‘ମୋଦି ନ୍ୟାୟିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି’

ଟାଟା ଷ୍ଟିଲ୍‌ ଲିଟେରାରି ମିଟ୍‌ ଉଦ୍‌ଯାପିତ

ଭୁବନେଶ୍ୱର : ଇତିହାସରେ ପ୍ରଥମ ଥର ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଚାରି ପ୍ରମୁଖ ବିଚାରପତି ପ୍ରେସ୍‌କୁ ଆସିବା ଦର୍ଶାଉଛି ନ୍ୟାୟିକ ବ୍ୟବସ୍ଥାରେ ସବୁକିଛି ଠିକ୍‌ ନାହିଁ। କେନ୍ଦ୍ର ସରକାର ଯୋଜନାବଦ୍ଧ ଭାବରେ ଦେଶର ସର୍ବୋଚ୍ଚ ନ୍ୟାୟିକ ବ୍ୟବସ୍ଥାରେ ହସ୍ତକ୍ଷେପ କରିବା ସହିତ ତା’ର କଣ୍ଠରୋଧ କରୁଛନ୍ତି। ନ୍ୟାୟାଳୟ ଉପରେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଦେଶର ନ୍ୟାୟିକ ବ୍ୟବସ୍ଥା ଉପରୁ ଜନସାଧାରଣଙ୍କର ଭରସା ତୁଟିଯାଉଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଞ୍ଜୁରି ଅପେକ୍ଷାରେ ଥିବା ଅନେକ ଫାଇଲ୍‌ ସେହିପରି ପଡ଼ିରହିଛି। କାରଣ ଏହି ଫାଇଲ୍‌ଗୁଡ଼ିକର ବିଚାର ନିମନ୍ତେ ନ୍ୟାୟାଳୟରେ ସରକାରଙ୍କ ମନ ମୁତାବକ ବ୍ୟକ୍ତି ମିଳୁନାହାନ୍ତି।

ଆଜି ‘ସମ୍ବାଦ’ ସହଯୋଗରେ ଆୟୋଜିତ ଟାଟା ଲିଟେରାରି ମିଟ୍‌ର ଉଦ୍‌ଯାପନୀ ଦିବସରେ ଆୟୋଜିତ ଅନ୍ତିମ ଅଧିବେଶନରେ ଏପରି ମତ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ଵାରି ଓ ଲୋକସଭା ସାଂସଦ ତଥା ବିଜେଡି ନେତା ପିନାକୀ ମିଶ୍ର।

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ତଙ୍କ ସହିତ ଏକ ଆଲୋଚନା କାଳରେ କେନ୍ଦ୍ର ସରକାର ଅତ୍ୟନ୍ତ ଚତୁରତାର ସହିତ ସୁପ୍ରିମ୍‌ କୋର୍ଟର ବିଧିବ୍ୟବସ୍ଥାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲେ ଏହି ଦୁଇ ନେତା। ନିକଟରେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ରାଜନୈତିକ ପଦପଦବିରେ ଥିବା ରାଜନେତାମାନେ ଆଇନ ବ୍ୟବସାୟ କରୁଥିବା ନେଇ କିଛି ରାଜନେତାଙ୍କୁ ନୋଟିସ୍‌ ଜାରି କରିଛି। ସେମାନଙ୍କୁ ଆଇନ ବ୍ୟବସାୟରୁ ବାରଣ କରାଯିବା ଉପରେ ବିଚାର ଚାଲିଛି। ଏନେଇ ଶ୍ରୀ ପଟ୍ଟନାୟକଙ୍କ ଏକ ପ୍ରଶ୍ନରେ କଂଗ୍ରେସ ନେତା ମନୀଷ ତିଓ୍ଵାରୀ କହିଥିଲେ ଯେ ରାଜନୀତିରେ ଭଲ ଲୋକଙ୍କ ସ୍ଥାନ ନ ରହିବା ନେଇ ଯଦି କିଛି ବ୍ୟକ୍ତି ଚାହୁଁଛନ୍ତି ତେବେ ସେନେଇ କିଛି କହିବାର ନାହିଁ। ବର୍ତ୍ତମାନର ମୋଦି ସରକାରରେ ଘରୋଇ ଏୟାରଲାଇନ୍ସ୍‌ ପରିଚାଳନା କରୁଥିବା ବ୍ୟକ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର କ୍ଷମତାଶାଳୀ ଷ୍ଟାଣ୍ଡିଂ କମିଟିର ପ୍ରମୁଖ ସଦସ୍ୟ ରହୁଛନ୍ତି।

