‘ଶିଷ୍ୟ ଭିତରେ ଗୁରୁ ସର୍ବଦା ବଞ୍ଚିରହିଥାଏ’

ଭଗବତୀ ବିଦ୍ୟାପୀଠ ପୁରାତନ ଛାତ୍ରସଂସଦର ସୁବର୍ଣ୍ଣ ଜୟନ୍ତୀ ଉଦ୍‌ଯାପିତ

ମାହାଙ୍ଗା : ସମାଜରେ ଗୁରୁ-ଶିଷ୍ୟ ସଂପର୍କ ଏକ ନିଆରା ପରମ୍ପରା। ଶିଷ୍ୟ ବିଦ୍ୟାଳୟରୁ ଶିକ୍ଷାଦାନ ଶେଷ କଲା ପରେ ସେ ଯେଉଁଠି ଥିଲେ ମଧ୍ୟ ବିଦ୍ୟାଳୟ ପ୍ରତି ସବୁବେଳେ ନିଜ ହୃଦୟ ଭିତରେ ସେହି ସ୍କୁଳ ଜୀବନର ଅଭୁଲା ସ୍ମୃତିକୁ ସାଇତି ରଖିଲେ ଶିକ୍ଷାନୁଷ୍ଠାନର ଉନ୍ନତି ହେବା ସହ ଶିଷ୍ୟ ଭିତରେ ଗୁରୁ ସଦାସର୍ବଦା ବଞ୍ଚ ରହିଥାଏ ବୋଲି ମାହାଙ୍ଗା ବ୍ଳକ ଅନ୍ତର୍ଗତ ଶୁକ୍ଳେଶ୍ୱରଠାରେ ଥିବା ମାହାଙ୍ଗାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଭଗବତୀ ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦର ସୁବର୍ଣ୍ଣ ଜୟନ୍ତୀର ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତିା

ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ମାହାଙ୍ଗା ମାଟି ସଂସ୍କୃତି ସଂପନ୍ନ ମାଟି। ଏହି ମାଟି ବହୁ କୃତୀ ସନ୍ତାନଙ୍କୁ ତିଆରି କରିଛି। ବହୁ କୃତୀ ଛାତ୍ରଛାତ୍ରୀ ରାଜ୍ୟରେ ବିଭିନ୍ନ ପଦ ପଦବିରେ ପ୍ରତିଷ୍ଠା ଲାଭ କରି ଏହି ବିଦ୍ୟାଳୟକୁ ଗୋରବାନ୍ଵିତ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା। ତେଣୁ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡିଲେ ବିଦ୍ୟାଳୟର ମାନ ଅଧିକ ସମୃଦ୍ଧି ଲାଭ କରିଥାଏ ବୋଲି କହି ମନ୍ତ୍ରୀ ଶ୍ରୀ ଜେନା ନିଜସ୍ୱ ପାଣ୍ଠିରୁ ଏହି ବିଦ୍ୟାଳୟର ବିକାଶ ନିମନ୍ତେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ବକ୍ତବ୍ୟରେ କହିଥିଲେ। ସୁବର୍ଣ୍ଣ ଜୟନ୍ତୀ କମିଟିର ପୃଷ୍ଠପୋଷକ ଉପେନ୍ଦ୍ର ନାଥ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଦ୍ୟାଳୟର ଛାତ୍ର ହୋଇଥିବାରୁ ଆମେ ନିଜକୁ ଗର୍ବ ଅନୁଭବ କରୁଛୁ ବୋଲି କହିଥିଲେ। ‘ସମ୍ବାଦ’ର ଫିଚର ସଂପାଦକ ତଥା କେନ୍ଦ୍ର ସାହିତ୍ୟ ଅକାଦମୀ ଓଡ଼ିଶା ଉପଦେଷ୍ଟାମଣ୍ଡଳୀର ଆବାହକ ଡକ୍ଟର ଗୋରହରି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ଏକ ବିଦ୍ୟାଳୟ ଖୋଲିଲେ ଶହେ ସମ୍ଭାବନାର ଦ୍ୱାର ଖୋଲିଥାଏ। ଭଲ ଶିକ୍ଷକ, ଭଲ ମାତା ଓ ଭଲ ଅଭିଭାବକଙ୍କ ଦ୍ୱାରା ଉତ୍ତମ ଛାତ୍ର ତିଆରି ହୋଇଥାନ୍ତି। ଜଣେ ଛାତ୍ର ନିଚ ମନୋଭାବ ନ ରଖି ଦୃଢ ମନୋବଳ ରଖିଲେ ସଫଲତାର ଶୀର୍ଷରେ ପହଞ୍ଚଥାଏ ବୋଲି ଡକ୍ଟର ଦାସ ମତବ୍ୟକ୍ତ କରିଥିଲେ।

ଅନୁଗୁଳ ଜିଲ୍ଲାପାଳ ତଥା ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତଥା ପ୍ରାଧ୍ୟାପକ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଉତ୍କଳ ସାହିତ୍ୟ ସମାଜର ସଭାପତି ତଥା ପୁରାତନ ଛାତ୍ର ଡକ୍ଟର ବିଜୟାନନ୍ଦ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପୁରାତନ ଛାତ୍ର ସଂସଦ ସଂପାଦକ ଅରୁଣ କୁମାର ବାରିକ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ଛାତ୍ର ସଂସଦ ସଭାପତି ଲୋକନାଥ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ଡକ୍ଟର ଭୁବନାନନ୍ଦ ସାହୁଙ୍କ ସଂପାଦନାରେ ‘ସୁବର୍ଣ୍ଣ ସ୍ମୃତି’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ପୂର୍ବାହ୍ନ ୧୦ଟା ସମୟରେ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରମାନଙ୍କ ବନ୍ଧୁମିଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶେଷରେ ପୁରାତନ ଛାତ୍ର କାଳୀଚରଣ ସିହ୍ନା, ନୀଳମଣି ମହାନ୍ତି, ବୀରକିଶୋର ମହାନ୍ତି ଓ ଶୁକ୍ରମଣି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏଥି ସହ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷଣ କରାଯାଇଥିଲା। ଡକ୍ଟର ଏକାଦଶୀ ପ୍ରଧାନ, ପ୍ରଶାନ୍ତ କାନୁନ୍‌ଗୋ, ସରୋଜବନ୍ଧୁ ଦାସ, ମଦନମୋହନ ମଲ୍ଲ, ଜ୍ଞାନରଞ୍ଜନ ମହାପାତ୍ର, ସତ୍ୟନାରାୟଣ ଦାସ, ତାପସ ବିଶ୍ୱାଳ, ଧନେଶ୍ୱର ସେଠୀ, ଉମାକାନ୍ତ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର