‘ଅ’ ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍ ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଆମାନଙ୍କୁ ଆଜି ଯେଉଁଭଳି ଦୃଷ୍ଟିରେ ବିଚାର କରାଯାଉଛି, ପ୍ରକୃତରେ ସେମାନେ ସେଭଳି ନୁହନ୍ତି। ହଜାର ହଜାର ବର୍ଷ ତଳେ ଓଡ଼ିଆମାନେ ବିଶ୍ବର କୋଣଅନୁକୋଣକୁ ବୋଇତ ମେଲାଇ ପ୍ରଚୁର ସମ୍ପଦ ନିଜ ଦେଶକୁ ବୋହି ଆଣିପାରୁଥିଲେ। ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ଦିନେ ଓଡ଼ିଆ ସାଧବମାନେ ନିଜର ପ୍ରଭାବ ବିସ୍ତାର କରିଥିଲେ। କୋଣାର୍କ, ପୁରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ସୁକ୍ଷ୍ମ କାରୁକାର୍ଯ୍ୟ ଭିତ୍ତିକ କଳାକୃତୀ ଓଡ଼ିଶାକୁ ଛାଡ଼ିଲେ ବୋଧହୁଏ ଅନ୍ୟତ୍ର ବିରଳ। ସେହିଭଳି ଓଡ଼ିଶାର ପାଣି ପାଇପ ମିସ୍ତ୍ରୀ ଛୁଟିରେ ରହିଲେ ଅନେକ ଦେଶର ଘରମାନଙ୍କୁ ପାଣି ଯୋଗାଣ ବନ୍ଦ ହୋଇଯାଏ। ଓଡ଼ିଆ ଡାକ୍ତରମାନେ ସେବା ନ ଯୋଗାଇଲେ ଦେଶର ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଯିବାର ଆଶଙ୍କା ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ପକ୍ଷରୁ ଭୁବନେଶ୍ବରସ୍ଥ ମେ’ ଫେୟାର ହୋ‌େଟଲରେ ଆୟୋଜିତ ‘ଅ’ ଓଡ଼ିଶା ଲିଟେରାରି ଫେଷ୍ଟିଭାଲ‌୍‌ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାକୁ ଐଶ୍ବର୍ଯ୍ୟଶାଳୀ ଓ ପ୍ରାକୃତିକ ବିଭବଭରା ମୂଲକ ଭାବେ ବର୍ଣ୍ଣନା କରିଥିଲେ। ଓଡ଼ିଶାର ବୈଜ୍ଞାନିକମାନେ ଆଜି ବିଶ୍ବର ସବୁଠି ସଫଳତା ହାସଲ କରିପାରିଛନ୍ତି। ଓଡ଼ିଶାର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି, ଖଣିଜ ସଂପଦ, ଜଙ୍ଗଲ ସଂପଦ, ଜଳ ସଂପଦ ଭଳି ମୂଲ୍ୟବାନ ସଂପଦ ଓଡ଼ିଶାକୁ ବିଶ୍ବର ନେତୃତ୍ବ ନେବାର କ୍ଷମତା ରଖିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେହିଭଳି ପେଟ୍ରୋଲ ଦରବୃଦ୍ଧି ନେଇ ଶ୍ରୀ ପ୍ରଧାନ ସଫେଇ ଦେବାକୁ ଯାଇ କହିଥିଲେ, ଦେଶ ଓ ରାଜ୍ୟର ଟିକସ ପରିଚାଳନା ବ୍ୟବସ୍ଥା, ଆମଦାନୀ ସଂକଟ ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ସାମୟିକ ଭାବେ ପେଟ୍ରୋଲ ଦର ବଢ଼ିଛି। ଏହି ସଂକଟ ଖୁବ ଶୀଘ୍ର ଟଳିଯିବ ବୋଲି ସେ କହିଥିଲେ। ନିଉ ଇଣ୍ଡିଆନ ଏକ୍ସପ୍ରେସର ସଂପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସାଂସଦ ଫିରୋଜ ବରୁଣ ଗାନ୍ଧୀ ଅନ୍ୟ ଏକ ଅଧିବେଶନ‌ରେ ଉପସ୍ଥିତ ରହି ଗଣମାଧ୍ୟମ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥା ପରସ୍ପର ସହ ଏକ ସଂପର୍କରେ ବାନ୍ଧି ହୋଇ ରହିଲେ ଗୋଟିଏ ଜାତିର ବିକାଶକୁ କେହି ରୋକିପାରିବେ ନାହିଁ ବୋଲି କହିଥିଲେ। ଆଜି ନଦୀ ଉପରେ ଯେଉଁଭଳି ଆକ୍ରମଣ କରାଯାଉଛି, ଜଙ୍ଗଲ ସଂପଦକୁ ଯେଉଁଭଳି ଭାବେ ବିନାଶ କରାଯାଉଛି ତାହା ଆଗାମୀ ସମୟ ପାଇଁ ବିରାଟ ବିପଦ ସୃଷ୍ଟି କରିବାକୁ ଯାଉଛି ବୋଲି ସେ କହିଥିଲେ।

ସେହିଭଳି ‘ଟେ‌କ୍‌ନୋଲୋଜି ସାହିତ୍ୟ ପ୍ରତି ସହାୟକ ହେବ କି?’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଟେକ୍‌ନୋଲୋଜିକୁ ସାହିତ୍ୟର ଶତ୍ରୁ ନୁହେଁ, ବରଂ ବନ୍ଧୁ ଭାବିବା ଉଚିତ୍ ବୋଲି କହିଥିଲେ। ଟେ‌କ୍‌ନୋଲୋଜି ଯୋଗୁଁ ଆଜିର ଯୁବବର୍ଗ ଖୁବ୍ ସହଜରେ ପୃଷ୍ଠା ପରେ ପୃଷ୍ଠା ବହୁ ପୁରୁଣା ଓ ବିରଳ ବହିକୁ ଡିଜିଟାଲ୍ ରୂପରେ ପଢ଼ିପାରୁଛି ଓ ଦୁନିଆର ସମସ୍ତ ତଥ୍ୟକୁ ନିଜ ହାତ ମୁଠାରେ ରଖିପାରୁଛି। ଜଣେ ଛାତ୍ରକୁ ଆଉ ଅଳନ୍ଦୁପୂର୍ଣ୍ଣ ଲାଇବ୍ରେରିରେ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରି ପୁରୁଣା ବହି ଖୋଜିବାକୁ ପଡୁ ନାହିଁ। ହଜାର ହଜାର ବର୍ଷ ପୂର୍ବେ ପଥର ପୃଷ୍ଠାରେ ବହି ଲେଖାଯାଉଥିଲା। କାଳକ୍ରମେ ତମ୍ବା ପଟାରେ, ତାଳପତ୍ରରେ ଓ ଶେଷରେ କାଗଜ ପୃଷ୍ଠାରେ ବହି ଛପାଗଲା। ଆଜି ଯଦି କାଗଜ ଓ କାଳିର ବହି ବନ୍ଦ ହୋଇଗଲା ଏବଂ ତା’ ବଦଳରେ ଡିଜିଟାଲ୍ ବହି ବଜାରକୁ ଆସିଲା, ଏଥିରେ ସମସ୍ୟା କେଉଁଠି ରହିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ଆଲୋଚନାଚକ୍ରରେ ଅନ୍ୟତମ ଆଲୋଚକ ଭାବେ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ଶୁଭାଶିଷ ପାଣିଗ୍ରାହୀ ଯୋଗଦେଇ ଓଡ଼ିଆ ଭାଷାକୁ ଇଣ୍ଟରନେଟ ଫ୍ରେଣ୍ଡ୍‌ଲି କରିବାକୁ ଆହ୍ବାନ ଜଣାଇଥିଲେ। ସେହିଭଳି ଅନ୍ୟ ଅଧିବେଶନମାନଙ୍କରେ ଅଶ୍ବିନୀ ସ‌ାଂଘି, ସାଂସଦ ଫିରୋଜ ବରୁଣ ଗାନ୍ଧୀ, ଅବଲୋକ ଲଙ୍ଗେର, କୋଟା ନୀଳିମା, ନିୟାଜ ଫାରୁକ୍, ସୁଜିତ ମହାପାତ୍ର, ଦେବପ୍ରିୟ ରାୟ, ଇରା ମୁଖୋଟି, ମଞ୍ଜିମା ଭଟ୍ଟାଚାର୍ଯ୍ୟ, ରବିଶଙ୍କର ଇତ୍‌ହେ, ଶରମାନ ଯୋଶୀ, ଧୀରଜ କୁମାର, ମନୀଷ କିଶୋର, ପୀୟୂଷ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଅସୁସ୍ଥତା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯୋଗ ଦେଇ ପାରି ନଥିଲେ।

ସମ୍ବନ୍ଧିତ ଖବର