ସେହିପରି ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟ ଦ୍ୱାରା ପ୍ରଭାବିତ ହେଉଥିବା ବ୍ୟବସାୟିକ ଗୋଷ୍ଠୀର ମୁଖ୍ୟ ମଧ୍ୟ ଉକ୍ତ ମନ୍ତ୍ରଣାଳୟରେ ସାମିଲ ଅଛନ୍ତି। ଜଣେ ରାଜନେତା ଯେ ଆଇନ ବ୍ୟବସାୟ କରିପାରିବ ନାହିଁ ତାହା ଅନେକାଂଶରେ ଗ୍ରହଣୀୟ ନଥିବା ଶ୍ରୀ ତିଓ୍ଵାରୀ ପ୍ରକାଶ କରିଥିଲେ। ସେହିପରି ଏ ସମ୍ପର୍କରେ ବିଜେଡି ନେତା ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର କହିଲେ ଯେ ଏନେଇ ପିଆଇଏଲ୍‌ ଦାୟର କରିଥିବା ବ୍ୟକ୍ତି ଜଣେ ବିଜେପି ସମର୍ଥକ ଏବଂ ଏହା କେବଳ ବିଜେପିକୁ ସହାୟକ ହେବ। କାରଣ ଉକ୍ତ ଦଳରେ ଦକ୍ଷ ଆଇନଜୀବୀଙ୍କ ସଂଖ୍ୟା କମ୍‌। ଯେଉଁମାନେ ଅଛନ୍ତି ସେମାନେ ସମସ୍ତେ ମନ୍ତ୍ରୀ। ତେଣୁ ସେମାନେ ମଧ୍ୟ ମନେ ରଖିବା ଉଚିତ୍‌ ଯେ ପରବର୍ତ୍ତୀ ସମୟରେ ସେମାନେ ମଧ୍ୟ ଆଇନ୍‌ କ୍ଷେତ୍ରକୁ ଆସିବେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭଳି ବିଜେପି ସହିତ ହାତ ମିଶେଇପାରନ୍ତି କି? ରାଜନୀତିର ପରିବର୍ତ୍ତିତ ପରିସ୍ଥିତିରେ ଏପରି ହୋଇପାରିବା ସମ୍ଭବ କି? ବର୍ଖା ଦତ୍ତଙ୍କ ଏକ ସିଧାସଳଖ ପ୍ରଶ୍ନରେ ବିଜେଡି ନେତା ପିନାକୀ ମିଶ୍ର ଏହାକୁ ରୋକ୍‌ଠୋକ୍‌ ଖଣ୍ଡନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ଅବଲମ୍ବନ କରୁଥିବା ବାରମ୍ବାର କହିଛନ୍ତି। ଏକ ସମୟରେ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବାକୁ ବିଜେପି ସହିତ ମେଣ୍ଟ ହୋଇଥିଲା। ମାତ୍ର କନ୍ଧମାଳ ଦଙ୍ଗା ଓଡ଼ିଶା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ। ଏହି ଦଙ୍ଗା ପାଇଁ ବିଜେପି ସମର୍ଥିତ ବଜରଙ୍ଗ୍‌ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ସମ୍ପୂର୍ଣ୍ଣ ଦାୟୀ। ଏହି ଦଙ୍ଗା ମୁଖ୍ୟମନ୍ତ୍ରୀଙ୍କୁ ଗଭୀର ଆଘାତ ଦେଇଥିଲା। ତେଣୁ ବିଜେଡି ବିଜେପି ସହିତ କୌଣସି ପ୍ରକାର ମେଣ୍ଟ କରିବ ନାହିଁ। ତେଣୁ ସେ କହିଥିଲେ ଯେ ନିର୍ବାଚନ ପୂର୍ବରୁ ମେଣ୍ଟର ପ୍ରଶ୍ନର ଉଠୁନାହିଁ। ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ କଣ ହେବ ତାହା ଭଗବାନଙ୍କୁ ଜଣା। ମାତ୍ର ଦେଶର ବର୍ତ୍ତମାନ ରାଜନୈତିକ ସ୍ଥିତିକୁ ଦେଖିଲେ ବର୍ତ୍ତମାନର ବିଜେପି ସରକାର ନିଶ୍ଚିତ ୬୦-୭୦ ସିଟ୍‌ ପଛରେ ରହିବ। ଏହା ସେମାନଙ୍କୁ ଆଞ୍ଚଳିକ ଦଳମାନଙ୍କୁ ସାଙ୍ଗରେ ନେଇ ଚାଲିବାକୁ ବାଧ୍ୟ କରିପାରେ।

ଦେଶରେ ବିଜେଡି, ସମାଜବାଦୀ ପାର୍ଟି ଭଳି ଆଞ୍ଚଳିକ ଦଳଗୁଡ଼ିକ କାହିଁକି ବିଜେପି ବିରୋଧରେ ଏକାଠି ହେଉନଥିବା ପ୍ରଶ୍ନରେ ଉଭୟ ପିନାକୀ ଏବଂ ମନୀଷ ଏ ସମ୍ପର୍କରେ ବିଶେଷ ଆଲୋଚନା ଆବଶ୍ୟକ ଥିବା କହିଥିଲେ। ଗୁଜୁରାଟ ନିର୍ବାଚନରେ ବିଜେପିର କଠିନ ବିଜୟ ଓ କଂଗ୍ରେସର ପରାଜୟକୁ ନେଇ ପ୍ରଶ୍ନ ଉପରେ ଶ୍ରୀ ତିଓ୍ଵାରୀ କହିଥିଲେ ଯେ ଗୁଜୁରାଟ ବିଜୟରେ ବିକାଶ ବା ଅସ୍ମିତାର କୌଣସି ଚିହ୍ନ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବ୍ୟକ୍ତିଗତ ଆକ୍ରମଣ କରିବା, ପାକିସ୍ତାନ କଥା କହି ଏକ ଭ୍ରମ ସୃଷ୍ଟି କରି ଏହି ବିଜୟ ହୋଇଥିବା ସେ କହିଥିଲେ। ୨୦୧୯ ନିର୍ବାଚନରେ ଅର୍ଥନୀତି ଏକ ପ୍ରମୁଖ ପ୍ରସଙ୍ଗ ହେବା, ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୪୪ରେ ସୀମିତ ରହିବା, ଗୁଜୁରାଟ ନିର୍ବାଚନ ପ୍ରଚାର କାଳରେ ରାହୁଲ ଗାନ୍ଧୀ ମନ୍ଦିରକୁ ଯିବା, ସଂଖ୍ୟାଲଘୁ ନେତାଙ୍କ ସହିତ ମଞ୍ଚରେ ନରହିବା ଆଦି ପ୍ରଶ୍ନରେ ଶ୍ରୀ ତିଓ୍ଵାରୀ କହିଥିଲେ ଯେ ରାହୁଲଙ୍କ ଜେଜେମା’ ଇନ୍ଦିରା ଗାନ୍ଧୀ ମଧ୍ୟ ମନ୍ଦିର ଯାଉଥିଲେ। ତେଣୁ ଏନେଇ କୌଣସି ସମସ୍ୟା ରହିବା ଆବଶ୍ୟକ ନାହିଁ।

ସେହିପରି ମୋଦି ମ୍ୟାଜିକ୍‌ ମଧ୍ୟ ଆଉ କାମ କରିବ ନାହିଁ। ତାଙ୍କ ସରକାର ଶେଷ ତିନିବର୍ଷ ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ନକାରାତ୍ମକ ରହିଛି। ଜିଏସ୍‌ଟି, ବିମୁଦ୍ରାକରଣ ଭଳି ଅଦୂରଦର୍ଶୀ ନିଷ୍ପତ୍ତି ଜନସାଧାରଣଙ୍କୁ ଅସୁବିଧାରେ ପକାଇଛି। ଗୁଜୁରାଟ ନିର୍ବାଚନରେ ବିଜେପି ବିକାଶ ବା ଅସ୍ମିତା ପାଇଁ ବିଜୟୀ ହୋଇନାହିଁ। ମିଥ୍ୟା ପ୍ରତିଶ୍ରୁତି ଓ ବାକ୍‌ପଟୁତାରେ ମୋଦି ଏକ ପ୍ରହେଳିକା ସୃଷ୍ଟି କରୁଛନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ଆଗକୁ ଆସୁଛି। ଉକ୍ତ ତିନିଟି ଯାକ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ ଅଛି। ତେଣୁ ବିଜେପି ଆଗୁଆ ନିର୍ବାଚନ ସପକ୍ଷରେ ରହିଥିବା ଶ୍ରୀ ତିଓ୍ଵାରୀ ପ୍ରକାଶ କରିଥିଲେ।

ସେହିପରି ରାଜନୀତିରେ ପରିବାରବାଦ ସମ୍ପର୍କରେ ମତ ଦେଇ ସାଂସଦ ପିନାକୀ ମିଶ୍ର କହିଥିଲେ ଯେ ବିଜୁ ପଟ୍ଟନାୟକ ରାଜନୀତିରେ ସକ୍ରିୟ ଥିବା ପର୍ଯ୍ୟନ୍ତ ତାଙ୍କ ପରିବାରରୁ କାହାରିକୁ ରାଜନୀତିକୁ ଆଣିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ପରିବାରରୁ କାହାରିକୁ ସକ୍ରିୟ ରାଜନୀତିକୁ ଆଣିବେ ନାହିଁ। କେନ୍ଦ୍ରରେ କୌଣସି ମଧ୍ୟ ରାଜନୈତିକ ଦଳ ଉଦାରୀକରଣ ରାଜନୀତି କରୁନାହାନ୍ତି, ମୋଦି ଦେଶକୁ କଂଗ୍ରେସ ମୁକ୍ତ କରିବାକୁ କହୁଥିବା ବେଳେ କୌଣସି କଂଗ୍ରେସ ନେତା ପ୍ରତିକ୍ରିୟା ପ୍ରକାଶ କରୁନଥିବା ପ୍ରଶ୍ନରେ ଶ୍ରୀ ତିଓ୍ଵାରୀ ବିଜେପିକୁ ପରାଜୟର ଶିକ୍ଷା ଦେଇ ଏହାର ଜବାବ୍‌ ଦିଆଯିବା ନେଇ ମତ ରଖିଥିଲେ।

ସମ୍ବନ୍ଧିତ ଖବର