ଜଗଦ୍‌ଗୁରୁ ସମାଜକୁ ମାର୍ଗଦର୍ଶନ ଜାରି ରଖନ୍ତୁ: ମୁଖ୍ୟମନ୍ତ୍ରୀ

ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ୨୫ବର୍ଷ ପୂର୍ତ୍ତିି ମହୋତ୍ସବ ଉଦ୍‌ଯାପିତ

ପୁରୀ : ପରମ ପୂଜ୍ୟପାଦ ଗୋବର୍ଦ୍ଧନ ପୀଠାଧିଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୨୫ତମ ପଟ୍ଟାଭିଷେକ ମହୋତ୍ସବ ଅବସରରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ବିଦ୍ଵତ ସଂଗୋଷ୍ଠୀ ଆଜି ଉଦ୍‌ଯାପିତ ହୋଇଛି। ଉଦଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଗୁରୁ ପରମ୍ପରାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସର୍ବଶ୍ରେଷ୍ଠ ଗୁରୁ। ସମାଜରେ ଆଧ୍ୟାତ୍ମିକତାର ପ୍ରସାର ଦିଗରେ ସେ ତାଙ୍କର ମାର୍ଗଦର୍ଶନ ଜାରି ରଖିଛନ୍ତି। ମୋର ବିଶ୍ୱାସ ଆଗକୁ ମଧ୍ୟ ସେ ଏହି ପ୍ରୟାସ ଜାରି ରଖିବେ। ଏଭଳି ଏକ ପବିତ୍ର କାର୍ଯ୍ୟକ୍ରମର ଅଂଶବିଶେଷ ହୋଇଥିବାରୁ ଏହା ମୋ ପାଇଁ ଏକ ଆନନ୍ଦର କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ରୁପା ଗଣେଶ ଉପହାର ଦେଇଥିଲେ। ପ୍ରତ୍ୟୁତ୍ତରରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶାଲ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜଗଦ୍‌ଗୁରୁଙ୍କ ରଚିତ ଗଣିତ ଶାସ୍ତ୍ର ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଉତ୍ସବରେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ, ଗଜପତି ମହାରାଜା ଦିବ୍ୟ ସିଂହଦେବ, ଜଗଦ୍‌ଗୁରୁଙ୍କ ବ୍ୟକ୍ତିଗତ ସଚିବ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ୱତୀ ପ୍ରମୁଖ ମଞ୍ଚାସୀନ ଥିଲେ। ନେପାଳ ନରେଶ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ରୁଦ୍ରାକ୍ଷ ଉପହାର ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଫେରିବା ପରେ ବିଦ୍ଵତ ସଂଗୋଷ୍ଠୀ କାର୍ଯ୍ୟକମ ଜାରି ରହିିଥିଲା। ନେପାଳ ନରେଶ ମଧ୍ୟ କିଛି ସମୟ ପରେ ଚାଲି ଯାଇଥିଲେ। ତେବେ ଗଜପତି ମହାରାଜା ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଉତ୍ସବରେ ବିଭିନ୍ନ ସ୍ଥାନରୁ ଆସିଥିବା ପାଖାପାଖି ୫୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ସକାଳ ୯ଟାରୁ ସଂଗୋଷ୍ଠୀର ୪ର୍ଥ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ନୀଳକଣ୍ଠ ପତି ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜନା କରିଥିଲେ ପ୍ରଫୁଲ୍ଲ ରଥ। ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଶଙ୍କର ଦର୍ଶନ ଓ ରାଷ୍ଟ୍ରର ସୁଶାସନ ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଡ. ରାମଚନ୍ଦ୍ର ମିଶ୍ର ‘ରାଷ୍ଟ୍ରୀୟ ସଂହତି ଏବଂ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ’ ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ‘ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ରଚନାରେ ରାଷ୍ଟ୍ରଚେତନା’ ଶୀର୍ଷକ ସନ୍ଦର୍ଭ ପ୍ରମୋଦ ଚନ୍ଦ୍ର ମିଶ୍ର ଉପସ୍ଥାପନ କରିଥିଲେ। ସାଢ଼େ ୧୧ଟା ବେଳେ ପଞ୍ଚମ ଅଧିବେଶନ ଆରମ୍ଭ ହୋଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ରାଧାମାଧବ ଦାଶ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜନା କରିଥିଲେ ଡ. ହରମୋହନ ମିଶ୍ର। ନିଗମାନନ୍ଦ ସାରସ୍ୱତ ଆଶ୍ରମର ସ୍ୱାମୀ ଶଙ୍କରାନନ୍ଦ ସରସ୍ୱତୀ ମହାରାଜା ‘ଶଙ୍କର ଦର୍ଶନ ଏବଂ ବସୁଦୈବ କୁଟୁମ୍ବକମ୍‌’ ସନ୍ଦର୍ଭ ଉପସ୍ଥାପନ କରିଥିଲେ।

