କ୍ଲିନିକାଲ ପାଠ୍ୟକ୍ରମରେ ପିଜି ଡାକ୍ତରଙ୍କ ଷ୍ଟାଇପେଣ୍ଡ୍‌ ବୃଦ୍ଧି

ପ୍ରି ଓ ପାରା କ୍ଲିନିକାଲ ପିଜି ଡାକ୍ତରଙ୍କୁ ମାସିକ ୧୮ହଜାର ଟଙ୍କା

ଭୁବନେଶ୍ୱର: ରାଜ୍ୟର ସରକାରୀ ମେଡିକାଲ କଲେଜମାନଙ୍କରେ ପ୍ରି ଓ ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରଙ୍କୁ ମାସିକ ୧୮ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମିଳିବ। ଏହି ପ୍ରୋତ୍ସାହନ ଉଭୟ ଇନସର୍ଭିସ୍‌ ଓ ସିଧାସଳଖ ପିଜି କରୁଥିବା ଡାକ୍ତରଙ୍କ କ୍ଷେତ୍ରରେ ଲାଗୁ ହେବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ପ୍ରଥମ ଥର ପାଇଁ ଏହି ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା।

ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ, ଏହି ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ସିଧାସାଳଖ ପ୍ରି ଓ ପାରା କ୍ଲିନିକାଲ ବିଷୟରେ ପିଜି କରୁଥିବା ପିଲାଙ୍କ ମାସିକ ଷ୍ଟାଇପେଣ୍ଡ ମଧ୍ୟ ବୃଦ୍ଧି କରାଯାଇଛି। ସେମାନେ ପ୍ରଥମ ବର୍ଷରେ ପାଉଥିବା ମାସିକ ଷ୍ଟାଇପେଣ୍ଡ ୩୯ହଜାର ୯୫୦ ଟଙ୍କାରୁ ୪୮ହଜାର ୩୦୨ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଦ୍ୱିତୀୟ ବର୍ଷରେ ପାଉଥିବା ଷ୍ଟାଇପେଣ୍ଡ ୪୧ହଜାର ୮୯୯ଟଙ୍କାରୁ ବୃଦ୍ଧି ପାଇ ୫୦ହଜାର ୬୫୮ଟଙ୍କା ଓ ତୃତୀୟ ବର୍ଷରେ ପାଉଥିବା ୪୩ହଜାର ୮୪୮ଟଙ୍କାକୁ ୫୩ହଜାର ୧୪ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହିତ ସେମାନଙ୍କୁ ମାସିକ ୧୮ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଖାଲି ଥିବା ଡାକ୍ତର ପଦବି ପୂରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେମାନଙ୍କ ପାଇଁ ସ୍ଥାନଭିତ୍ତିକ ନିଯୁକ୍ତି କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନଠାରୁ ଆରମ୍ଭ କରି ଅନେକ ବ୍ୟବସ୍ଥା କରାଯାଇଛି। ତେବେ ଏମ୍‌ବିବିଏସ୍‌ ପାସ କରିବା ପରେ ପ୍ରି ଓ ପାରା କ୍ଲିନିକାଲ ବିଷୟରେ ପିଜି କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା କାରଣରୁ ସ୍ୱାସ୍ଥ୍ୟ ସେବାରେ ଅନେକ ସମସ୍ୟା ଦେଖା ଦେଉଛି। ଏହି ସମସ୍ୟା ଦୂର କରିବା ପାଇଁ ଆର୍ଥିକ ପ୍ରୋତ୍ସାହନରେ ବୃଦ୍ଧି କରାଯାଇଛି। ଆନାଟୋମି, ଫିଜିଓଲୋଜି ଏବଂ ବାଇୟୋକେମିଷ୍ଟ୍ରି ଭଳି ପ୍ରି-କ୍ଲିନିକାଲ ଫାର୍ମାକୋଲୋଜି, ଏଫ୍‌ଏମ୍‌ଟି, ପାଥୋଲୋଜି, ମାଇକ୍ରୋବାଇଓଲୋଜି ଓ କମ୍ୟୁନିଟି ମେଡିସିନ୍‌ ଭଳି ପାରା କ୍ଲିନିକାଲ ବିଷୟରେ ଯେଉଁମାନେ ପିଜିରେ ନାମ ଲେଖାଇବେ ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର