ଗରଦପୁର: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ତଳକୁସୁମା ଠାରେ ପାଟକୁରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପରିବେଶ ପଂଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବାଦର କେନ୍ଦ୍ରାପଡ଼ା ଜିଲା ପ୍ରତିନିଧି ତଥା ଆମ ଓଡ଼ିଶାର ଜିଲା ସଂଯୋଜକ ସୁବ୍ରତ କୁମାର ସାମଲ ପୌରୋହିତ୍ୟ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ମହାପାତ୍ର କହିଥିଲେ, ଆଜି ଦିନରେ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି। ଜଳବାୟୁ ପରିବର୍ତନ ଯୋଗୁ ପରିବେଶର ସନ୍ତୁଳନ ବିଗିଡ଼ି ଗଲାଣି। ଅସନ୍ତୁଳନ ପରିବେଶ ପାଇଁ ପ୍ରକୃତି ବି କୋପ କଲାଣି। ଫଳରେ ପୃଥିବୀରେ ବହୁ ଜଟିଳ ଓ ଗମ୍ଭିର ପ୍ରାକୃତିକ ସଙ୍କଟ ଉଭା ହେଉଛି। ଉତରାଖଣ୍ଡ, ହିମାଚଳପ୍ରଦେଶରେ ବାଦଲ ଫଟା ବର୍ଷା ଯୋଗୁ କେତେକ ଗ୍ରାମ ମଧ୍ୟ ମାନଚିତ୍ରରୁ ହଜି ଗଲାଣି। କଶ୍ମୀର, ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ଭାରି ବର୍ଷା ଯୋଗୁ ଜନ ଜୀବନ ଦୁର୍ବିସହ ହୋଇ ପଡ଼ିଛି। ପ୍ରକୃତିର କୋପ ପାଇଁ ଭୂମିକମ୍ପ, ସୁନାମୀ, ପ୍ରଳୟ ଆଦି ସଂଗଠିତ ହୋଇ ଜୀବନକୁ ଅପାର କ୍ଷତି ପହଂଚାଉଅଛି। ଏ ଦିଗରେ ସାମଗ୍ରିକ ଜନ ସଚେତନତା ଆବଶ୍ୟକ। ବ୍ୟାପକ ବୃକ୍ଷ ରୋପଣ ଓ ବର୍ଯ୍ୟବସ୍ତୁର ସଠିକ ପରିଚାଳନା ବେଶ୍ ଗୁରୁତ୍ୱ ବହନ କରେ। ପାଟକୁରା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ନାଗରିକ ବ୍ୟକ୍ତିଗତ ଭାବେ ବୃକ୍ଷ ରୋପଣ କରି ଏହାର ଯତ୍ନ ନେବା ପାଇଁ ବିଧାୟକ ଶ୍ରୀ ମହାପାତ୍ର ସମସ୍ତଙ୍କୁ ନିବେଦନ କରିଥିଲେ। ରକ୍ତଦାନ କାର୍ଯ୍ୟକ୍ରମ, ନିଶା ନିବାରଣ, ଭାଷା ସୁରକ୍ଷା ଓ ପରିବେଶ ପଂଚାୟତ ଆଦି ମହାନ ସାମାଜିକ କାର୍ଯ୍ୟକ୍ରମ ପାଇଁ ସେ ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସରପଂଚ ପ୍ରଭାତ ନଳିନୀ ଜେନା, ପୂର୍ବତନ ସରପଂଚ ଅନୁଜ କୁମାର ମହାନ୍ତି, ସ୍ୱୟଂ ସହାୟିକା ମହାସଂଘର ନେତ୍ରୀ ବନିତା ବାରିକ, ସୁଜାତା ମିଶ୍ର, ଶିକ୍ଷକ ଉମେଶ ଚନ୍ଦ୍ର ଓଝା, ସରପଂଚ ସନ୍ତୋଷ ମାହାଳି ପ୍ରମୁଖ ଆମ ପରିବେଶ ଆମ ହାତରେ ଶିର୍ଷକରେ ମତବ୍ୟକ୍ତ କରିଥିଲେ।
ଗରଦପୁର ବ୍ଲକ୍ ସମ୍ବାଦ ପ୍ରତିନିଧି ନବଘନ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। କନକ ଟିଭି ପ୍ରତିନିଧି ପ୍ରଦୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ନେତା କ୍ଷିତିଶ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏଥିରେ ସମ୍ବାଦ ଏଜେଂଟ ତ୍ରିଲୋଚନ ବିଶ୍ୱାଳ, ଯୁବ ନେତା ବିପ୍ଲବ ଜେନା, ସରପଂଚ ଅମିୟ ରଂଜନ ନାୟକ, ସରପଂଚ ରଂଜନ ନାୟକ, ସମିତି ସଭ୍ୟ ପ୍ରଭାସ ରଂଜନ ସାହୁ ଓ ସମିତି ସଭ୍ୟ ବ୍ରଜ କିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଚଳର ବହୁ ପରିବେଶ ପ୍ରେମୀ ପୁୁରୁଷ ଓ ମହିଳା ଯୋଗଦେଇ ପରିବେଶ ର ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ।
ପ୍ରମୁଖ ସମସ୍ୟା –
୧) ବହୁଳ ପଲିଥିନ୍ ବ୍ୟବହାର ବିପଦ ଟାଣୁଛି
୨) ମାଟିରୁ ଜଳସ୍ତର କମୁଛି
୩) ଚୀରଶ୍ରୋତା ଚିତ୍ରୋପôଳା କ୍ଷିଣ ଶ୍ରୋତା ହେଲାଣି
୪) ପାରାଦୀପ ଶିଳ୍ପାଂଚଳରୁ ବିଷାକ୍ତ ଗ୍ୟାସ ନିର୍ଗତ
୫) ଜମିରେ ବହୁଳ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ
୬) ନଦୀ ଜଳରେ ରାସାୟନିକ ପଦାର୍ଥ ପ୍ରୟୋଗ କରି ଚିଙ୍ଗୁଡ଼ି ଧରିବା ଦ୍ୱାରା ଜଳ ଦୂଷିତ ଓ ବିଷାକ୍ତ
ପରିବେଶ ସୁରକ୍ଷାର ପ୍ରସ୍ତାବ –
୧) ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ ଜରୁରୀ
୨) ପ୍ଲାଷ୍ଟିକ ଓ ପଲିଥିନ ଜିନିଷ ବ୍ୟବହାରର ସୁପରିଚାଳନା ଓ ଆବଶ୍ୟକ ସ୍ଥଳେ ପ୍ରତିବନ୍ଧକ ଲାଗୁ
୩) ଚିତ୍ରୋପôଳା କୁ ଚୀରସ୍ରୋତା କରିବା ପ୍ରସ୍ତାବ
୪) ବ୍ୟାପକ ବୃକ୍ଷ ରୋପଣ ଓ ଜୌବିକ ଚାଷ ଉପରେ ଗୁରୁତ୍ୱ ଦେଇ ଜନ ସଚେତନତା
୫) ବିଭିନ୍ନ ପଶୁ ପକ୍ଷୀ ଓ ପ୍ରାଣୀଙ୍କ ସଂରକ୍ଷଣ ଓ ସୁରକ୍ଷା
୬) ଉଜୁଡ଼ି ଯାଇଥିବା ଆମ୍ବ ତୋଟା ସୃଷ୍ଟି
୭) ବଜ୍ରପାତରୁ ସୁରକ୍ଷା ପାଇଁ ତାଳମଂଜି ରୋପଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉ
Kendrapara