ଭୁବନେଶ୍ବର : ଭୁବନେଶ୍ବରରେ ଚାଲିଥିବା‌ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଶୁକ୍ରବାର ଦିନ ଉଦଯାପିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି ବୈଠକ ଓ ଆଲୋଚନାଚକ୍ରରେ କ୍ଷମତା ନିର୍ମାଣ, ଭବିଷ୍ୟତର କାର୍ଯ୍ୟ ପରିଦୃଶ୍ୟରେ ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ ଉପରେ ବିଚାରବିମର୍ଶ କରାଯାଇଥିଲା। ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ କ୍ଷମତା ନିର୍ମାଣ, ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ’ ଉପରେ ୩ଟି ପାନେଲ୍‌ ଆଲୋଚନା ହୋଇଥିଲା। ପ୍ରଥମ ପାନେଲ ଆଲୋଚନାରେ ‘କାର୍ଯ୍ୟର ଭବିଷ୍ୟତ ସନ୍ଦର୍ଭରେ ଶ୍ରମ ବଜାର ଓ ସଂସ୍ଥାଗତ କ୍ଷମତା ନିର୍ମାଣର ଆବଶ୍ୟକତା ଲାଗି ଏକ ସକ୍ରିୟ ବ୍ୟବସ୍ଥା ନିର୍ମାଣ: ଉଚ୍ଚ ଗୁଣବତ୍ତା ଆଧାରିତ ପ୍ରଯୁକ୍ତି ଏବଂ ଧନ୍ଦାମୂଳକ ଶିକ୍ଷାକୁ ସକ୍ଷମ କରିବା’ ଉପରେ ଆଲୋଚନା ହୋଇଥିଲା। ସେହିପରି ଉଚ୍ଚଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ ମାର୍ଗ ସୃଷ୍ଟି କରିବା ଉପରେ ମଧ୍ୟ ଆଉ ଏକ ଆଲୋଚନା କରାଯାଇଥିଲା। ଏହାବ୍ୟତୀତ ପିଲାଙ୍କୁ ଆଜୀବନ ଅଧ୍ୟୟନର ଧାରାକୁ ଆଣିବା ଲାଗି ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସେଟ୍ ଜରିଆରେ ସେମାନଙ୍କୁ ସକ୍ଷମ କରିବା ବିଷୟକୁ ନେଇ ପାନେଲ ଆଲୋଚନା ହୋଇଥିଲା।

Advertisment

publive-image

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଅତୁଲ କୁମାର ତିୱାରୀ, ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର, ଏଲ ଆଣ୍ଡ୍‌ ଟି ଏଡୁଟେକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସବ୍ୟସାଚୀ ଦାସ ଉକ୍ତ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ବ୍ରାଜିଲ, ସ୍ପେନ୍‌, ୟୁଏଇ, ସିଙ୍ଗାପୁର, ରୁଷ, ଦକ୍ଷିଣ ଆଫ୍ରିକା, ମରିସସ୍‌, ଓଇସିଡି, ୟୁନିସେଫ୍‌, ଅଷ୍ଟ୍ରେଲିଆ, ବ୍ରିଟେନ ସମେତ ଅନ୍ୟ ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଙ୍ଗଠନର ବିଶେଷଜ୍ଞ ପାନେଲିଷ୍ଟ ଭାବେ ଅଂଶଗ୍ରହଣ କରି ସେମାନଙ୍କ ଦେଶରେ ଏହି ବିଷୟବସ୍ତୁ ଉପରେ ଆଧାରିତ ଶ୍ରେଷ୍ଠ ପଦ୍ଧତି ଓ ନୀତିଗୁଡ଼ିକ ଉପରେ ମତାମତ ରଖିଥିଲେ। ଧନ୍ଦାମୂଳକ ଶିକ୍ଷା ଓ ତାଲିମ ଉପରେ ସେମାନଙ୍କର ନୀତି ଓ କାର୍ଯ୍ୟକ୍ରମ, ପରିବର୍ତ୍ତିତ ବିଶ୍ୱ ସହ ଖାପ ଖୁଆଇବା ଲାଗି ଦକ୍ଷତା ବିକାଶ, ଉନ୍ନତ ଦକ୍ଷତା ବିକାଶ ଏବଂ ନିରନ୍ତର ଦକ୍ଷତା ବିକାଶ ବା ସ୍କିଲିଂ, ଅପ ସ୍କିଲିଂ ଓ ରି-ସ୍କିଲିଂ ଏବଂ ଭବିଷ୍ୟତର କାର୍ଯ୍ୟକୁ ନେଇ ନିଜ ଦେଶରେ ଦେଖାଦେଇଥିବା ସମସ୍ୟା ଉପରେ ମଧ୍ୟ ଆଲୋକପାତ କରିଥିଲେ।

publive-image

ପ୍ରଦର୍ଶନୀ ବୁଲିଲେ ଦେଢ଼ ଲକ୍ଷ
ଏହି ବୈଠକ ଅବସରରେ ସପ୍ତାହବ୍ୟାପୀ ମଲ୍ଟି ମିଡିଆ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଶିଳ୍ପ, ଶିକ୍ଷା ଜଗତ, ସରକାରୀ ସଂସ୍ଥା, ବହୁପକ୍ଷୀୟ ସଂସ୍ଥା, ଷ୍ଟାର୍ଟଅପ୍ ଓ ଅନ୍ୟାନ୍ୟ ସଙ୍ଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଭବିଷ୍ୟତର କାର୍ଯ୍ୟ ଉପରେ ଏକ ସ୍ୱତନ୍ତ୍ର ଅନୁଭୂତି ଜୋନ ସହିତ ବ୍ୟାପକ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଥିଲା। ଯେଉଁଥିରେ ମେଟା, ହେକ୍ସାଗନ, ଇନଫୋସିସ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ, ୟୁନିସେଫ୍‌, ଭାରତୀୟ ଜ୍ଞାନ ବ୍ୟବସ୍ଥା, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଟ୍ରାଇଫେଡ୍‌ ପରି ଅନେକ ସଂସ୍ଥା ଯୋଗ ଦେଇଥିଲେ। ୭ ଦିନ ଧରି ଅନୁଷ୍ଠିତ ଏହି ‌ପ୍ରଦର୍ଶନୀକୁ ଦେଢ଼ ଲକ୍ଷ ବ୍ୟକ୍ତିବିଶେଷ ବୁଲି ଦେଖିଥିଲେ।

କୋଣାର୍କ ମନ୍ଦିର ବୁଲିଲେ
ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକରେ ୨୦ଟି ଦେଶର ପ୍ରତିନିଧିଙ୍କ ସମେତ ୨୭ଟି ନିମନ୍ତ୍ରିତ ଦେଶର ମୋଟ ୬୩ ଜଣ ପ୍ରତିନିଧି ଭାଗ ନେଇଥିଲେ। ବୈଠକରୁ ବାହାରିଥିବା ନିଷ୍କର୍ସକୁ ତର୍ଜମା କରାଯିବ। ଏହାର ୪ର୍ଥ ବୈଠକରେ ପୁଣେଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ବୈଠକ ଶେଷରେ ଅନ୍ତର୍ଜାତୀୟ ପ୍ରତିନିଧିମାନେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଥିବା ଟୁରିଷ୍ଟ ଗାଇଡ୍‌ମାନେ ପ୍ରତିନିଧିମାନଙ୍କୁ କୋଣାର୍କର ଐତିହ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।