ଜଳବାୟୁ ପରିବର୍ତ୍ତନ ନୂଆ କାର୍ଯ୍ୟ ଖସଡ଼ା: ଷ୍ଟିୟରିଂ କମିଟି ଅନୁମୋଦନକୁ ଅପେକ୍ଷା

ଭୁବନେଶ୍ବର : ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ଏଥିଯୋଗୁଁ ମୁଖ୍ୟତଃ ଚାଷକାର୍ଯ୍ୟ‌ରେ ଦେଖାଦେଉଥିବା ସମସ୍ୟାକୁ ଦୂରେଇବା ପାଇଁ ଓଡ଼ିଶା ସରକାର ଖୁବ୍‌ଶୀଘ୍ର ରାଜ୍ୟରେ ଏକ ନୂଆ କାର୍ଯ୍ୟଖସଡ଼ା ପ୍ରଚଳନ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ତଳେ କେନ୍ଦ୍ର ସରକାରଙ୍କ ଜଳବାୟୁ ପରିବର୍ତ୍ତନ ସଂପର୍କିତ ବିଶେଷଜ୍ଞ କମିଟି ଏହି ନୂଆ କାର୍ଯ୍ୟଖସଡ଼ାର ଅନୁଧ୍ୟାନ କରି ତାହାକୁ ଅନୁମୋଦନ କରିଛନ୍ତି। ଏବେ ତାହା ଷ୍ଟିୟରିଂ କମିଟି ଅନୁମୋଦନ ଅପେକ୍ଷାରେ ରହିଛି। ସେଠାରୁ ଅନୁମତି ମିଳିଗଲେ ଖୁବ୍‌ଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଠୋସ୍‌ ପଦକ୍ଷେପ ନେଇପାରିବେ। ଏଥିରୁ ଚାଷ ଓ ଚାଷୀଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିପାରିବ ବୋଲି କୁହାଯାଉଛି। ଏହି ନୂଆ କାର୍ଯ୍ୟଖସଡ଼ାକୁ ଷ୍ଟିୟରିଂ କମିଟିର ଅନୁ ମୋଦନ ଦେବା ପରେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ଗଞ୍ଜାମ ଏବଂ ପୁରୀ ସମେତ ୫ ଜିଲ୍ଲାରେ ଝାଉଁବଣ ସୃଷ୍ଟି କରାଯିବ। ଅନୁଗୁଳ, ତାଳଚେର, ଇବ୍‌- ଉପତ୍ୟକାର ତାପମାତ୍ରା ହ୍ରାସ ଉପରେ ଗୁରୁତ୍ବ ଦିଆଯିବ ବୋଲି କୁହାଯାଉଛି।

କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, ମୌସୁମୀ ଏବେ ଖୁବ୍‌ କମ୍‌ ସମୟ ରାଜ୍ୟରେ ରହୁଛି। ପୂର୍ବରୁ ଏହା ପାଖାପାଖି ୧୨୦ ଦିନ ରହୁଥିବା ବେଳେ ଗତ କିଛି ବର୍ଷ ହେଲା ତାହା ୬୦ରୁ ୬୫ଦିନକୁ ଖସି ଆସିଛି। ସେହିପରି ବର୍ଷାରେ ମଧ୍ୟ ଅନିୟମିତତା ଦେଖାଦେଉଛି। କେତେବେଳେ ଦୀର୍ଘ ଦିନ ଧରି ମୌସୁମୀ ଦୁର୍ବଳ ରହୁଛି ତ ଆଉ କେତେ‌ବେଳେ ପ୍ରବଳ ବର୍ଷା କରାଇବା ଯୋଗୁଁ ରାଜ୍ୟ‌ରେ ବନ୍ୟା ଭଳି ପରିସ୍ଥିତି ଦେଖାଦେଉଛି। ସେହିପରି ବଙ୍ଗୋପସାଗର ସାମାନ୍ୟ ଅଶାନ୍ତ ହେଲେ ଏହାର ତଟବର୍ତ୍ତୀ ୧୦ ଜିଲ୍ଲା ବାତ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସିଧାସଳଖ ପ୍ରଭାବ ଚାଷୀ ଓ ଚାଷ ଉପରେ ପଡ଼ୁଛି। ସେହିପରି ସ୍ବଳ୍ପ ବର୍ଷା ଯୋଗୁଁ ପଶ୍ଚିମଓଡ଼ିଶାର ରାଜ୍ୟଗୁଡ଼ିକରେ ମରୁଡ଼ି ଦେଖାଦେଉଛି। ଖଣି ଉତ୍ତୋଳନ ଓ ଶିଳ୍ପ କାରଖାନା ଯୋଗୁଁ ଅନୁଗୁଳ, ତାଳଚେର ଓ ଝାରସୁଗୁଡ଼ା ଜିଲ୍ଲାର ଇବ୍‌- ଉପତ୍ୟକା ବର୍ଷର ଅଧିକାଂଶ ସମୟ ଉତ୍ତପ୍ତ ହୋଇ ରହୁଛି। ଆକଳନ ଅନୁଯାୟୀ, ୧୯୭୦ରୁ ୨୦୨୨ମସିହା ମଧ୍ୟରେ ଓଡ଼ିଶା ୪୪ଥର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି। ଜଳବାୟୁର ଏହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୨୦୧୦ ମସିହାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲା। ଏହା ପୂର୍ବରୁ ୨୦୦୮ମସିହାରେ ଜାତୀୟସ୍ତରରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।

ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଖସଡ଼ାରେ ବନ ବିଭାଗ, କୃଷି, ପଶୁପାଳନ, ସ୍ବାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ, ନଗର ଉନ୍ନୟନ ସମେତ ୧୧ଟି ବିଭାଗକୁ ସାମିଲ କରାଯାଇଛି। ବନ ବିଭାଗ ଏହାର ମୁଖ୍ୟ ନୋଡାଲ ବିଭାଗ। ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କୃଷି ବିଭାଗ ସମୁଦାୟ ୧୧ଟି ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି। ଧାନ ବଦଳରେ ଅଣଧାନକୁ ଗୁରୁତ୍ବ, ବନ୍ୟା-ବାତ୍ୟା ସହଣି ବିହନ, ବର୍ଷାର ସମୟ ପରିବର୍ତ୍ତନ ହେଉ ନଥିବାରୁ ଫସଲ ଖସଡ଼ା ପ୍ରସ୍ତୁତିରେ ପରିବର୍ତ୍ତନ, ବାଧ୍ୟତାମୂଳକ ଫସଲ ବୀମା ଲାଗୁ କରିବା, ଜଳ ସଂଚୟ ଉପରେ ଗୁରୁତ୍ବ, ପାରମ୍ପରିକ ବିହନ ସଂରକ୍ଷଣ, ପାରମ୍ପରିକ ଗବେଷଣାକୁ ଗୁରୁତ୍ବ, ଫସଲ ବଜାରୀକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥିମଧ୍ୟରୁ କିଛି ପଦକ୍ଷେପ ବର୍ତ୍ତମାନ ନିଆଯାଇଥିବା କୁହାଯାଉଥିଲେ ହେଁ ସେଥିରେ କୃଷି ବିଭାଗକୁ ବିଶେଷ ସଫଳତା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର