ଜଳବ‌ାୟୁ ପରିବର୍ତ୍ତନ ପ୍ରକଳ୍ପ ଲୋକଙ୍କ ପାଇଁ ଲାଭଦାୟକ ହୋଇଛି

ଭୁବନେଶ୍ବର : ନୂଆପଡ଼ା ଜିଲ୍ଲାରେ ଆରମ୍ଭ କରାଯାଇଥିବା ଜଳବାୟୁ ପରିବର୍ତ୍ତନ ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଲୋକଙ୍କ ପାଇଁ ଲାଭଦାୟକ ହୋଇଛି। ଏହି ପ୍ରକଳ୍ପଗୁଡ଼ିକୁ ଲୋକ ଗ୍ରହଣ କରି ନେଇଛନ୍ତି। ଏହା ସେମାନଙ୍କ ଜୀବନଜୀବିକା ପାଇଁ ସାହାଯ୍ୟକାରୀ ହୋଇଥିବାରୁ ସେମାନେ ଏଥ‌ିରେ ଅଂଶଗ୍ରହଣ କରୁଛନ୍ତି। ନ୍ୟାସ୍‌ନାଲ୍‌ ଫଣ୍ଡ୍‌ ଫର୍‌ କ୍ଲାଇମେଟ୍‌ ଚେଞ୍ଜ୍‌(ଏନ୍‌ଏଏଫ୍‌ସିସି) ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ସମ୍ପର୍କରେ ଲୋକସେବା ଭବନରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଏପରି ସୂଚନା ଦିଆଯାଇଛି। ନାବାର୍ଡର ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର ଫଳାଫଳ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରକଳ୍ପଗୁଡ଼ିକୁ ସମୀକ୍ଷା କରି କ୍ଷେତ୍ର ସ୍ତରରେ ପ୍ରକଳ୍ପର କାର୍ଯ୍ୟକାରିତା ତଦାରଖ କରିବା ସହ ଏହାର ଏକ ନିର୍ଦ୍ଦିଷ୍ଟ ସମୟସୀମା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ଜଳବାୟୁ ପରିବର୍ତ୍ତନ ଆକ୍ସନ୍ ପ୍ଲାନ୍ ଅନୁଯାୟୀ ବିଭିନ୍ନ ବିଭାଗ ଏପରି ପ୍ରକଳ୍ପ ହାତକୁ ନେବା ପାଇଁ ଏକ କର୍ମଶାଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲାର ୮ଟି ଗାଁରେ ଜଳବାୟୁ ପରିବର୍ତ୍ତନ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏପରି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଲା, ନଦୀ ଅବବାହିକାର ଉପଯୁକ୍ତ ପରିଚାଳନା କରି ଜଳ ସଂରକ୍ଷଣ କରିବା ଏବଂ ଜୀବନ ଜୀବିକାର ନୂଆ ମାଧ୍ୟମ ସୃଷ୍ଟି କରିବା।

ଏହା ବାଦ୍ ଏନ୍‌ଏଏଫ୍‌ସିସି ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ ଖରଖରାନାଳ ଉପରେ ପାଞ୍ଚଟି ଚେକ୍ ଡ୍ୟାମ୍‌ ନିର୍ମାଣ ହୋଇଛି। ଜଳସେଚନ ଯୋଜନା ପାଇଁ ସ୍ଥାନୀୟ ଚାଷୀଙ୍କୁ ନେଇ ୬ଟି ପାଣି ପଞ୍ଚାୟତ ନିର୍ମାଣ ହୋଇଛି। ପ୍ରାୟ ୪୦୦ ଚାଷୀ କେବଳ ଧାନ ଚାଷ ନ କରି ଉଦ୍ୟାନ କୃଷିର ବିଭିନ୍ନ ପ୍ରକାର ଚାଷକୁ ଆପଣାଇଛନ୍ତି। ୧୬ଟି ଜଳାଶୟରେ ମତ୍ସ୍ୟ ଚାଷ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ଏ ଦିଗରେ ତାଲିମ୍ ଦିଆଯାଉଛି। ଏହି ପ୍ରକଳ୍ପ ପାଇଁ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଭୂତଳ ଜଳସ୍ତର ବୃଦ୍ଧି ପାଇଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଚେକ୍‌ ଡ୍ୟାମ୍‌ର ନିକଟସ୍ଥ ଅଞ୍ଚଳରେ ସିଞ୍ଚନ ଜଳସେଚନକୁ ଅଧିକ ଲୋକପ୍ରିୟ କରିବାକୁ ପଦକ୍ଷେପ ନିଆଯିବ। ୨୩୬ ଏକର ଢିପ ଚାଷ ଜମିକୁ ଜଳସେଚିତ କରିବା ପାଇଁ ସୌରଚାଳିତ ପାଣି ପମ୍ପ ବ୍ୟବହାର କରାଯିବ। ମାଛ ଚାଷ ପାଇଁ ଏକ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଥିରେ ୧୨ଟି ପୋଖରୀ କରାଯାଇ ବିଭିନ୍ନ ଆକାରର ମାଛ ଚାଷ କରାଯିବ। ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା, କ୍ଷୁଦ୍ର ଜଳସେଚନର ମୁଖ୍ୟମନ୍ତ୍ରୀ ସରୋଜ ପଟ୍ଟନାୟକ, ପ୍ରକଳ୍ପ ଅଧିକାରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ନାବାର୍ଡର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର