ଆଇନ୍ ଭାଙ୍ଗିବାକୁ ପ୍ରତିଯୋଗିତା ଚାଲିଛି: ନରସିଂହ

ତଳ କୋର୍ଟରେ ଶୁଣାଣି, ଯୁକ୍ତି ଓଡ଼ିଆରେ ହେଉ : ସୌମ୍ୟରଞ୍ଜନ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମ୍ମେଳନ ଉଦ୍‌ଯାପିତ

ଭୁବନେଶ୍ବର : ସମ୍ବିଧାନର ତିନିଟି ସ୍ତମ୍ଭ ଭିତରୁ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଭୁଶୁଡ଼ି ପଡ଼ିଛି। ଏବେ ନ୍ୟାୟପାଳିକା ଭୁଶୁଡ଼ିବାକୁ ବସିଛି। କେହି ଆଇନ ମାନୁନାହାନ୍ତି। ପ୍ରତ୍ୟେକ ପ୍ରତ୍ୟେକଙ୍କ ସ୍ତରରେ ଆଇନ ଭାଙ୍ଗିବାରେ ଲାଗିଛନ୍ତି। ଖୋଦ୍‌ ସରକାର ନିୟମ ମାନୁନାହାନ୍ତି। ଲୋକପାଳ, ଲୋକାୟୁକ୍ତ ନିଯୁକ୍ତି ଜାଣି ଜାଣି ହେଉନାହିଁ। ମାନବାଧିକାର ସୁରକ୍ଷା ଆୟୋଗରେ ପଦ ଖାଲି ପଡ଼ିଥିବା ଯୋଗୁଁ ନ୍ୟାୟ ମିଳୁନାହିଁ। ରାଜ୍ୟ ପୁଲିସ ଆଇନ ସମସ୍ତ ରାଜ୍ୟରେ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ମାନୁ ନାହାନ୍ତି ବୋଲି ‌କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଚାଲିଥିବା ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମ୍ମେଳନର ଆଜି ଉଦ୍‌ଯାପନୀ ଉତ୍ସବ ଦିବସରେ ‘ବିଧି ଶାସନର ପ୍ରତିଷ୍ଠାରେ ଅଂଶୀଦାର (ଷ୍ଟେକ୍‌ ହୋଲ୍ଡର)ଙ୍କ ସମନ୍ବୟ’ ଶୀର୍ଷକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା‌। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମିଶ୍ର କହି‌େଲ, ଓକିଲ-ପୁଲିସ କଳିରେ ଦୁଇ ମାସରୁ ଊର୍ଦ୍ଧ୍ବ ହେବ କୋର୍ଟ ବନ୍ଦ ରହିବା ଯୋଗୁଁ ନ୍ୟାୟ ପାଇବାରୁ ଲୋକେ ବଞ୍ଚିତ ହେଲେ। ଓକିଲ ଆଇନର ଊର୍ଦ୍ଧ୍ବରେ ନୁହନ୍ତି। ଯେଉଁଠି ପାଠ ପଢ଼ି ଓକିଲ ହେବେ, ନ୍ୟାୟଧୀଶ ହେବେ, ସେ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। କପି କରି ଆଇନ ଛାତ୍ର ପାସ୍‌ କରୁଛନ୍ତି। ଆଇନ କଲେଜ୍‌ଗୁଡ଼ିକର ଭିତ୍ତିଭୂମି ମଜବୁତ କରିବା ପାଇଁ ଗ୍ରାଣ୍ଟ-ଇନ୍‌-ଏଡ୍‌ ପ୍ରଦାନ କରିବାକୁ ଯେଉଁ ଜନସ୍ୱାର୍ଥ ମାମଲା ହୋଇଥିଲା, ତାହା ରାଜ୍ୟ ସରକାରଙ୍କ ଆବେଦନ ପରେ ସୁପ୍ରିମକୋର୍ଟରେ ପଡ଼ିଛି। ଏଭଳି ସ୍ଥିତି‌ରେ ବିଧି ଶାସନ କିଭଳି ସମ୍ଭବ ହେବ?

ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ବିଧି ଶାସନର ଅର୍ଥ ହେଉଛି ଆଇନ୍ ଊର୍ଦ୍ଧ୍ବରେ କେହି ନୁହନ୍ତି। ଆଇନ ମାନିବା ମଣିଷର ପ୍ରବୃତ୍ତି। କିନ୍ତୁ ଏବେ ଚିତ୍ର ବଦଳିଛି। ସମସ୍ତେ ଚାହୁଁଛନ୍ତି, କିଛି ସ୍ବତନ୍ତ୍ର, କିଛି ଅଲଗା। କେତେକ ନିଜକୁ ଆଇନ ଠାରୁ ଊର୍ଦ୍ଧ୍ବରେ ଭାବୁଛନ୍ତି। ଫଳରେ ‘ବିଧି ଶାସନ’ ପ୍ରତିଷ୍ଠା ସମ୍ଭବ ହେଉନାହିଁ। କେବଳ କାଗଜ କଲମରେ ଲେଖିଦେଲେ ହେବ ନାହିଁ, ବରଂ ଏହା ବାସ୍ତବରେ ପ୍ରତିଫଳନ ହେବା ଜରୁରୀ। ଆଜି ବି ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକ ଥାନାକୁ ଯିବାକୁ ଚାହାନ୍ତି ନାହିଁ। ବେଳେବେଳେ ଏଭଳି ଦେଖାଯାଏ ଯେ ଏକ ନିର୍ଦ୍ଦିଷ୍ଟ ଖଣ୍ଡପୀଠରେ ଶୁଣାଣି ହେବା ପାଇଁ ଓକିଲ ଅପେକ୍ଷା କରନ୍ତି ବା ତାରିଖ ଘୁଞ୍ଚାଇ ନିଅନ୍ତି। ଏଭଳି ସ୍ଥିତିରେ ବିଧି ଶାସନ ସମ୍ଭବ ନୁହେଁ। ଏଥିପାଇଁ ଏକ ସଂକଳ୍ପର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିପରି ସମସ୍ତଙ୍କ ବୋଧଗମ୍ୟ ହେବା ପାଇଁ ଶୁଣାଣି ଓ ଯୁକ୍ତି ଅନ୍ତତଃ ତଳ କୋର୍ଟଗୁଡ଼ିକରେ ଓଡ଼ିଆରେ ହେଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ମାନିତ ଅତିଥି ଭାବେ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ଆଇନ ସହ ମାନବିକତାକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ଯୋଜନା ବୋର୍ଡ ସ୍ବତନ୍ତ୍ର ସଚିବ ସୁଜିତ କୁମାର ଓକିଲ, ପୁଲିସ ଓ ରାଜନୀତି ବ୍ୟବସ୍ଥାରେ ଅନେକ ଲୋକ ବିଶ୍ବାସ କରୁନଥିବା କହିଥିଲେ। ସୁପ୍ରିମକୋର୍ଟ ଓକିଲ ସଂଘ ସମ୍ପାଦିକା ଅନିନ୍ଦିତା ପୂଜାରୀ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ସମ୍ପାଦକ ବିଭୁପ୍ରସାଦ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭାପତି ଜ୍ଞାନରଂଜନ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର କର, ଭୁବନେଶ୍ବର ବାର ଆସୋସିଏସନ୍‌ର ସଭାପତି ଦୁର୍ଗାମାଧବ ମିଶ୍ର ଓ ସଂପାଦକ ଅଂଜନ ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର