କଟକ/ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ଅପରାଧ ସାମ୍ରାଜ୍ୟକୁ ଦମନ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପୁଣି ଥରେ ଚଢଉ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ଟିଟୋର ୯ ଜଣ ସହଯୋଗୀଙ୍କୁ ଗିରଫ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଆଉ ୭ ସହଯୋଗୀଙ୍କୁ କଟକରୁ ଉଠାଇ ନେଇଛି। କଟକର ଲାଲବାଗ ଓ ମଙ୍ଗଳାବାଗ ଥାନା ଅଞ୍ଚଳରେ ଚଢ଼ଉ ହୋଇଥିଲା। ସେମାନଙ୍କୁ ଭୁବନେଶ୍ୱର ଏସ୍ଟିଏଫ୍ କାର୍ଯ୍ୟାଳୟରେ ଜେରା କରାଯାଉଛି। ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଲାଲବାଗ ଥାନା ଦିଓ୍ଵାନ୍ ବଜାର ଅଞ୍ଚଳର ସାଜିଦ୍ ଖାନ୍(୩୫), ସେକ୍ ମୁସ୍ତାକ୍ ଓରଫ ମୁସୁ(୪୦), ସେକ୍ କଲାମ୍ ମହମ୍ମଦ ଓରଫ ପୁନି(୩୧), ମେହେନ୍ଦୀପୁରର ଗୋଲଡେନ୍ ପପୁ ଓରଫ ମହମ୍ମଦ ଅବ୍ଦୁଲ ଆସିଫ୍(୩୨), ବାଙ୍କା ବଜାରର ଇମ୍ତିଆଜ୍ ଖାନ୍(୩୨), ମଙ୍ଗଳାବାଗ କେଶରପୁର ଅଞ୍ଚଳର ସେକ୍ ଅବ୍ଦୁଲ୍ଲା(୩୨), ଗହ୍ମାଡ଼ିଆର ଜାହାଙ୍ଗୀର ଖାନ୍। ଅଟକ ୭ ଜଣଙ୍କ ମଧ୍ୟରୁ ଜାହାଙ୍ଗୀର ଟିଟୋ ସହିତ ସିଧାସଳଖ ସମ୍ପୃକ୍ତ ରହିଥିଲା। ଗୋ’ ମାଂସ ଚାଲାଣରେ ଗାଡ଼ିକୁ ସୁରକ୍ଷା ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା ଜାହାଙ୍ଗୀର। ନିକଟରେ ଜେଲ୍ରୁ ମୁକୁଳିିବା ପରେ ଟିଟୋ ସହିତ ସମ୍ପର୍କ ଯୋଡ଼ିବାକୁ ସେ ଉଦ୍ୟମ କରୁଥିବା ଏସ୍ଟିଏଫକୁ ସୂଚନା ମିଳିଥିଲା। ଅନ୍ୟପଟେ ଅବ୍ଦୁଲାର ଯଦିଓ ଟିଟୋ ସହିତ ସିଧାସଳଖ ସମ୍ପର୍କ ନଥିଲା କିନ୍ତୁ ସେ କାଲା ବାବୁ ମାଧ୍ୟମରେ ଟିଟୋର ବିଭିନ୍ନ ଅପରାଧ କାର୍ଯ୍ୟକଳାପ ଘଟାଉଥିଲା।
କଟକରେ ଏସ୍ଟିଏଫ୍ର ଚଢ଼ଉ
୭ ସହଯୋଗୀଙ୍କୁ ଉଠାଇ ନେଲେ
ଟିଟୋର ଜେଲ୍ ଠିକଣା ବଦଳିବ
ଜୁନ୍ ୩୦ ତାରିଖରେ ଟିଟୋ ଗିରଫ ହେବା ପରେ କ୍ରମାଗତ ଭାବେ ଟିଟୋର ବିଭିନ୍ନ ପେଟ୍ରୋଲ ପମ୍ପ ସମେତ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନାରେ ଚଢ଼ଉ କରାଯାଇଛି । ତାକୁ ଜେରାରେ ଏସ୍ଟିଏଫ୍ ସଂଗ୍ରହ କରିଥିବା ତଥ୍ୟ ଆଧାରରେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଜଣେ ଡିଏସ୍ପି ପାହ୍ୟାର ଅଫିସର୍ଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ କଟକରେ ଚଢ଼ଉ କରିଥିଲା।
ବର୍ତ୍ତମାନ ସୁଦ୍ଧା ଯାହା ତଥ୍ୟ ମିଳିଛି, ସେଥିରେ ଉଭୟ ଅବ୍ଦୁଲା ଏବଂ ଜାହାଙ୍ଗୀରଙ୍କୁ ବାଦ୍ ଦେଲେ ଅନ୍ୟ ୫ ଜଣଙ୍କର ଟିଟୋ ସହିତ ସେହିଭଳି ସମ୍ପୃକ୍ତି ନଥିବା ଜଣାପ଼ଡ଼ିଛି। କିନ୍ତୁ ଜାହାଙ୍ଗୀର କେନ୍ଦ୍ରାପଡ଼ାରୁ ସାଲେପୁର ରାସ୍ତାରେ ଆନ୍ଧ୍ରକୁ କଣ୍ଟେନର୍ରେ ଗୋମାଂସ ଚାଲାଣ ବେଳେ କଟକ ଜିଲ୍ଲାରେ ସୁରକ୍ଷା ଯୋଗାଉଥିଲା। ମଙ୍ଗଳାବାଗ ଥାନା ପୁଲିସ ତାକୁ ଗଲା ଫେବ୍ରୁଆରି ୧୭ ତାରିଖରେ ସିଆର୍ପିସିର ଧାରା ୧୧୦ରେ ଗିରଫ କରି ଚୌଦ୍ୱାର ଜେଲ୍ ହାଜତକୁ ପଠାଇଥିଲା। ମେ’ ମାସରେ ଜେଲ୍ରୁ ଜାମିନ୍ରେ ଆସିବା ପରେ ସେ ନିୟମିତ ବ୍ୟବଧାନରେ ହାଜିରା ଦେଉଥିଲା। ଜଗତପୁର ଜଳସେଚନ ବିଭାଗର ୩୦ ଲକ୍ଷ ଟଙ୍କାର ଟେଣ୍ଡର କାମକୁ କେନ୍ଦ୍ର କରି ଅବଦୁର୍ ରହେମାନ୍ଙ୍କ ଭାଇ ମହମ୍ମଦ ତାହିର୍ ଅଲ୍ଲୀ ଖାଁଙ୍କୁ ମାର୍ଚ୍ଚ ୨୮ ତାରିଖରେ ଗୁଳି ମାଡ଼ ମାମଲାରେ ତନାଘନା ଆରମ୍ଭ କରିଛି ପୁଲିସ । ଏଥିରେ ମୁଖ୍ୟ କାର୍ପଟଦାର ଭାବେ ଟିଟୋକୁ ଦର୍ଶାଯାଇ ସାଲେପୁର କୋର୍ଟରେ କମିସନରେଟ୍ ପୁଲିସ ରିମାଣ୍ଡ ରିପୋର୍ଟ ଦାଖଲ କରିଛି। କୋର୍ଟର ଅନୁମତି ମିଳିଲେ ଉକ୍ତ ଗୁଳି ମାଡ଼ ଘଟଣାରେ ଅଧିକ ଖୋଳତାଡ଼ କରିବାକୁ ପୁଲିସ ରିମାଣ୍ଡରେ ଟିଟୋକୁ ନେଇ ଜେରା କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସେହିଭଳି ଟିଟୋ ଗ୍ୟାଙ୍ଗ ନାମରେ ଜଗତପୁର ଅଞ୍ଚଳର ୫ ଜଣ ଅସାମାଜିକ ଯୁବକ ଆତଙ୍କରାଜ କରୁଥିବା ଘଟଣା ଜଣାପଡ଼ିଛି। ସେମାନେ ଜଣେ ବଙ୍ଗୀୟ ଠିକାଦାରଙ୍କୁ ବଟି ପାଇଁ ଧମକ ଦେଇଛନ୍ତି। ଏସଟିଏଫ ଏବେ ଏ ସଂପର୍କରେ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ ଟିଟୋକୁ କେନ୍ଦ୍ରାପଡ଼ା ବାରିମୂଳ ଉପ କାରଗାରାରୁ ରାଜ୍ୟର ଅନ୍ୟ ଏକ ପ୍ରମୁଖ ଜେଲ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରିଛି ଏସ୍ଟିଏଫ୍। କାରଣ ବିଗତ ଦିନରେ କେନ୍ଦ୍ରାପଡ଼ାର ଉକ୍ତ ଜେଲ୍ରୁ ଜଣେ ହତ୍ୟା ଅଭିଯୁକ୍ତ ଗଙ୍ଗାଧର ବିଶ୍ୱାଳ ପାଚେରି ଡେଇଁ ଚମ୍ପଟ ମାରିବା ସହିତ ଜେଲ ଭିତରେ ଜଣେ ଗ୍ୟାଙ୍ଗଷ୍ଟର ପୁଅ ଓ କେତେକ ଅପରାଧୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।
ଏହାଛଡ଼ା କେନ୍ଦ୍ରାପଡ଼ାରେ ଟିଟୋର ଶତାଧିକ ସମର୍ଥକ ଅଛନ୍ତି। ତେଣୁ ଟିଟୋ ବାରିମୂଳ ଜେଲ୍ରେ ରହିଲେ ଯେ କୌଣସି ସମୟରେ ଜେଲ ଭିତରେ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଟିଟୋକୁ ଭୁବନେଶ୍ୱର ଝାରପଡ଼ା ଜେଲ କିମ୍ବା କଟକର ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି। ଏହା ଫଳରେ ସେ ଏସ୍ଟିଏଫ୍ ନଜରରେ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/tito-1.jpg-f-1.jpg)