲା ସର୍ବାଧିକ ଭାବେ ମରୁଡ଼ିର ସମ୍ମୁଖୀନ ହୋଇଛି। ୫୦ ବର୍ଷରେ ବଲାଙ୍ଗୀର ୧୬ ବର୍ଷ ମରୁଡ଼ିର ଶିକାର ହୋଇଛି। କେବଳ ୨୦୦୦ ରୁ ୨୦୨୩ ମଧ୍ୟରେ ୧୦ ଥର ଜିଲ୍ଲାରେ ମରୁଡ଼ି ପଡ଼ିଛି। ସେହିପରି ପାଞ୍ଚ ଦଶନ୍ଧି ମଧ୍ୟରେ ୧୯୮୨ ମସିହାରେ ଜିଲ୍ଲା ଉଭୟ ବନ୍ୟା ଏବଂ ମରୁଡ଼ି ଦେଖିଛି। ୨୦୧୩ରେ ଫାଇଲିନ୍କୁ ମିଶାଇ ୨୦୧୪ ଏବଂ ୨୦୨୧ ମସିହାରେ ସାଙ୍ଘାତିକ ବର୍ଷାର ଶିକାର ହୋଇଛି। ଯଦ୍ବାରା ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହେବା ସହ ଫସଲହାନି ହୋଇଛି। ସେହିପରି ୨୦୦୬ରୁ ୨୦୨୦ ମସିହା ମଧ୍ୟରେ ବଲାଙ୍ଗୀର ଜିଲ୍ଲା ବନ୍ୟାରେ ବି ଭାସିଛି। ୨୦୦୧ ଏବଂ ୨୦୧୮ ମସିହାରେ ଚାଷରେ ରୋଗପୋକ ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି। ଏସବୁ ପରିସଂଖ୍ୟାନ ଦେଖିଲେ, ଜିଲ୍ଲାରେ କିଭଳି ଜଳବାୟୁ ପରିବର୍ତ୍ତନ ସ୍ବାଭାବିକ ଜୀବନଧାରାକୁ ପ୍ରଭାବିତ କରିଛି, ତାହା ଜଳଜଳ ଦିଶୁଛି। ଜିଲ୍ଲାର ଚାଷବାସ ଗୋଟିଏ ହିସାବରେ କେବଳ ଲଘୁଚାପ ବର୍ଷା ଉପରେ ହିଁ ନିର୍ଭରଣୀଳ। ଖରାଦିନର ଅବଧି ବଢ଼ୁଥିବା ବେଳେ ଶୀତ ଏବଂ ବର୍ଷା ଦିନ ସଂଖ୍ୟା କମୁଛି।
ଫଳରେ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିବାକୁ ପଡ଼ୁଛି। ବର୍ଷାଭାବ ସହ ଭୂତଳ ଜଳସ୍ତର ମଧ୍ୟ କ୍ରମାଗତ ଭାବେ ଖସୁଛି। ଯାହାର ସିଧାସଳଖ ପ୍ରଭାବ କୃଷି କ୍ଷେତ୍ରରେ ପଡ଼ିଛି। ଜଳାଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ମରୁଡ଼ି ସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ମୋଟାମୋଟି ଭାବେ, ଜିଲ୍ଲାର ସ୍ବାଭାବିକ ପାଣିପାଗ ଗୋଟିଏ ଦଶନ୍ଧି ହେଲା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/fshfffttt.jpg)