ବନ୍ଦ କରିଦେବେ ସଂସ୍କୃତ ଟୋଲ୍‌! ଅବସର ନେଉଛନ୍ତି, ନିଯୁକ୍ତି ହେଉନି

ଭୁବନେଶ୍ବର: ଶିକ୍ଷକ ଅବସର ନେଲେ। ଆଉ ନୂତନ ନିଯୁକ୍ତି ହେଲାନି। ପାଠପଢ଼ା ବି ଠିକ୍‌ଠାକ୍‌ ହୋଇପାରୁନି। କେ‌ଉଁଠି ଜଣେ ଦୁଇ ଜଣ ଶିକ୍ଷକରେ ଶିକ୍ଷାନୁଷ୍ଠାନ ଚାଲିଛି ତ ଆଉ କେଉଁଠି ପିଅନ ଓ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଛି ବିଦ୍ୟାଳୟ। ସ୍ଥିତି ଏମିତି ହେଲାଣି ଯେ ଆଉ ବର୍ଷ କେଇଟା ଭିତରେ ସରକାରଙ୍କ ଚରମ ଅବହେଳା ଯୋଗୁଁ ରାଜ୍ୟରେ ଥିବା ସଂସ୍କୃତ ବିଦ୍ୟାଳୟ(ଟୋଲ୍‌)ଗୁଡ଼ିକରେ ତାଲା ଝୁଲିବ। ହଜାର ହଜାର ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ‌ହେବେ। ୧୯୯୪ରେ ରାଜ୍ୟରେ ୨୧୪ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ସଂସ୍କୃତ ଟୋଲ୍‌ ରହିଥିଲା। ଏବେ ସେଥିରୁ ୫୪ଟିରେ ତାଲା ପଡ଼ିଲାଣି। ବାକି ଟୋଲ୍‌ଗୁଡ଼ିକର ପୁନରୁଦ୍ଧାର ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉ ନଥିବାରୁ ଶହ ଶହ ବର୍ଷର ଶିକ୍ଷାନୁଷ୍ଠାନ ଏବେ ବୁଡ଼ିବାକୁ ବସିଲାଣି। ସବୁଠାରୁ ବଡ଼ କଥା ହେଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଥିବା ଦୁଇଟି ଶହେ ବର୍ଷର ପୁରୁଣା ସଂସ୍କୃତ ଟୋଲ୍‌ ବନ୍ଦ ହେବାକୁ ବସିଲାଣି। ଶିକ୍ଷକ ଅଭାବ ଲାଗିରହିଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳ ପକ୍ଷରୁ ଅଭିଯୋଗ ହୋଇଛି। କେବଳ ଗଞ୍ଜାମ ନୁହେଁ; କେନ୍ଦ୍ରାପଡ଼ା, ବାଲେଶ୍ବର, ପୁରୀ, ସମ୍ବଲପୁର ପ୍ରଭୃତି ଜିଲ୍ଲାରେ ବି ସମାନ ସ୍ଥିତି ଲାଗିରହିଛି। ସଂସ୍କୃତ ଟୋଲ୍‌ଗୁଡ଼ିକୁ ସରକାରୀ କରିବା ସହ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦମାନଙ୍କୁ ବିଭିନ୍ନ ସମୟରେ ଚିଠି ଲେଖାଯାଇଛି। ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳ ପକ୍ଷରୁ ମଧ୍ୟ ଗଣଶିକ୍ଷା ବିଭାଗର ହସ୍ତକ୍ଷେପ ‌ଲୋଡ଼ା ଯାଇଥିଲା। ତଥାପି କୌଣସି ସୁଫଳ ମିଳିପାରିନି।

ଟୋଲଗୁଡ଼ିକୁ ସରକାରୀ କରିବା ଦିଗରେ ଆବଶ୍ୟକ ପଦ‌କ୍ଷେପ ନେବା ପାଇଁ ୨୦୧୭ ଡିସେମ୍ବର ମାସରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖାଯାଇଥିଲା। ମାଧ୍ୟମିକ ଶିକ୍ଷା ନିର୍ଦେଶକ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ଟୋଲଗୁଡ଼ିକର କାଗଜପତ୍ର ମଗାଇଥିଲେ। ଶିକ୍ଷାନୁଷ୍ଠାନର ଦୁରାବସ୍ଥା ତଥା ଶିକ୍ଷକ ଅଭାବ ଜନିତ ସମସ୍ୟାକୁ ତର୍ଜମା ନ କରି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ଦର୍ଶାଇ କିଛି ଟୋଲ୍‌କୁ ସ୍ବୀକୃତି ପ୍ରତ୍ୟାହାର ପାଇଁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଥିଲା। ଯେଉଁଥିପାଇଁ ଟୋଲ୍‌ଗୁଡ଼ିକ ବନ୍ଦ ହେବାକୁ ବସିଛି। ସରକାରଙ୍କ ଏଭଳି ବୈମାତୃକ ମନୋଭାବ ଯୋଗୁଁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ହସ୍ତକ୍ଷେପ କରିବା ସହ ବୁଡ଼ି ଯାଉଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ମହାମଣ୍ଡଳ ପକ୍ଷରୁ ଦାବି କରାଯାଇଛି।

ସୂଚନ‌ାଯୋଗ୍ୟ, ୧୯୯୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ଥିବା ପୂର୍ଣ୍ଣ ଅନୁଦାନପ୍ରାପ୍ତ ୩ ହଜାର ହାଇସ୍କୁଲ ସମେତ ୨୧୪ଟି ସଂସ୍କୃତ ଟୋଲ୍‌କୁ ସରକାରୀ କରିବାକୁ ପାଇଁ ‌ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ୩ ହଜାର ହାଇସ୍କୁଲକୁ ସରକାର ହାତକୁ ନେଇଥିଲେ। ମାତ୍ର ୨୧୪ଟି ଟୋଲ୍‌ର ଭାଗ୍ୟ ସେମିତି ନାଲିଫିତା ତଳେ ରହିଗଲା। ସେବେଠାରୁ ଟୋଲ୍‌ଗୁଡ଼ିକ ଅବସ୍ଥା ଖରାପ ହୋଇ ଚାଲିଛି। ଇତିମଧ୍ୟରେ ୨୫ ବର୍ଷ ବିତିଗଲାଣି। ଟୋଲ୍‌ଗୁଡ଼ିକରୁ ପଣ୍ଡିତ ଓ ଶିକ୍ଷକମାନେ ଅବସର ନେଉଛନ୍ତି। ହେଲେ ସେମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦିଆଯାଉ ନାହିଁ।

ସମ୍ବନ୍ଧିତ ଖବର