ଭୁବ‌ନେଶ୍ବର : ଆସନ୍ତା ୫ରୁ ୭ବର୍ଷ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦେଶର ପ୍ରମୁଖ ଉତ୍କର୍ଷ ପ୍ରତିଷ୍ଠାନ ଭାବେ ଦେଖିବାକୁ ଚାହାନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲିର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ସିଧାସଳଖ ଏମିତି ଆଶା ପ୍ରକାଶ କରିଛନ୍ତି। ଉତ୍କର୍ଷ ପ୍ରତିଷ୍ଠାନ ପାଇଁ ସମସ୍ତ ଯୋଗ୍ୟତା ବିଶ୍ବବିଦ୍ୟାଳୟ ପାଖରେ ରହିଛି ବୋଲି ମନେ ପକାଇ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି, ୨୦୧୬ରେ ବିଶ୍ବବିଦ୍ୟାଳୟ ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତା ପାଇଛି। ୨୦୧୮ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହା ‘କାଟାଗୋରି ୱାନ’ ବିଶ୍ବବିଦ୍ୟାଳୟ ଭାବେ ଚିହ୍ନଟ ହୋଇଛି। ବୌଦ୍ଧିକ ଉତ୍କର୍ଷ ଭାବେ ବି ପରିଣତ ହୋଇଛି। ବିଭିନ୍ନ ଶୃଙ୍ଖଳାରେ ଏଠାକାର ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଏକାଧିକ ସେଣ୍ଟର ଅଫ୍‌ ଏକ୍ସ‌ଲେନ୍ସ ବି ପ୍ରତିଷ୍ଠା କରାଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ଚଣ୍ଡିଖୋଲଠାରେ ୬୭ ଏକର ପରିମିତ ଜମିରେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହୋଇଛି। ବିଦେଶର ଦୁଇଟି ବିଶ୍ବବିଦ୍ୟାଳୟ ସହ ରାଜିନାମା ବି କରାଯାଇଛି। ଉନ୍ନତ ଗବେଷଣା ସାଙ୍ଗକୁ ଅନୁଭବି ଅଧ୍ୟାପକ ଏଠାରେ ରହିଛନ୍ତ। ତେଣୁ ମୋର ବିଶ୍ବାସ ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଏହି ବିଶ୍ବବିଦ୍ୟାଳୟ ଦେଶର ଉତ୍କର୍ଷ ପ୍ରତିଷ୍ଠାନ ଭାବେ ଉଚ୍ଚଶିକ୍ଷା, ଗବେଷଣା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବ।

Advertisment

‌ରାଷ୍ଟ୍ରପତି ଆହୁରି କହିଲେ ଯେ ବିଶ୍ବବିଦ୍ୟାଳୟଗୁଡ଼ିକ ହେଉଛନ୍ତି ନୂତନ ଚିନ୍ତାଧାରର ପେଣ୍ଠସ୍ଥଳ। ଏହା ସମାଜର ଏକ ଅଂଶ ହୋଇ ସମାଜିକ ପରିବର୍ତନରେ ଜଡ଼ିତ ହୁଅନ୍ତି। ବିଶ୍ବବିଦ୍ୟାଳୟରେ ଏମିତି ଗବେଷଣା ହେଉ, ଯାହା କି କେବଳ ନୂତନ ଜ୍ଞାନର ଗନ୍ଥାଘର ସୃଷ୍ଟି କରିବ ନାହିଁ, ବରଂ ସେହି ଜ୍ଞାନ ମାନବ ସମାଜକୁ ନିରନ୍ତର କରିବାରେ ସହାୟକ ହୋଇପାରିବ। ଉପେକ୍ଷିତ ବର୍ଗଙ୍କ ସଶକ୍ତୀକରଣକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସମ୍ବେଦନଶୀଳ ରହିବା ଦରକାର। ପରିବେଶ, ସ୍ବାସ୍ଥ୍ୟ ଓ ଶିକ୍ଷାକୁ ଅତି ଗୁରୁତ୍ବର ସହ ‌ନେବା ଉଚିତ। ଉତ୍କଳ ବିଶ୍ବବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ଏଭଳି କାର୍ଯ୍ୟ ହାତକୁ ନେବା ଲାଗି ବେଶ ସକ୍ଷମ। ପୁନଶ୍ଚ ସାରା ବିଶ୍ବ ଭାରତ ପ୍ରାଚୀନ ଜ୍ଞାନ ଭଣ୍ଡାରକୁ ଗୁରତ୍ବର ସହ ନେବା ଆରମ୍ଭ କରିଛି। ଆମର ବିଶ୍ବବିଦ୍ୟାଳୟଗୁଡ଼ିକ ଏହି ସୁଫଳକୁ ହାତେଇବା ଦରକାର। ଏକ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଗ୍ରଦୂତ ହୋଇପାରିବ ବୋଲି ମୋର ଆଶା ଓ ବିଶ୍ବାସ ରହିଛି।

ଉତ୍ସବ ଅବସରରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ, ପ୍ରତିବର୍ଷ ଏହି ବିଶ୍ବବିଦ୍ୟାଳୟରେ ଆଲୁମିନି ସମ୍ମିଳନୀ କରାଯାଉ। ଫଳରେ ପୁରାତନ ଛାତ୍ରଛାତ୍ରୀ ଏକାଠି ହେବା ସହ ବିଶ୍ବବିଦ୍ୟାଳୟକୁ ଆଗକୁ ନେଇପାରିବେ। ଏଥିସହ ଦିଲ୍ଲୀ ଆଇଆଇଟି ଭଳି ଉତ୍କଳରେ ବି ପୁରାତନ ଛାତ୍ରଛାତ୍ରୀମାନେ ‘ଏନ୍‌ଡାଓମେଣ୍ଟ ଫଣ୍ଡ୍‌’ ପ୍ରତିଷ୍ଠା କରିବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଥିଲେ।

ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗ‌ଣେଶୀ ଲାଲ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ମାନବ ମଧ୍ୟରେ ସମନ୍ୱୟ ରହିବା ଦରକାର। ବିଶ୍ୱବିଦ୍ୟାଳୟ ଏକ ବତୀଘର ଭାବେ ମାର୍ଗଦର୍ଶନ କରାଇବା ସହ ସାମାଜିକ ଦାୟିତ୍ୱବୋଧ ନିର୍ବାହରେ ବିଶେଷ ଭୂମିକା ନେବା ଆବଶ୍ୟକ। ବିଶ୍ବବିଦ୍ୟାଳୟରୁ ହିଁ ବିଶ୍ବସ୍ତରୀୟ ବ୍ୟକ୍ତିବିଶେଷ ସୃଷ୍ଟି ହୋଇଥାନ୍ତି।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଲେ, ଛାତ୍ରଛାତ୍ରୀ ଓ ଶିକ୍ଷକ ହେଉଛନ୍ତି ଗୋଟିଏ ଶିକ୍ଷାନୁଷ୍ଠାନର ଆତ୍ମା। ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଓ ପରମ୍ପରା ରହିଲେ ହିଁ ଅନୁଷ୍ଠାନ ଶୀର୍ଷରେ ପହଞ୍ଚିପାରିବ। ଉଭୟଙ୍କ ଏକତ୍ରୀକରଣ ଦ୍ବାରା ହିଁ ବିଶ୍ବବିଦ୍ୟାଳୟ ବୌଦ୍ଧିକ ଉତ୍କର୍ଷ କେନ୍ଦ୍ର ହୋଇପାରିବ ଏବଂ ଶିକ୍ଷାନୁଷ୍ଠାନର ଗୌରବ ଫେରିପାରିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ନେତୃତ୍ବ ‌ନେବାର ଦକ୍ଷତା ଓ ଉଚ୍ଚ ଦୂରଦୃଷ୍ଟି ରହିଲେ ସେମାନେ ସମାଜର ବିକାଶ ଦିଗରେ ନିଜର ଦକ୍ଷତାକୁ ବ୍ୟବହାର କରିପାରିବେ। ଆମର ଯୁବପିଢ଼ି ଉଭୟ ଅର୍ଥନୈତିକ ଓ ସାମାଜିକ ଉଦ୍ୟେଗୀ ହୁଅନ୍ତୁ। ଛାତ୍ରଛାତ୍ରୀ ବଡ଼ ସ୍ବପ୍ନ ଦେଖନ୍ତୁ। ତାହାକୁ ପୂରଣ କରିବା ସହ ବିଶ୍ବବାସୀଙ୍କ ଉନ୍ନତି ପାଇଁ ଲାଗୁ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଆଗାମୀ ଶତାବ୍ଦୀର ଯାତ୍ରାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଉପଲବ୍ଧି କେବଳ ଓଡିଶା କି ଦେଶକୁ ନୁହେଁ, ବରଂ ବିଶ୍ୱ ସାମ୍ନାରେ ଥିବା ଜଟିଳ ସମସ୍ୟାକୁ ସମାଧାନ କରିବାରେ ବଡ ଭୂମିକା ନେବ। ଗତ ୭୫ ବର୍ଷର ଲମ୍ବା ଯାତ୍ରାରେ ରାଜ୍ୟରୁ ବିଶ୍ବ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱଙ୍କୁ ଏହି ବିଶ୍ବବିଦ୍ୟାଳୟ ତିଆରି କରିଛି। ପ୍ରଶାସନ, ସାହିତ୍ୟ, କଳା, ସମାଜସେବା, ରାଜନୀତି ଆଦି କ୍ଷେତ୍ରରେ ରାଜ୍ୟର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କର ଲମ୍ବା ସଫଳତାର ଯାତ୍ରାର ଆଦିଭୂମି ହେଉଛି ଏହି କ୍ୟାମ୍ପସ। ଯେଉଁମାନେ ଓଡିଶାର ସ୍ୱତନ୍ତ୍ରତାର ସ୍ୱପ୍ନ ଦେଖିଥିଲେ, ଓଡିଶା ପାଇଁ ନୂଆ କଳ୍ପନା କରିଥିଲେ, ଓଡିଶାକୁ ଜାତୀୟ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ସେଭଳି ମହାନୁଭବଙ୍କ ନେତୃତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟର ମଞ୍ଜି ବୁଣାଯାଇଥିଲା। ଆଜି ସେହି ମଞ୍ଜି ବିଶାଳ ବଟ ବୃକ୍ଷର ରୂପ ନେଇଛି। ତେଣୁ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କରିବାର ଆବଶ୍ୟକତା ରହିଛି। ଆଗାମୀ ୨୫ ବର୍ଷ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ବର ଜ୍ଞାନ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ସେ ଆହ୍ବାନ ଦେଇଥିଲେ।

ଉତ୍ସବରେ ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ସହଧର୍ମିଣୀ ସବିତା କୋବିନ୍ଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ବିବରଣୀ ପାଠ କରିଥିବା ବେଳେ ପିଜି କାଉନସିଲ୍‌ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ‘ରୁସା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହ ‘ବୁକ୍‌ ଅଫ୍‌ ମେମୋରି’କୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ।