ଅଯୋଧ୍ୟାରେ ରାମ ମନ୍ଦିରକୁ କେହି ରୋକି ପାରିବେନି: ତୋଗାଡ଼ିଆ

ବିଶାଳ ହିନ୍ଦୁ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ କେହି ବି ରୋକିପାରିବେ ନାହିଁ। ମହାପ୍ରଭୁ ଶ୍ରୀରାମଙ୍କ ଜମିରେ ରାମ ମନ୍ଦିର ପ୍ରତିଷ୍ଠା କରିବାକୁ କାହିଁକି ବିରୋଧ ହେଉଛି ତାହା ଜଣାପଡ଼ୁ ନାହିଁ। ଦେଶର ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମିଳିତ ଭାବେ ପଦକ୍ଷେପ ନିଅନ୍ତୁ। ଏଥିପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଶାଳ ହିନ୍ଦୁ ସମ୍ମିଳନୀର ଉଦ୍‌ଯାପନୀ ଦିବସରେ ଯୋଗଦେଇ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ପ୍ରବୀଣ ତୋଗାଡିଆ ପ୍ରଶ୍ନ କରିଛନ୍ତି।

ଶ୍ରୀ ତୋଗାଡ଼ିଆ କହିଲେ, ପାକିସ୍ତାନର ଦୌରାତ୍ମ୍ୟ ବଢ଼ିଚାଲିଛି। ଭାରତ ଭିତରକୁ ପଶି ସୈନ୍ୟମାନଙ୍କୁ ହତ୍ୟା କରାଯାଉଛି। ଦୁଇ ଦିନ ତଳେ କୁଳଭୂଷଣଙ୍କୁ ଦେଖାକରିବାକୁ ଯାଇଥିବା ତାଙ୍କ ମା’ ଏବଂ ପତ୍ନୀଙ୍କୁ ସେଠାରେ ଯେଉଁଭଳି ଭାବେ ବ୍ୟବହାର ପ୍ରଦର୍ଶନ କଲେ ତାହା ଭାରତର କୋଟି କୋଟି ମହିଳାଙ୍କ ପ୍ରତି ଅପମାନ। କଶ୍ମୀରରେ ଥିବା ହିନ୍ଦୁଙ୍କ ପ୍ରତି ଏଭଳି ନିର୍ଯାତନା ଦିଆଯାଉଛି ଯେ ସେମାନେ ୪୦ ବର୍ଷ ହେଲା ନିଜ ଘରକୁ ଫେରିପାରୁ ନାହାନ୍ତି। ଏହାକୁ ରୋକାଯିବା ଆବଶ୍ୟକ। ତିନି ତଲାକ ଉପରେ ରୋକ ଲଗାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସମସ୍ତଙ୍କ ପାଇଁ ସମାନ ଆଇନ ପ୍ରଣୟନ ହେବା ଦରକାର।

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ମତ ରଖି ଶ୍ରୀ ତୋଗାଡ଼ିଆ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ୩ କୋଟି ବାଂଲାଦେଶୀ ଭାରତରେ କାୟା ବିସ୍ତାର କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ତଡ଼ିବା ବଦଳରେ ନିଜ ରାଜ୍ୟରେ ଥଇଥାନ କରାଉଛନ୍ତି। ଦୂର୍ଗା ପୂଜା ପରି ହିନ୍ଦୁଙ୍କ ପର୍ବର ଭସାଣି ଉତ୍ସବ ଉପରେ ରୋକ ଲଗାଯାଉଛି। ଗୋ ହତ୍ୟା ବଢ଼ୁଥିବାରୁ କେନ୍ଦ୍ର ସମେତ ରାଜ୍ୟ ସରକାରଗୁଡ଼ିକ କଡ଼ା ଆଇନ କରିବା ଦରକାର। ଦେଶରେ କୃଷକ ଆତ୍ମହତ୍ୟା, ବେକାରୀ ସମସ୍ୟା, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସେ ମତପ୍ରକାଶ କରିଥିଲେ।

ବିଶ୍ୱ ହିନ୍ଦୁ ପରିଷଦ ଏବେ ୬ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ସେ କହିଛନ୍ତି। ଦେଶର ୨୦ କୋଟି ହିନ୍ଦୁ ପରିବାରକୁ ମାଗଣା ଖାଇବାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏକ ଲକ୍ଷ ଗାଁର ୩୦ ଲକ୍ଷ ଶିଶୁଙ୍କୁ ମାଗଣା ଶିକ୍ଷା ପ୍ରଦାନ ଲାଗି ବିଦ୍ୟାଳୟ ପ୍ର୍ରତିଷ୍ଠା କରାଯିବ। ସମସ୍ତଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ବି ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ସରକାରଙ୍କ ସହ ମିଶି ୧୦ରୁ ୧୫ ହଜାର ଗାଁରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ଯୋଜନା ରହିଛି। ଆସନ୍ତା ୨/୩ ମାସରେ ଓଡ଼ିଶା ଆସି ଭୁବନେଶ୍ୱର, କଟକ, ସମ୍ବଲପୁରରେ ଏହି ସେବା ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏବିଷୟରେ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛି ବୋଲି ସେ କହିଥିଲେ।

ବିଶ୍ୱ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ଜି.ରାଘବ ରେଡ୍ଡୀ ଅନ୍ୟତମ ବକ୍ତାଭାବେ ଯୋଗଦେଇ ଧର୍ମାନ୍ତରୀକରଣ ବଢ଼ିଚାଲିଛି ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦର ମାର୍ଗଦର୍ଶକ ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀ ଯୋଗଦେଇ ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ନ୍ୟାୟ ନ ମିଳିଲେ ଏହାର ଜବାବ ୨୦୧୯ରେ ଦେବାକୁ ଆହ୍ଵାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଶଙ୍କରାନନ୍ଦ ଗିରି, ସୁବାସ ଅଗ୍ରଓ୍ଵାଲ, କୃଷ୍ଣଲାଲ ଭରତିଆ, ଚମ୍ପତ ରାୟ ପ୍ର୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର