ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ

ଦୁଇଦିନିଆ ସିଡିଏମ୍‌ଓ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର : ଗତକାଲିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକାରୀ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଯତ୍ନବାନ ହେବା ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି।

ଦ୍ୱିତୀୟ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ନିଦାନ, ସହାୟ, ଆମ କ୍ଲିନିକ୍‌, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆନୁସାଙ୍ଗୀକ ବ୍ୟବସ୍ଥା ସମୂହର ସୁଦୃଢ଼ୀକରଣ, ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମାନସିକ ସ୍ୱାସ୍ଥ୍ୟ, ଜାତୀୟ ପରିବର୍ତିତ ଯକ୍ଷ୍ମା ନିୟନ୍ତ୍ରଣ, ସୁରକ୍ଷିତ ରକ୍ତ ଯୋଗାଣ, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନର ଅଗ୍ରଗତି, କୁଷ୍ଠ ନିରାକରଣ ଆଦି ସଂପର୍କରେ ବିସ୍ତତ ଭାବେ ଆଲୋଚନା ହୋଇଥିଲା। ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ ମାଗଣା ରୋଗ ନିରୂପଣ, ମାଗଣା ଡାଏଲିସିସ୍‌, ସ୍ୱାସ୍ଥ୍ୟ ସହାୟ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆନୁସାଙ୍ଗିକ ବ୍ୟବସ୍ଥା ଓ ସଫଳତା କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ।

ଗତକାଲି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରାଥମିକତା, ଟ୍ରମା କେୟାର ୟୁନିଟ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମାଇନିଂ ପାଣ୍ଠିର ଉପଯୋଗ, ଖାଲି ପଡ଼ିଥିବା ପଦବିର ପୂରଣ, ସ୍ୱାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ପରିମଳ, ନିରାମୟ ଯୋଜନାର ସଫଳତା, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ତଦାରଖ, ଡାକ୍ତରଖାନା ଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥା ଓ ସୁପରି ଚାଳନା ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ରିପୋର୍ଟ ବା ଜିଏଟିଏସ୍‌ ଫ୍ୟାକ୍ଟସିଟ୍‌ ୨୦୧୬/୧୭ର ଉନ୍ମୋଚନ କରାଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଏହାର ଉନ୍ମୋଚନ କରିଥିଲେ। ରାଜ୍ୟରେ ଧୂମପାନ ଓ ତମାଖୁ ବ୍ୟବହାର ହ୍ରାସ ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟର ୩୦ଟି ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲୁ ରହିଛି। କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସ୍ତରରେ ଜନ ସଚେତନତା ସୃଷ୍ଟି କରିବା ଓ ସଂପୃକ୍ତ ଅଧିକାରୀଙ୍କ ତାଲିମ ସହିତ ଏ ସଂପର୍କିତ ଆଇନର କଡ଼ାକଡ଼ି କାର୍ଯ୍ୟକାରୀ କରିବା ଉପରେ ରିପୋର୍ଟରେ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିନସର ନିର୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବ୍ରଜ କିଶୋର ବ୍ରହ୍ମା, ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ଜେ.କେ ତ୍ରିପାଠୀ ଓ ମୁମ୍ବାଇସ୍ଥିତ ଟାଟା ସମାଜ ବିଜ୍ଞାନ ପ୍ରତିଷ୍ଠାନର ପ୍ରଫେସର ସୁଲଭ ପର୍ଶୁରାମନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର