ଆଜିଠୁ ରାଜ୍ୟରେ ପାଗ ପରିବର୍ତ୍ତନ: କମିବ ଶୀତ, ୧୪ ଯାଏ ବର୍ଷା ସମ୍ଭାବନା

୧୧ ଓ ୧୨ରେ କୁଆପଥର ବର୍ଷା

ଭୁବନେଶ୍ୱର : ଆଜିଠାରୁ ରାଜ୍ୟର ପାଗରେ ପରିବର୍ତ୍ତନ ଦେଖାଯିବ। ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୪ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ପାଗ କୋହଲା ରହିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବ ଓ ବର୍ଷା ହେବ। ଫଳରେ ରାଜ୍ୟର ପାରଦସ୍ତର ଉପରମୁହାଁ ହେବ। ଶୀତ କମିଯିବ। ଆଜି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

NDTV.com

ପାଣିପାଗ କେନ୍ଦ୍ର କହିଛି ଯେ ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିଥିଲା। ଶନିବାର ସକାଳେ କୋରାପୁଟ, ଗଜପତି, କଳାହାଣ୍ଡି, ପୁରୀ ଓ ଅନୁଗୁଳ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି। ଫୁଲବାଣୀରେ ୧୦ ଡିଗ୍ରି, ଦାରିଙ୍ଗବାଡ଼ିରେ ୮ ଡିଗ୍ରି ସେଲ୍‌ସିୟସ୍‌, ଭୁବନେଶ୍ବରରେ ୧୪ ଡିଗ୍ରି ସେଲ୍‌ସିୟସ୍‌ ଲେଖାଏ ରାତି ତାପମାତ୍ରା ରେକର୍ଡ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।
ଆଜି ରାଜ୍ୟର ପାଗରେ ପରିବର୍ତ୍ତନ ଆସିବ। ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ୧୧ ଓ ୧୨ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବୃଦ୍ଧି ପାଇବ। ୧୧ ଓ ୧୨ ତାରିଖରେ ରାଜ୍ୟରେ କୁଆପଥର ବର୍ଷାର ବି ଆଶଙ୍କା ରହିଥିବା ପାଣିପାଗ କେନ୍ଦ୍ର କହିଛି।

ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାରେ ୧୧ ତାରିଖରେ କୁଆପଥର ବର୍ଷା ହେବାର ପୂର୍ବାନୁମାନ ରହିଥିବା ବେଳେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କଟକ ଓ ନୟାଗଡ଼ ଆଦି ଜିଲ୍ଲାରେ ୧୨ ତାରିଖ ଦିନ ପ୍ରବଳ ବର୍ଷା ସହ କୁଆପଥର ମାଡ଼ର ଅଧିକ ସମ୍ଭାବନା ରହିଛି। ୧୩ ଓ ୧୪ ତାରିଖରେ ମଧ୍ୟ ପଶ୍ଚିମା ଝଡ଼ ଯୋଗୁଁ କିଛି କିଛି ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ଭୁବନେଶ୍ବରରେ ୧୧ ଓ ୧୨ ତାରିଖରେ ବର୍ଷା ହେବାର ସମ୍ଭବାନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର