କୋରାପୁଟ/ଦାରିଙ୍ଗବାଡ଼ି: ବର୍ଷରେ ୧୨ ମାସ ଓ ୬ଟି ଋତୁ। ଭାଦ୍ରବ ଓ ଆଶ୍ବୀନକୁ ନେଇ ଶରତ ଋତୁ। ଶର‌ତ ଋତୁରେ ନିର୍ମଳ ଆକାଶ ଦେଖିବାକୁ ମିଳିଥାଏ। ଧାନଖେତ ନିକଟ ପଡ଼ିଆ ଓ ନଦୀକୂଳରେ କାଶତଣ୍ଡୀର ସମ୍ଭାର ଦୂରରୁ ଅପୂର୍ବ ସୁନ୍ଦର ଦେଖାଯାଉଥାଏ। ମାତ୍ର କିଛି ବର୍ଷ ମଧ୍ୟରେ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଦେଖାଯାଇଛି। ଶରତ ଋତୁ କିଛିଦିନ ପରେ ବିଦାୟ ନେବ। କିନ୍ତୁ ଦେଶର ଅନେକ ସ୍ଥାନରେ ବର୍ଷାଋତୁ ଭଳି ସ୍ଥିତି ଥିବା ବେଳେ ଅନେକ ସ୍ଥାନରେ ବର୍ଷା ଅଭାବ ଚାଷୀମାନଙ୍କର ଚିନ୍ତା ବଢ଼ାଇଛି। ପୂର୍ବ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ବର୍ଷାର ଆବଶ୍ୟକତା ରହିଛି। ଜିଲ୍ଲାର ରୁପ୍ରା ଅଞ୍ଚଳରେ ଚାଷଜମି ଫାଟି ମାଟି ଆଁ କଲାଣି। ଏଠାରେ ବର୍ଷା ଠିକ୍‌ ସମୟରେ ନହେଲେ ଚାଷୀ ବ୍ୟାପକ ପ୍ରଭାବିତ ହେବାର ଆଶଙ୍କା ରହିଛି। 

Advertisment

ରାଜ୍ୟର ଅନେକ ସ୍ଥାନରେ ଶରତ ଋତୁର ପାଗ ନାହିଁ। ‌ରାଜ୍ୟରୁ ମୌସୁମୀ ବିଦାୟ ନେଇ ନଥିବାରୁ ବିଭିନ୍ନ ସ୍ଥାନରେ ଏବେବି ବର୍ଷା ଜାରି ରହିଛି। କିନ୍ତୁ ଏତେ ବର୍ଷା ହେଲା ପରେ ମଧ୍ୟ କିଛି ସ୍ଥାନରେ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରୁଛି। ରାଜ୍ୟର ଅନ୍ୟତମ ଥଣ୍ଡା ସ୍ଥାନ କୋରାପୁଟରେ ମଧ୍ୟ ଆଉ ପୂର୍ବଭଳି ପାଗ ରହୁନାହିଁ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏଠାରେ ଗତ ୧୯ ତାରିଖ ଦିନ ତାପମାତ୍ରା ୩୭.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା। ଲୋକେ ଗରମ ଓ ଗୁଳୁଗୁଳିରେ ଅସହ୍ୟ ଯନ୍ତ୍ରଣା ଛଟପଟ ହେଉଥିଲେ। କେରାପୁଟର ପାଗ ବହୁତ ଭଲ ରହିଥାଏ। ପ୍ରାୟତଃ କେରାପୁଟ ଓ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିର ଜଳବାୟୁ ଏକ ପ୍ରକାର ଥାଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ କାରଣରୁ ଏଥର ଭିନ୍ନତା ପରିଲକ୍ଷିତ ହେଉଛି। ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଥିଲେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରୁଥିବା ବେଳେ ଅନ୍ୟ ସ୍ଥାନରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ୧୦ ବର୍ଷ ପୂର୍ବରୁ କୋରାପୁଟ ଓ ଦାରିଙ୍ଗବାଡ଼ିକୁ ଯାଇଥିବା ଲୋକ ଯେତେବେଳେ ପୁଣି ଥରେ ବୁଲିବା ପାଇଁ ଏଠାକୁ ଆସିଥାନ୍ତି, ସେମାନେ କୁହନ୍ତି, ଆଉ ପୂର୍ବଭଳି ଜଳବାୟୁ ନାହିଁ। ପରିବର୍ତ୍ତିତ ଜଳବାୟୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରୁଛନ୍ତି। 

କୋରାପୁଟରେ ସେପ୍ଟେମ୍ବର ୧୯ ତାରିଖ ତାପମାତ୍ରା

  • ୨୦୨୫: ସର୍ବୋଚ୍ଚ ୩୭.୨ ଓ ସର୍ବନିମ୍ନ ୧୮.୫ ଡିଗ୍ରି
  • ୨୦୨୪: ସର୍ବୋଚ୍ଚ ୩୧.୨ ଓ ସର୍ବନିମ୍ନ ୨୦.୦ ଡିଗ୍ରି
  • ୨୦୨୨: ସର୍ବୋଚ୍ଚ ୨୬.୫ ଓ ସର୍ବନିମ୍ନ ୧୭.୨ ଡିଗ୍ରି
  • ୨୦୨୧ ସର୍ବୋଚ୍ଚ ୨୯.୪ ଓ ସର୍ବନିମ୍ନ ୨୦.୬ ଡିଗ୍ରି
  • ୨୦୨୦ ସର୍ବୋଚ୍ଚ ୨୮.୬ ଓ ସର୍ବନିମ୍ନ ୧୯.୬ ଡିଗ୍ରି

ଦାରିଙ୍ଗବାଡ଼ିରେ ସେପ୍ଟେମ୍ବର ୧୯ ତାରିଖ ତାପମାତ୍ରା

  1. ୨୦୨୫: ସର୍ବୋଚ୍ଚ ୩୦.୦ ଓ ସର୍ବନିମ୍ନ ୨୦.୫ ଡିଗ୍ରି
  2. ୨୦୨୪: ସର୍ବୋଚ୍ଚ ୨୬.୫ ଓ ସର୍ବନିମ୍ନ ୨୧.୫ ଡିଗ୍ରି
  3. ୨୦୨୨: ସର୍ବୋଚ୍ଚ ୨୫.୫ ଓ ସର୍ବନିମ୍ନ ୧୯.୫ ଡିଗ୍ରି
  4. ୨୦୨୧: ସର୍ବୋଚ୍ଚ ୨୬.୫ ଓ ସର୍ବନିମ୍ନ ୧୯.୦ ଡିଗ୍ରି 
  5. ୨୦୨୦: ସର୍ବୋଚ୍ଚ ୨୯.୫ ଓ ସର୍ବନିମ୍ନ ୧୯.୦ ଡିଗ୍ରି 

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି। ପୂର୍ବବର୍ଷଗୁଡ଼ିକରେ ପ୍ରାୟ ଜୁନ ମାସ ଶେଷ ସପ୍ତାହରୁ କିମ୍ବା ଜୁଲାଇ ମାସ ପହିଲାରୁ ବର୍ଷା ଆରମ୍ଭ ହୋଇ ଅଗଷ୍ଟ ମାସ ୧୫ତାରିଖ ଯାଏ ଏହା ଜାରି ରହିଥାଏ। ଏହି ଦେଢ଼ ମାସ ଭିତରେ ଯେଉଁ ଭଳି ବର୍ଷା ହୁଏ ଏଥିରେ ବିଲ, ନାଳ ଓ ଝରଣାରେ ଝର ଜଳମୟ ହୋଇଯାଏ। ଅଗଷ୍ଟ ୧୫ତାରିଖ ପରେ ଲଘୁଚାପଜନିତ କିଛି ବର୍ଷା ହୋଇଥାଏ। ହେଲେ ଅନେକ ବର୍ଷପରେ ଦାରିଙ୍ଗବାଡ଼ି ଅଞ୍ଚଳ ସହିତ କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଜଲବାୟୁରେ ପରିବର୍ତ୍ତନ ଦେଖା ଦେଇଛି।

ଗତ ଜୁନ ମାସ ଆରମ୍ଭରୁ ବର୍ଷା ଆରମ୍ଭ ହୋଇ ଆଜି ଯାଏଁ ପ୍ରତିଦିନ ବର୍ଷା ହୋଇ ଆସୁଛି। କହିବାକୁ ଗଲେ ଏବର୍ଷ ମୌସୁମୀ ଆଗୁଆ ଆସିବା ଫଳରେ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ଜୁନ ମାସ ଆରମ୍ଭରୁ ବର୍ଷା ଆରମ୍ଭ ହୋଇଥିଲା। ସେହି ଅନୁସାରେ ଦାରିଙ୍ଗବାଡ଼ି ସହିତ ପୁରା କନ୍ଧମାଳରେ ବର୍ଷା ଆରମ୍ଭ ହୋଇଥିଲା।

ଦାରିଙ୍ଗବାଡ଼ିରେ ପୂର୍ବ ବର୍ଷଗୁଡ଼ିକରେ ସେପ୍ଟେମ୍ବର ମାସ ଶେଷ ସପ୍ତାହ ତଥା ଅକ୍ଟୋବର ମାସ ପହିଲାରୁ ଶୀତ ଆସିଥାଏ ବା ପହିଲି ଶୀତର ଅନୁଭବ ହୋଇଥାଏ। ହେଲେ ଚଳିତ ବର୍ଷ ତଥା ସେପ୍ଟେମ୍ବର ୨୩ ତାରିଖ ହୋଇଥିଲେ ମଧ୍ୟ ସେହି ଭଳି ଶୀତ ଆସିବାର ପୂର୍ବଭାସ ଦେଖିବାକୁ ମିଳୁନାହିଁ। ପ୍ରତିଦିନ ବର୍ଷା ଲାଗିରହୁଥିବାରୁ କୃଷକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଧାନ ଚାଷରେ ପୋକ ଲାଗିବା, ପରିବା ଚାଷ ମୁଖ୍ୟ କରି ବନ୍ଧା କୋବି, ଫୁଲ କୋବି ସହିତ ଅନ୍ୟ ତୈଳ ଜାତ ଫସଲ ଚାଷ କରିବାରେ ସମସ୍ୟା ସହିତ ପନିପରିବା ଚାଷରେ କ୍ଷତି ଆଶଙ୍କା ପ୍ରକାଶ ପାଇଛି।

 Kandhamal | Koraput | Rain in Odisha