ଅଲିଭ୍‌ ରିଡ୍‌ଲେଙ୍କ ଉପରେ ଜଳବାୟୁ ପ୍ରଭାବ

ଗଣ ଅଣ୍ଡାଦାନ ପ୍ରକ୍ରିୟା ବିଳମ୍ବିତ, ନଭେମ୍ବର-ଜାନୁଆରି ସମୟ, ମାର୍ଚ୍ଚରେ ସମ୍ଭାବନା

ବ୍ରହ୍ମପୁର : କିଛିବର୍ଷ ଧରି ଅଲିଭ୍‌ ରିଡଲେଙ୍କ ଗଣ ଅଣ୍ଡାଦାନ ଉପରେ ଜଳବାୟୁର ପ୍ରଭାବ ପଡ଼ିଥିବା ବେଳେ ଚଳିତବର୍ଷ ମଧ୍ୟ ଏହାର ପୁନରାବୃତ୍ତିକୁ ହେବାକୁ ଯାଉଛି। ଏଥର ମାର୍ଚ୍ଚ ମାସରେ ଗଣ ଅଣ୍ଡାଦାନ ହେବାନେଇ ଅନୁମାନ କରାଯାଉଛି।

ପୂର୍ବରୁ ଫେବ୍ରୁଆରିରେ ଅଣ୍ଡାଦାନ ହେଉଥିଲା। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସବୁ ପ୍ରକ୍ରିୟାରେ‌ ବିଳମ୍ବ ଦେଖା ଦେଉଛି। ଗତବର୍ଷ ଭଳି ଚଳିତବର୍ଷ ମାର୍ଚ୍ଚ ମାସରେ ଗଣଅଣ୍ଡାଦାନ ହେବା ନେଇ ଅନୁମାନ କରାଯାଇଥିବା ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ଏବେ ମିଳନ ଋତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣାପବନ ପ୍ରବାହିତ ହେବାପରେ ଅଲିଭ୍‌ ରିଡ୍‌ଲେ କଇଁଛ ସମୁଦ୍ର ଭିତରେ ଭାସମାନ ଅବସ୍ଥାରେ ରହିବେ। ଅଣ୍ଡାଦାନ ପାଇଁ ସଠିକ୍‌ ତାପମାତ୍ରା ହେବାପରେ ସେମାନେ ବେଳାଭୂମିମୁହାଁ ହୋଇ ଅଣ୍ଡାଦାନ କରିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

WWF-India

ଉଲ୍ଲେଖଯୋଗ୍ୟ ଯେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ପ୍ରଥମ ପସନ୍ଦ ହେଉଛି ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀପଠା ବେଳାଭୂମି। ଗଞ୍ଜାମ ଉପକୂଳ ପ୍ରାୟାଗୀଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ ରିଡ୍‌ଲେ କଇଁଛ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଉପକୂଳରେ ଅଣ୍ଡାଦାନ କରିଥା’ନ୍ତି। ବିଶେଷଜ୍ଞଙ୍କ ମତ ଅନୁସାରେ, ପ୍ରତିବର୍ଷ ଲକ୍ଷାଧିକ କଇଁଛ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରାୟ ୨୭ଦିନ ସମୟ ଲାଗିଥାଏ। ନଭେମ୍ବର ମାସରୁ ମେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ ବୋଲି ଧରାଯାଏ। ଏବେ ମିଳନ ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବେଳାଭୂମି ଠାରୁ ୫/୭ କିମି ଦୂରତା ମଧ୍ୟରେ କଇଁଛମାନେ ରହିଥିବା ଶ୍ରୀ ସାହୁ କହିଛନ୍ତି। ଚଳିତ ବର୍ଷ ଗଣଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକଙ୍କ ତତ୍ତ୍ବାବଧାନରେ ବନ ବିଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏଥିପାଇଁ ଦୁଇଟି ବାଲୁକା ଶଯ୍ୟା ସୃଷ୍ଟି ହୋଇଛି। ମୁହାଣର ଉଭୟ ପାର୍ଶ୍ବରେ ଏହି ଦୁଇଟି ବାଲୁକା ଶଯ୍ୟା ରହିଛି। ଏହାକୁ ‘ଡାଇନାମିକ୍‌ ବିଚ୍‌’ କୁହାଯାଏ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର