ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ହୋଟେଲ୍‌, ସପିଂ ମଲ୍‌, ହସ୍‌ପିଟାଲ୍‌ ଉପରେ ଅଗ୍ନିଶମ ବିଭାଗ ଚଢ଼ାଉ ଜାରି ରଖିଛି। ଆଉ ପାଦେ ଆଗେଇ ଯାଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଭୁବନେଶ୍ୱର, ପୁରୀରେ ଗଢ଼ି ଉଠିଥିବା ୫ଟି ବଡ଼ ହୋଟେଲ୍‌ ବନ୍ଦ କରିବାକୁ ନୋଟିସ ଦେଇଛି। ଏ ସମସ୍ତ ହୋଟେଲ୍‌ ୧୯୭୪ ଜଳ(ପ୍ରତିଷେଧକ ଓ ପ୍ରଦୂଷଣ ନିୟନ୍ତ୍ରଣ) ଆଇନର ଧାରା ୩୩ ଏକୁ ଉଲ୍ଲଂଘନ କରିଥିବା ନୋଟିସ୍‌ରେ ଦର୍ଶାଯାଇଛି।

Advertisment

ଗତ ୨୦ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ ଅଧିକାରୀ, ଭୁବନେଶ୍ୱର ଏହି ବନ୍ଦ ନୋଟିସ ଜାରି କରିଛନ୍ତି। ନୋଟିସ ମୁତାବକ ସଂପୃକ୍ତ ହୋଟେଲ୍‌ ବନ୍ଦ କରାନଗଲେ, ଆଇନଗତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ନୋଟିସ ଦିଆଯାଇଥିବା ହୋଟେଲ୍‌ଗୁଡ଼ିକ ହେଉଛି ପୁରୀ ଜିଲ୍ଲା ସିପସରୁବାଲି, ବଳିଆପଣ୍ଡାରେ ଥିବା ହୋଟେଲ୍‌ ବାଲାଜୀ ଇଣ୍ଟରନ୍ୟାସନାଲ୍‌, ଭୁବନେଶ୍ୱର ନୟାପଲ୍ଲୀର ହୋଟେଲ୍‌ ବାରି ଇଣ୍ଟରନ୍ୟାସନାଲ୍‌, ଜୟଦେବ ବିହାର ନିକଟ ହୋଟେଲ୍‌ ଜିଞ୍ଜର (ରୁଫ୍ସ କର୍ପୋରେସନ ଲିମିଟେଡ୍‌), ରସୁଲଗଡ଼ର ହୋଟେଲ୍‌ ଗ୍ରିନ୍‌ଫିଲ୍ଡ ଓ ଭୁବନେଶ୍ୱର ଚନ୍ଦକାର ହୋଟେଲ୍‌ ଷ୍ଟୋନ୍‌ ପ୍ୟାଲେସ୍‌।

ଜଳ ପ୍ରଦୂଷଣ ସୃଷ୍ଟିକାରୀ ସଂସ୍ଥାଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସୁପ୍ରିମ କୋର୍ଟ ଦେଶର ସବୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ଆଦେଶ ଦେଇଥିଲେ। ତଦନୁଯାୟୀ ସଂପୃକ୍ତ ହୋଟେଲ୍‌ଗୁଡ଼ିକୁ ବୋର୍ଡର ଅଧିକାରୀମାନେ ଯାଇ କ୍ଷେତ୍ରୀୟ ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନରୁ ଜଣାଯାଇଥିଲା ଯେ ଏ ସମସ୍ତ ହୋଟେଲ୍‌ର ସ୍ୱିେଓ୍ଵଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାମ କରୁନାହିଁ ବା ଅଚଳ ହୋଇପଡ଼ିଛି। ଅନୁଧ୍ୟାନ ରିପୋର୍ଟ ପାଇବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେତେପର୍ଯ୍ୟନ୍ତ ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଇଟିପି) ସଠିକ୍‌ ଭାବେ କାର୍ଯ୍ୟ ନ କରିଛି, ସେହି ହୋଟେଲ୍‌ଗୁଡିକ ବନ୍ଦ ରହିବ ବୋଲି ନୋଟିସରେ ନିର୍ଦେଶ ଦିଆଯାଇଛି।