‘ଭଗବତପାଦ ଆଦିଶଙ୍କରାଚାର୍ଯ୍ୟଙ୍କ ବେଦାନ୍ତ ଦର୍ଶନ ଏବଂ ବିଶ୍ୱକଲ୍ୟାଣ’ ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଗୋପାଳକୃଷ୍ଣ ଦାଶ। ‘ବେଦାନ୍ତ ଦର୍ଶନ ଏବଂ ସାମ୍ପ୍ରଦାୟିକ ସଦ୍‌ଭାବନା’ ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ ଡ. ସୁଧାକର ମିଶ୍ର। ଅପରାହ୍ନ ୩ଟାରେ ଶେଷ ଅଧିବେଶନ ଗଙ୍ଗାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା। ଅତୁଲ ନନ୍ଦ ସଂଯୋଜନା କରିଥିବା ବେଳେ ଡ. ସିଦ୍ଧେଶ୍ୱର ମହାପାତ୍ର ‘ଶ୍ରୀମଦ୍‌ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା ଏବଂ ମୁକ୍ତିମଣ୍ଡପ’ ଶୀର୍ଷକ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ସେବାପୂଜା ପରମ୍ପରାରେ ଗୋବର୍ଦ୍ଧନ ପୀଠର ଭୂମିକା ବିଷୟରେ ଭଗବାନ ମହାପାତ୍ର ଆଲୋଚନା କରିଥିଲେ। ‘ଶ୍ରୀଜଗନ୍ନାଥ ସେବା-ପୂଜା ପରମ୍ପରାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଯୋଗଦାନ ଶୀର୍ଷକ ଆଲୋଚନା କରିଥିଲେ ରବିନ୍ଦ୍ରନାଥ ପ୍ରତିହାରୀ। ଶ୍ରୀମଦ୍‌ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା ଏବଂ ଶ୍ରୀମନ୍ଦିର’ ଶୀର୍ଷକ ଆଲୋଚନା କରିଥିଲେ ସୁରେନ୍ଦ୍ର ନାଥ ଦାଶ। ଏହି ସମସ୍ତ ଆଲୋଚକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ହରେକୃଷ୍ଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମନୋଜ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ଭାଷଣରେ କହିଥିଲେ, ବୈଦିକ ସନାତନ ଧର୍ମର ପ୍ରତିଷ୍ଠା ପାଇଁ ଆଦି ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଜି ପର୍ଯ୍ୟନ୍ତ ପ୍ରୟାସ ଜାରି ରହିଛି। ରକେଟ ଯୁଗରେ ଯେଉଁ ଯନ୍ତ୍ର ପ୍ରସ୍ତୁତ କରି ବା ଆବିଷ୍କାର କରି ବିକାଶ କରିବାକୁ ସରକାର ଚାହୁଁଛନ୍ତି ତାହା ସେଥିରେ ସମ୍ଭବ ନୁହେଁ। ବୈଦିକ ଆଚାର୍ଯ୍ୟଙ୍କୁ ତଳିତଳାନ୍ତ କରିବାକୁ ସରକାର ଉଦ୍ୟମ ଚଳାଇଛନ୍ତି। ଏଣୁ ମଠ ମନ୍ଦିରର ସୁରକ୍ଷାର ଆବଶ୍ୟକତା ରହିଛି। ମଠମନ୍ଦିର ସୁରକ୍ଷିତ ରହିଲେ ଧର୍ମ ସୁରକ୍ଷିତ ରହିବ। ଧର୍ମ ସୁରକ୍ଷିତ ରହିଲେ ପ୍ରଜା ସୁରକ୍ଷିତ ରହିବେ। ଏଣୁ ଏହା ଉପରେ ଗଭୀର ଚିନ୍ତନ କରିବାର ବେଳ ଆସିଛି।

ସମ୍ବନ୍ଧିତ ଖବର